ସମ୍‌ରେ ପ୍ରଥମ ଯକୃତ ପ୍ରତିରୋପଣ: ସୁସ୍ଥ ହୋଇ ଘରକୁ ଫେରିଲେ ଜୟନ୍ତ

Published By : Prameya-News7 Bureau | March 26, 2020 IST

ଭୁବନେଶ୍ୱର ୨୬।୦୩: ଆଇଏମଏସ୍‌ ଓ ସମ୍‌ ହସ୍ପିଟାଲ୍‌ରେ ରାଜ୍ୟରେ ପ୍ରଥମ ସଫଳ ଯକୃତ(ଲିଭର୍‌) ପ୍ରତିରୋପଣ(ଟ୍ରାନ୍ସପ୍ଲାଣ୍ଟ୍‌)ହୋଇଥିବା ଜୟନ୍ତ ବିଶ୍ୱାଳ ଆଜି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜୟନ୍ତଙ୍କର ଲିଭର୍‌ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ତାଙ୍କୁ ଯକୃତ ଦାନ କରି ପୁଅ ସୌମ୍ୟରଞ୍ଜନ ନୂଆ ଜୀବନ ଦାନ କରିଛନ୍ତି । ତେବେ ସୋଆ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଆଇଏମଏସ୍‌ ଓ ସମ୍‌ ହସ୍ପିଟାଲ୍‌ ଏବଂ ହାଇଦ୍ରାବାଦସ୍ଥିତ ଯଶୋଦା ହସ୍ପିଟାଲ୍‌ର ଡାକ୍ତର ଏବଂ ବିଶେଷଜ୍ଞ ଟିମ୍‌ର ମିଳିତ ପ୍ରଚେଷ୍ଟାରେ ଏହି ଯକୃତ ପ୍ରତିରୋପଣ ପ୍ରକ୍ରିୟା ସଫଳ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହିତ ପ୍ରଶଂସା କରିଛନ୍ତି ଜୟନ୍ତଙ୍କ ପତ୍ନୀ ଅନିତା ବିଶ୍ୱାଳ ।

ଚଳିତ ମାସ ୫ ତାରିଖରେ ସମ୍‌ ହସ୍ପିଟାଲ୍‌ରେ ଯକୃତ ପ୍ରତିରୋପଣ ହୋଇଥିବା ଜୟନ୍ତଙ୍କୁ ବୁଧବାର ଅପରାହ୍ନରେ ଡିସଚାର୍ଜ କରାଯାଇଛି । ସେ ଏବେ ସୁସ୍ଥ ଥିବା ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲର ପେଟ ଓ ଯକୃତ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ମନୋଜ କୁମାର ସାହୁ କହିଛନ୍ତି । ଜୟନ୍ତଙ୍କୁ ଯକୃତ ଦାନ କରିଥିବା ସୌମ୍ୟରଞ୍ଜନ ମଧ୍ୟ ସୁସ୍ଥ ଅଛନ୍ତି । ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥାର ଟିକନିକ୍‌ ଯାଞ୍ଚ କରିବା ପରେ ଘରକୁ ଛାଡି ଦିଆଯାଇଛି । ତେବେ ଜୟନ୍ତ ଏବେ ବାଲେଶ୍ୱର ନ ଯାଇ ଭୁବନେଶ୍ୱରରେ ତାଙ୍କ ଭଉଣୀ ମଧୁସ୍ମିତା ବିଶ୍ୱାଳଙ୍କ ଘରେ ରହିବେ । ମଝିରେ ମଝିରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ହେବ । ତେଣୁ ଭୁବନେଶ୍ୱରରେ ରହିବାକୁ ତାଙ୍କୁ ପରାମର୍ଶ ଦିଆଯାଇଛି ବୋଲି ଡ. ସାହୁ କହିଛନ୍ତି ।

ଡିସଚାର୍ଜ ହେବା ପରେ ଜୟନ୍ତ କହିଛନ୍ତି, ତାଙ୍କୁ ଏବେ ପୂର୍ବାପେକ୍ଷା ବହୁତ ଭଲ ଲାଗୁଛି । ନୂଆ ଜୀବନ ପାଇବା ଭଳି ଅନୁଭବ ହେଉଛି । ଏଥି ପାଇଁ ସେ ସମ୍‌ ହସ୍ପିଟାଲ୍‌ର ପ୍ରତିଷ୍ଠାତା ପ୍ରଫେସର ମନୋଜରଞ୍ଜନ ନାୟକଙ୍କ ସମେତ ଅନ୍ୟ ବିଶେଷଜ୍ଞ ଓ ଡାକ୍ତର ତଥା ଯଶୋଦା ହସ୍ପିଟାଲର ଡାକ୍ତରମାନଙ୍କ ନିକଟରେ ଋଣୀ । ଅପରପକ୍ଷେ ଅନିତା କହିଛନ୍ତି, ଗତ ୫ ତାରିଖ ଥିଲା ସୁଦଶା ବ୍ରତ । ସମସ୍ତେ ନିଜ ତଥା ନିଜ ପରିବାରର ମଙ୍ଗଳ ମନାସୁଥିବା ବେଳେ ଆମ ପରିବାର ପାଇଁ ପରୀକ୍ଷାର ବେଳ ଥିଲା । ସ୍ୱାମୀଙ୍କର ଯକୃତ ପ୍ରତିରୋପଣ ହେଉଥିବା ବେଳେ ଏକ ମାତ୍ର ପୁଅ ସୌମ୍ୟ ଯକୃତ ଦାନ କରୁଥିଲା । ଉଭୟ ଅପରେସନ୍‌ ଥିଏଟର୍‌ ଭିତରେ ଥିବା ବେଳେ କେବଳ ଭଗବାନଙ୍କୁ ପ୍ରାର୍ଥନା କରିବା ଛଡା ଆଉ କିଛି ଦେଖା ଯାଉନଥିଲା । ହେଲେ ମୋ ଅଜାଣତରେ ବହୁ ଲୋକ ମୋ ସ୍ୱାମୀ ଜୟନ୍ତ ଓ ପୁଅ ସୌମ୍ୟ ପାଇଁ ଶୁଭ ମନାସିଥିଲେ । କିଏ ଟଙ୍କପାଣି ସାଇବାବାଙ୍କ ମନ୍ଦିରରରେ ପୂଜା କରିଥିଲା ତ କିଏ ଆମ ଘର ପାଖ ବାବା ପଞ୍ଚୁଲିଙ୍ଗେଶ୍ୱରଙ୍କ ନିକଟରେ ଶୁଭ ମନାସିଥିଲା ।

ଆଉ କିଏ ବଡ ଠାକୁର ପ୍ରଭୁ ଜଗନ୍ନାଥଙ୍କୁ ଉଭୟଙ୍କୁ ଭଲ କରିବାକୁ ନିବେଦନ କରିଥିଲା । ସବୁଠୁ ବଡ କଥା ହେଲା ଚିକିତ୍ସା ପାଇଁ ହାଇଦ୍ରାବାଦରୁ ଆସିଥିବା ଡାକ୍ତରୀ ଟିମ୍‌ ମଧ୍ୟ ତିରୁପତି ମନ୍ଦିରରୁ ପୂଜା କରି ପ୍ରସାଦ ଆଣିଥିଲେ । ଯାହା ଅପରେସନ୍‌ ଥିଏଟର୍‌ ବାହାରେ ଅପେକ୍ଷା କରିଥିବା ସମସ୍ତଙ୍କୁ ଦିଆଯିବା ସହିତ ସମୂହ ପ୍ରାର୍ଥନା କରିବାକୁ କୁହାଯାଇଥିଲା । ୯ ଘଣ୍ଟା ଧରି ଯକୃତ ପ୍ରତିରୋପଣ ପ୍ରକ୍ରିୟା ଚାଲିଥିଲା । ଅପରାହ୍ନ ୩ଟାରୁ ଆରମ୍ଭ ହୋଇ ରାତି ୧୨ଟାରେ ଶେଷ ହୋଇଥିଲା । ତେବେ ଯଶୋଦା ହସ୍ପିଟାଲର ୧୩ ଜଣିଆ ଟିମ୍‌ଙ୍କ ସମେତ ସମ୍‌ ହସ୍ପିଟାଲର ୪୦ ଜଣିଆ ଟିମ୍‌ ଏହି ପ୍ରତିରୋପଣରେ ସାମିଲ୍‌ ହୋଇ ବହୁ ପରିଶ୍ରମ କରିଥିଲେ । ବିଶେଷ କରି ସମ୍‌ ପ୍ରତିଷ୍ଠାତା ମନୋଜ ସାର୍‌ ବିଳମ୍ବିତ ରାତି ପର୍ଯ୍ୟନ୍ତ ରହି ପ୍ରତିରୋପଣରେ ସାମିଲ ଥିବା ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ତେଣୁ ଆମ ପରିବାର ତରଫରୁ ମନୋଜ ସାରଙ୍କୁ ଧନ୍ୟବାଦ ଜଣାଉଛି ।

ଉଲ୍ଲେଖଯୋଗ୍ୟ, ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳ କଣ୍ଠିଆଟିକର ଗ୍ରାମର ଜୟନ୍ତ ବିଶ୍ୱାଳ ୨୦୧୬ ମସିହାରେ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ବିଭିନ୍ନ ସ୍ଥାନରେ ଡାକ୍ତର ଦେଖାଇବା ପରେ ଶେଷରେ ଆସି ସମ୍‌ ହସ୍ପିଟାଲ୍‌ରେ ପହଞ୍ଚିଥିଲେ । ଚିିକିତ୍ସା ଓ ନିଦାନ ପରେ ଜୟନ୍ତ ଅଣମଦ୍ୟପ ମେଦବହୁଳ ଯକୃତ ବା ନନ୍‌ ଆଲକହଲିକ୍‌ ଫ୍ୟାଟି ଲିଭର୍‌ ରୋଗରେ ପୀଡ଼ିତ ହୋଇପଡ଼ିଥିବା ଜଣା ପଡିଥିଲା । ତେବେ ତାଙ୍କ ଜୀବନ ବଞ୍ଚାଇବା ପାଇଁ ଲିଭର୍‌ ପ୍ରତିରୋପଣ କରିବାକୁ ପରାମର୍ଶ ଦିଆଯାଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ତାଙ୍କ ପତ୍ନୀ ଅନୀତା ବିଶ୍ୱାଳ ତାଙ୍କ ଯକୃତର କିଛି ଅଂଶ ପ୍ରଦାନ କରିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ । ମାତ୍ର ତାଙ୍କ ବ୍ଲଡ ଗ୍ରୁପ୍‌ ‘ବି’ ପଜିଟିଭ୍‌ ଥିବାରୁ ତାହା ଜୟନ୍ତଙ୍କ ‘ଏ’ ପଜିଟିଭ୍‌ ବ୍ଲଡ୍‌ ଗ୍ରୁପ୍‌ ସହିତ ମିଶି ନଥିଲା । ତେଣୁ ତାଙ୍କର ଏକ ମାତ୍ର ୧୯ ବର୍ଷୀୟ ପୁଅ ସୌମ୍ୟରଞ୍ଜନ ବିଶ୍ୱାଳ, ଯାହାଙ୍କର ବ୍ଲଡ ଗ୍ରୁପ୍‌ ‘ଓ’ ପଜିଟିଭ୍‌ ଏବଂ ଯାହା ଜୟନ୍ତଙ୍କ ବ୍ଲଡ ଗ୍ରୁପ୍‌ ସହ ମିଶିଲା । ପିତାଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଯକୃତର କିଛି ଅଂଶ ପ୍ରଦାନ କରିବାକୁ ନିଷ୍ପତି ନେଇଥିଲେ । ତାଙ୍କ ନିଷ୍ପତି ପରେ ସମ୍‌ ହସ୍ପଟାଲ୍‌ରେ ଗତ ୫ ତାରିଖରେ ଏହି ପ୍ରତିରୋପଣ କରାଯାଇଥିଲା ।

ସମ୍‌ ହସ୍ପିଟାଲ୍‌ରେ କରାଯାଇଥିବା ଏହି ଯକୃତ ପ୍ରତିରୋପଣରେ ଯଶୋଦା ହସ୍ପିଟାଲର ମୁଖ୍ୟ ଯକୃତ ପ୍ରତିରୋପଣ ସର୍ଜନ୍‌ ପ୍ରଫେସର ଡଃ ପି. ବାଲାଚନ୍ଦ୍ରନ୍‌ ମେନନ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପ୍ରତିରୋପଣ କରାଯାଇଥିବା ବେଳେ ତାଙ୍କୁ ଯଶୋଦା ହସ୍ପିଟାଲ୍‌ର ନିଶ୍ଚେତକ ଏବଂ ଇନଟେନସିଭ୍‌ କେୟାର୍‌ର ନିର୍ଦ୍ଦେଶେକ ଡଃ ଜି. ଭି. ପ୍ରେମ୍‌କୁମାର, ଆଇଏମ୍‌ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲର ପେଟ ଓ ଯକୃତ ବିଭାଗ ମୁଖ୍ୟ ପ୍ରଫେସର ସାହୁ ଏବଂ ଗ୍ୟାଷ୍ଟ୍ରୋସର୍ଜରୀ ବିଭାଗ ମୁଖ୍ୟ ପ୍ରଫେସର ଡଃ ପ୍ରେମାନନ୍ଦ ପଟ୍ଟନାୟକ ସହଯୋଗ କରିଥିଲେ ।

ଯଶୋଦା ହସ୍ପିଟାଲର ବରିଷ୍ଠ ଜେନେରାଲ ମ୍ୟାନେଜର ସନ୍ତୋଷ କୁମାର ସାହୁ, ଯଶୋଦା ହସ୍ପିଟାଲର ସର୍ଜନ୍‌ ଡାକ୍ତର କ୍ରିଷ୍ଣା ଚୈତନ୍ୟ ଏବଂ ନିଶ୍ଚେତକ ଡାକ୍ତର ଶକ୍ତି ସ୍ୱରୁପ, ସମ୍‌ ହସ୍ପିଟାଲ୍‌ ଆସୋସିଏଟ୍‌ ପ୍ରଫେସର ତଥା ଡାକ୍ତର ଦେବକାନ୍ତ ମିଶ୍ରଙ୍କ ସମେତ ସମ୍‌ ହସ୍ପଟାଲର ଗ୍ୟାଷ୍ଟ୍ରୋଇନ୍‌ଟେଷ୍ଟାଇନାଲ୍‌ ସର୍ଜରୀ ବିଭାଗ, କାର୍ଡିଓଲୋଜ, କ୍ରିଟିକାଲ୍‌ କେୟାର, ଆନେସ୍ଥେସିଆ, ନେଫ୍ରୋଲୋଜି, ନ୍ୟୁରୋଲୋଜି, କାର୍ଡିଓ ଥୋରାସିକ୍‌ ଆଣ୍ଡ ଭାସ୍କୁଲାର୍‌ ସର୍ଜରୀ, ହେମାଟୋଲୋଜି ଲ୍ୟାବ୍‌, ପାଥୋ ଲ୍ୟାବ୍‌, ବ୍ଲଡ୍‌ ବ୍ୟାଙ୍କ, ନର୍ସିଂ, ବାୟୋମେଡିକାଲ୍‌, ଡାଏଟିକ୍ସ ଏବଂ ସେଣ୍ଟ୍ରୋଲ୍‌ ଷ୍ଟେରାଇଲ୍‌ ଆଣ୍ଡ ସପ୍ଲାଇ ଡିପାର୍ଟମେଣ୍ଟଙ୍କୁ ନେଇ ଗଠିତ ଦଳର ସଦସ୍ୟମାନେ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.