୯ ଦିନରେ ୯୦୦ କି.ମି. ଚାଲିଲେ ଶ୍ରମିକ, ୩ ଦିନ ହେଲା ଥିଲେ ଭୋକ ଉପାସରେ

Published By : Prameya-News7 Bureau | April 30, 2020 IST

ଲକ୍ଷ୍ନୌ ୩୦।୪: କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ପାଇଁ ଲକ୍ ଡାଉନ୍ ଯୋଗୁଁ ଦେଶର ଅନେକ ରାଜ୍ୟରେ ଶ୍ରମିକମାନେ ଅଟକି ରହିଛନ୍ତି । ୯ ଦିନରେ ୯୦୦ କି.ମି. ଚାଲି ଚାଲି ଭୋକ ଉପାସରେ ୫ଜଣ ଶ୍ରମିକ ବୁଧବାର ୟୁପିର ଲକ୍ଷ୍ମୀପୁର ଖେରୀରେ ପହଞ୍ଚିଥିଲେ ।

ଚଣ୍ଡିଗଡରୁ ବଳରାମପୁର ଅଭିମୁଖେ ଯାତ୍ରା କରୁଥିବା ୫ ଜଣ ଶ୍ରମିକ ଗତକାଲି ରାତିରେ ପ୍ରାୟ ୯୦୦ କି.ମି. ଚାଲିଚାଲି ଲକ୍ଷ୍ମୀପୁରରେ ପହଞ୍ଚିଥିଲେ । ଏକ ରିପୋର୍ଟ ଅନୁସାରେ ଶ୍ରମିକମାନେ କହିଛନ୍ତି ଯେ, ଗତ ୩ ଦିନ ଧରି ସେମାନଙ୍କୁ ଖାଇବାକୁ ଖାଦ୍ୟ କିମ୍ବା ପିଇବାକୁ ପାଣି ମିଳିନଥିଲା । ଜଣେ କହିଥିଲେ ଯେ, ଆମେ ଚଣ୍ଡିଗଡରେ ଦିନ ମଜୁରିଆ ଭାବେ କାମ କରୁଥିଲୁ । ଆମେ ଏକ ସପ୍ତାହରୁ ଅଧିକ ହେବ ଚାଲୁଛୁ । ତିନି ଦିନ ହେବ ଲଗାତର ଆମେ ଭୋକ ଉପାସରେ ରହିଛୁ ।

ସୂଚନାଯୋଗ୍ୟ ଯେ, ଗାଁରୁ କାମ କରିବା ପାଇଁ ଅନ୍ୟ ରାଜ୍ୟକୁ ଯାଇଥିବା ଲୋକମାନେ ଲକ୍ ଡାଉନ୍ କାରଣରୁ ମାର୍ଚ୍ଚ ୨୫ ତାରିଖରୁ ଫସି ରହିଛନ୍ତି । ତେବେ ସେଠାରେ ଖାଇବାକୁ ପିଇବାକୁ ନପାଇବାରୁ ବାଧ୍ୟ ହୋଇ ସେମାନେ ଚାଲି ଚାଲି ଗାଁ ଅଭିମୁଖେ ଆସୁଛନ୍ତି । ବର୍ତ୍ତମାନ ମଧ୍ୟ ଶ୍ରମିକମାନଙ୍କର ରାସ୍ତାରେ ଚାଲି ଚାଲି ଘରକୁ ଫେରିବା ପ୍ରକ୍ରିୟା ବନ୍ଦ ହେଉନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.