ରାଜ୍ୟରେ ବଡ ଧରଣର ଜିଏସଟି ଠକେଇ, ୩୧୧ କୋଟି ଟଙ୍କା ଠକେଇ ଅଭିଯୋଗରେ ୫ ବ୍ୟବସାୟୀ ଗିରଫ

Published By : Prameya-News7 Bureau | July 06, 2022 IST

କଟକ ୬: ରାଜ୍ୟରେ ପୁଣି ଏକ ବଡ ଧରଣର ଜିଏସଟି ଠକେଇର ପର୍ଦ୍ଦାଫାଶ କରିଛି ରାଜ୍ୟ ଜିଏସଟି ବିଭାଗ । ୧୭୨୭ କୋଟି ଟଙ୍କାର ଫେକ୍ ଇନଭଏସ୍ ଜରିଆରେ ୩୧୧ କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗରେ ୫ ଜଣ ବ୍ୟବସାୟୀ ଗିରଫ କରିଛି ରାଜ୍ୟ ଜିଏସଟି ବିଭାଗ । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ  ୪ ଜଣ ବ୍ୟବସାୟୀ ରାଉରକେଲା ହୋଇଥିବା ବେଳେ ଜଣେ ସୁନ୍ଦରଗଡ଼ ଅଞ୍ଚଳର । ଗିରଫ ଅଭିଯୁକ୍ତମାନେ ହେଲେ ଧନବାନ ସ, ରାମଭରୋସେ ସ, ମନୋଜ ପାଣ୍ଡେ, ନିକୁ ସିଂ ଓ ସୁବାସ କାଣ୍ଡୁଲାନା । ୨୩ଟି ଜାଲ୍ ସଂସ୍ଥା ଓ ୩ଟି କମ୍ପାନୀ ଜରିଆରେ ଏହି ବିରାଟ ଠକେଇ ହୋଇଥିବା ବିଭାଗ ପକ୍ଷରୁ କୁହାଯାଇଛି । ଲୁହା ପଥର ଓ କବାଡି କାରବାର କରିଥିବା ଦର୍ଶାଇ ଜାଲ୍ କାଗଜପତ୍ର ମାଧମରେ ଏହି ଜିଏସଟି ଠକିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

ଠକେଇ କରିଥିବା ଏହି ୫ ବ୍ୟବସାୟୀଙ୍କୁ ଅଟକ ରଖି ପଚରାଉଚରା କରାଯିବା ପରେ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ୨୦୧୯/୨୦ ବର୍ଷରେ ଏହି ରାକେଟର ସୁରାକ ମିଳିଥିଲା । ଅଭିଯୁକ୍ତମାନେ ନିରୀହ ଲୋକଙ୍କଠାରୁ ବିଭିନ୍ନ ପ୍ରମାଣ ପତ୍ର ସଂଗ୍ରହ କରି ସେମାନଙ୍କ ନାଁରେ ଫେକ୍ ଫାର୍ମ ତିଆରି କରିଥିଲେ । ଶିକ୍ଷକଙ୍କଠାରୁ ଆରମ୍ଭ କରି ଦିନ ମଜୁରିଆଙ୍କ ପର୍ଯ୍ୟନ୍ତ ବିଭିନ୍ନ ଲୋକଙ୍କର ପ୍ରମାଣ ପତ୍ର ସଂଗ୍ରହ କରି ସେମାନଙ୍କୁ ଗୋଟିଏ ଗୋଟିଏ ଫାର୍ମର ମାଲିକ ଦର୍ଶାଇ କୋଟି କୋଟି ଟଙ୍କାର ଜିଏସଟି ଠକେଇ କରିଥିବା ବିଭାଗ ପକ୍ଷରୁ କୁହାଯାଇଛି ।

ତେବେ ଆଜି ପର୍ଯ୍ୟନ୍ତ ୯୧୯୬ ଟଙ୍କାର GST ଠକେଇ ଅଭିଯୋଗରେ ମୋଟ୍ ୨୮ ଜଣ ଲୋକଙ୍କୁ ଗିରଫ କରାଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଜିଏସଟି କମିଶନର ସୁଶୀଲ କୁମାର ଲୋହାନି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.