ଧରାହେଲା କିନ୍ତୁ ବିକ୍ରି ହୋଇପାରୁନି, ନଦୀରେ ବନ୍ଧା ହୋଇଛି ୩୦ କେଜିଆ କଳା ସାରଣ୍ଟ ମାଛ
30/06/2023 at 3:02 PM

ଭଦ୍ରକ ୩୦।୬: ମାଛ ଧରାପଡିଲା, କିନ୍ତୁ ବିକ୍ରି ହୋଇ ପାରୁନାହିଁ । କାରଣ ଏତେ ବଡ଼ ମାଛ ନେବାକୁ ଗ୍ରାହକ ମଧ୍ୟ ନାହାନ୍ତି । ସେଥିପାଇଁ ନଦୀ ଭିତରେ ମାଛକୁ ଦଉଡିରେ ବାନ୍ଧି ରଖାଯାଇଛି । ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବା ପାଇଁ ମିଳିଛି ଭଦ୍ରକ ଜିଲ୍ଲାରେ ।
ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ସୋହଡା ପଞ୍ଚାୟତ ପିତେଇପୁର ସ୍ଥିତ ବୈତରଣୀ ନଦୀରୁ ପ୍ରାୟ ୩୦ କିଲୋ ଓଜନର ଏକ ସାରଣ୍ଟ ମାଛ ଧରାଯାଇଛି । ବର୍ଷା ଯୋଗୁଁ ନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ସ୍ଥାନୀୟ ଧୀବର ମାଛ ଧରୁଥିଲେ । ସନ୍ଧ୍ୟା ସମୟରେ ସ୍ଥାନୀୟ ଅଞ୍ଚଳର ଅଶୋକ ତରାଇ ନଦୀରେ ଜାଲ ଟାଣୁଥିବା ବେଳେ ଏହି ମାଛ ଧରାପଡିଥିଲା । ଏହି ମାଛର ଲମ୍ବ ପ୍ରାୟ ୫ ଫୁଟ । ଏହି ମାଛ ଦେଖିବା ପାଇଁ ବହୁ ଲୋକଙ୍କ ଭିଡ ହୋଇଛି । ଅଶୋକ ମାଛଟିକୁ ରଶିରେ ବାନ୍ଧି ନଦୀରେ ରଖୁଛନ୍ତି । ତେବେ ଏହି ମାଛ ବିଶେଷ କରି ପାହାଡିଆ ଅଞ୍ଚଳରେ ରହିଥାନ୍ତି । ମାଛଟି ହୁଣ୍ଡା ପ୍ରଜାତିର । ତେଣୁ ଏହାକୁ ଧରିବାକୁ ସହଜ ହୋଇଥାଏ ବୋଲି ମସ୍ୟଜୀବୀ କହିଛନ୍ତି । ତେବେ ଏହି ମାଛର ଓଜନ ୨୫ ରୁ୩୦ କିଲୋ ହେବ ବୋଲି ଅନୁମାନ କରାଯାଉଛି । ପ୍ରାୟ ୫ ରୁ ୭ ବର୍ଷ ହେବ ଏହି ମାଛର ବୟସ । ତେବେ ଏହି ମାଛଟି କଣ୍ଟିଆ ପ୍ରଜାତିର ମାଛ ଭଳି ଦେଖିବାକୁ । କିନ୍ତୁ ମାଛ ବିକ୍ରି ହୋଇପାରୁ ନଥିବାରୁ ଏହାକୁ ନଦୀରେ ଦଉଡି ସାହାଯ୍ୟରେ ବାନ୍ଧି ରଖାଯାଇଛି ।
You Can Read :