ଓକିଲ ଆନ୍ଦୋଳନ ଯୋଗୁଁ ବେଲ୍ ନାହିଁ : ମାସ ମାସ ଧରି ଜେଲରେ ସଢୁଛନ୍ତି ଶହ ଶହ ମତ୍ସ୍ୟଜୀବୀ, ହନ୍ତସନ୍ତ ହେଉଛନ୍ତି ପରିବାର

Published By : Prameya-News7 Bureau | October 27, 2018 IST

ଭୁବନେଶ୍ବର୨୭|୧୦: ଓକିଲଙ୍କ ଆନ୍ଦୋଳନ ଯୋଗୁଁ  ରାଜ୍ୟରେ ଆଇନ ବ୍ୟବସ୍ଥାରେ ଅଚଳାବସ୍ଥା । ଏହି ସ୍ଥିତି ଲାଗି ଅନେକ ପରିବାର ଏବେ ଦୁର୍ଦ୍ଦଶାରେ । ଜେଲର ଚାରିକାନ୍ଥରେ ଅଟକି ଯାଇଛନ୍ତି ଅନେକ । ଓକିଲଙ୍କ ଦୀର୍ଘ ଦିନର ଆନ୍ଦୋଳନ କିଛି ଏମିତି ଦୁଃଖ ନେଇ ଆସିଛି ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ାର ୩୦୦ରୁ ଅଧିକ ମତ୍ସ୍ୟଜୀବୀଙ୍କ ଲାଗି ମଧ୍ୟ । ବେଲ୍ ନାହିଁ । ମାସ ମାସ ଧରି ଜେଲରେ ସଢୁଛନ୍ତି ଶହ ଶହ ମତ୍ସ୍ୟଜୀବୀ । ଗଲା ୩ ମାସ ମଧ୍ୟରେ ଗହୀରମଥା ନିକଟବର୍ତ୍ତୀ ଅଞ୍ଚଳରୁ ୩୦୦ରୁ ଅଧିକ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି । ନିଷେଧ ଅଞ୍ଚଳକୁ ପ୍ରବେଶ କରିଥିବା ଅଭିଯୋଗ ରହିଛି ଏମାନଙ୍କ ନାଁରେ । ହେଲେ ଏଥିଲାଗି କିନ୍ତୁ ଜାମିନ ଲାଗି ଆବେଦନ କରିପାରୁ ନାହାନ୍ତି ଏହି ମତ୍ସ୍ୟଜୀବୀମାନେ। ହାଇକୋର୍ଟ ଆଇନଜୀବୀଙ୍କ ଆନ୍ଦୋଳନକୁ ସମର୍ଥନରେ କେନ୍ଦ୍ରାପଡ଼ା କୋର୍ଟକଚେରୀ ବି ବନ୍ଦ । ପ୍ରତିଦିନି ମାଛ ମାରିଲେ ଘର ଚଳୁଥିବା ଏହି ପରିବାରଙ୍କ ଦୁଃଖ ଏବେ କହିଲେ ନ ସରେ । ଆଉ ସେମାନଙ୍କ ଦୁଃଖ ନେଇ ଜଙ୍ଗଲ ଓ ପରିବେଶ ବିଭାଗର ବଡ଼ ବଡ଼ ବାବୁଙ୍କୁ ଅଭିଯୋଗ କରିବାକୁ ଆସିଥିଲେ ମତ୍ସ୍ୟଜୀବୀ ସଂଘ । ହେଲେ ବିଭାଗ ବି କୋର୍ଟ ବନ୍ଦ ଥିବାରୁ ନିଜର ଅସହାୟତା ବ୍ୟକ୍ତ କରିଛି । ସେପଟେ ମତ୍ସ୍ୟଜୀବୀଙ୍କ ଗିରଫଦାରୀ ଲାଗି ଜଙ୍ଗଲ ଓ ପରିବେଶ ବିଭାଗକୁ ଦାୟୀ କରିଛି ସଂଘ । ଜଳପଥରେ ନିଷେଧାଞ୍ଚଳ ନେଇ ସ୍ପଷ୍ଟ ଡିମାର୍କେସନ କରାଯାଇ ନ ଥିବା ସଂଘ ଅଭିଯୋଗ କରିଛି । ଫଳରେ ଅଜାଣତରେ ଅନେକ ମତ୍ସ୍ୟଜୀବୀ ଏହି ଅଞ୍ଚଳକୁ ପ୍ରବେଶ କରୁଥିବା ସଂଘ କହିଛି । ବିଭାଗ ଏ ଦିଗରେ ଉଚିତ୍ ପଦକ୍ଷେପ ନେବାକୁ ଦାବି ହୋଇଛି । ଏହା ସହ ମତ୍ସ୍ୟଜୀବୀଙ୍କ ପରିବାରର ଦୁର୍ଦ୍ଦଶା ଲାଗି ଓକିଲମାନେ ଆନ୍ଦୋଳନରୁ ଓହରିବାକୁ ସଂଘ ନିବେଦନ କରିଛି । ଓକିଲଙ୍କ ଆନ୍ଦୋଳନ ଲାଗି ମାସ ମାସ ଧରି ରାଜ୍ୟରେ ଅଚଳ ହୋଇ ଯାଇଛି ଆଇନ ବ୍ୟବସ୍ଥା । ଆଇନର ଦୋଛକିରେ ଜେଲର ଚାରିକାନ୍ଥରେ ଅଟକି ଯାଇଥିବା ମଣିଷର ବାହାରକୁ ବାହାରିବା ବାଟ ବି ବନ୍ଦ ହୋଇ ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.