ଯାଜପୁର ୨୭।୦୪: ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ଦଶରଥପୁର ବ୍ଲକ୍ରେ କରୋନା ଭୂତାଣୁ ସଂକ୍ରମଣ କୋକୁଆଭୟ ସୃଷ୍ଟି କରିଛି । ଦଶରଥପୁର, ଯାଜପୁର, ବିଂଝାରପୁର, ବରୀ, କୋରେଇ ଓ ଯାଜପୁର ପୌର ପରିଷଦ ଅଞ୍ଚଳରେ କରୋନା ଭୂତାଣୁ ସଂକ୍ରମଣ ତୀବ୍ରତର ହେବାର ଆଶଙ୍କା କରି ସୋମବାର (୨୭ ମାର୍ଚ୍ଚ) ମଧ୍ୟାହ୍ନ ୧୨ଟାରୁ ମାର୍ଚ୍ଚ ୨୯ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଯାଜପୁରର ଅଧା ଅଞ୍ଚଳକୁ ସଟ୍ ଡାଉନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ରବିବାର ସନ୍ଧ୍ୟାରେ ଘୋଷଣା କରିଛି । ସଟ୍ ଡାଉନ ସମୟରେ କର୍ଫ୍ୟୁ ଭଳି କଟକଣା ରହିବ ଓ କେତେକ ଅତ୍ୟାବଶ୍ୟକ ସାମଗ୍ରୀ ବିନିମୟ ବ୍ୟତୀତ ଅନ୍ୟ ସମସ୍ତ ପ୍ରତିଷ୍ଠାନ ବନ୍ଦ୍ ରହିବ । ଆପାତତଃ ସଟ୍ ଡାଉନ ଘୋଷିତ ଇଲାକାକୁ ସଂକ୍ରମଣ ପ୍ରତିରୋଧ ଅଞ୍ଚଳ ଭାବେ ବିବେଚନା କରାଯିବ ।
ଉଲ୍ଲେଖଯୋଗ୍ୟ, ସୋମବାର ସକାଳ ସୁଦ୍ଧା ଜିଲ୍ଲାରେ ମୋଟ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବିଶେଷ କରି କୋଲକାତା ଫେରନ୍ତା ମାନେ ହିଁ ଏଥିରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛି ।
ଜିଲ୍ଲାର ଅଧା ଅଞ୍ଚଳକୁ ସଟ୍ ଡାଉନ କରାଯିବା ପଛରେ, ପ୍ରଶାସନର ବିଶେଷ ଉଦ୍ଦେଶ୍ୟ ରହିଛି । କରୋନା ପ୍ରଭାବିତ ଅଞ୍ଚଳରେ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ସହ, ସଂକ୍ରମିତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା, ସଂଗରୋଧ ଅବସ୍ଥାନ ନିମନ୍ତେ ବ୍ୟବସ୍ଥା କରିବା ଓ କୋଲକାତା ଫେରନ୍ତାଙ୍କୁ ଚିହ୍ନଟ କରିବା ହିଁ ଲକ୍ଷ୍ୟ ରହିବ । ଚଳିତ ମାସ ୨୩ତାରିଖ ମଧ୍ୟରାତ୍ରରୁ ୨୬ ତାରିଖ ସକାଳ ୧୦ଟା ପର୍ଯ୍ୟନ୍ତ ଜିଲ୍ଲାବ୍ୟାପୀ ସଟ୍ ଡାଉନ୍ ହୋଇଥିଲା । ଏହା ପୂର୍ବରୁ ଲକ୍ ଡାଉନ୍ ଓ ସଟ୍ ଡାଉନ୍ ବିଜ୍ଞପ୍ତି ଜାରି ହୋଇଛି । ମାର୍ଚ୍ଚ ୩ୟ ସପ୍ତାହରୁ ଆଜି ପର୍ଯ୍ୟନ୍ତ ମାସେ କାଳ ଯାଜପୁର ଜିଲ୍ଲାରେ ସଟ୍ ଡାଉନ୍ ଓ ଲକ୍ ଡାଉନ୍ ଯୋଗୁ ସାଧାରଣ ଜୀବନଯାତ୍ରା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି ।
ଜୀବନକୁ ବଞ୍ଚାଇ ରଖିବା ପାଇଁ ଜୀବିକା ଛାଡ଼ିବାକୁ ଜିଲ୍ଲାବାସୀ ବାଧ୍ୟ ହୋଇଛନ୍ତି । କଳିଙ୍ଗନଗର ଶିଳ୍ପାଞ୍ଚଳ, ବ୍ୟାସନଗର, ଧର୍ମଶାଳା ଓ ବଡ଼ଚଣା ଭଳି ବ୍ୟାବସାୟିକ ଅଞ୍ଚଳରେ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା କମ୍ ରହିଥିବାରୁ ଏ ସମସ୍ତ ଅଞ୍ଚଳକୁ ସାମାଜିକ ଦୂରତ୍ୱ ନୀତିକୁ ଅନୁପାଳନ କରି କଟକଣା କୋହଳ କରାଯାଇଛି । ଜିଲ୍ଲାର ଅବଶିଷ୍ଟ ଅଞ୍ଚଳରେ ସହସ୍ରାଧିକ କୋଲକାତା ଫେରନ୍ତା ନିଜ ଗାଁରେ ପହଞ୍ଚିଥିବାରୁ ଏମାନଙ୍କୁ ଚିହ୍ନଟ କରି ସେମାନଙ୍କ କରୋନା ଟେଷ୍ଟ କରିବାକୁ ପ୍ରଶାସନ ପ୍ରାଥମିକତା ଦେଇଛି ।