ମୁମ୍ଵାଇ ୧୦।୦୬: ପ୍ରଥମ ଥର ପାଇଁ ସଲମାନ ଖାନ ଓରଫ୍ ସଲ୍ଲୁଙ୍କ ନାୟିକା ଭାବେ ନଜର ଆସିବେ ଦକ୍ଷିଣୀ ସୁନ୍ଦରୀ ରଶ୍ମିକା ମନ୍ଦାନା । ଅପ୍କମିଂ ଫିଲ୍ମ ‘ସିକନ୍ଦର’ରେ ରଶ୍ମିକା ସଲ୍ମାନଙ୍କ ବିପକ୍ଷରେ ଅଭିନୟ କରିବେ । ଏଥିପାଇଁ ଉଭୟ ସଲମାନ ଓ ରଶ୍ମିକା ଏହାରି ମଧ୍ୟରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସଲମାନ ଏ ଫିଲ୍ମରେ ଭରପୂର ଆକ୍ସନ କରୁଥିବା ଦର୍ଶକ ଦେଖିବେ । ସୂଚନାଯୋଗ୍ୟ, ବି-ଟାଉନର ଦବଙ୍ଗ ସଲ୍ମାନ ପ୍ରତ୍ୟେକ ବର୍ଷ ଇଦ୍ ଅବସରରେ ସିନେପ୍ରେମୀଙ୍କୁ ଫିଲ୍ମଟିଏ ଭେଟି ଦେଇଥାନ୍ତି । କିନ୍ତୁ ଚଳିତ ବର୍ଷ ଇଦ୍ରେ ତାଙ୍କର କୌଣସି ଫିଲ୍ମ ରିଲିଜ୍ ହୋଇନଥିଲା।
ତେବେ ଫିଲ୍ମ ଭେଟି ଦେଇନଥିଲେ ହେଁ ଇଦ୍ ଅବସରରେ ଅପ୍କମିଂ ଫିଲ୍ମ ‘ସିକନ୍ଦର’ ସମ୍ପର୍କରେ ଘୋଷଣା କରି ପ୍ରଶଂସକଙ୍କୁ ଖୁସି କରିଦେଇଥିଲେ ସେ । ସାଜିଦ ନାଡିଆଦୱାଲାଙ୍କ ଏ ଫିଲ୍ମ ଆସନ୍ତା ବର୍ଷ ଇଦ୍ରେ ସିନେମାଘରକୁ ଆସିବ । ଅନ୍ୟପକ୍ଷରେ ‘ସିକନ୍ଦର’ ସମ୍ପର୍କିତ ଘୋଷଣା ପରଠୁ ସିନେପ୍ରେମୀଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳିଛି । କିଛି ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏ ଫିଲ୍ମର ସୁଟିଂ ପାଇଁ ପ୍ରସ୍ତୁତି ଚାଲିଛି । ପ୍ରି-ପ୍ରଡକ୍ସନ କାମ ଆରମ୍ଭ ହୋଇଗଲାଣି ଗତ ସପ୍ତାହରୁ । ମୁମ୍ବାଇରେ ଫିଲ୍ମର ପ୍ରଥମ ପର୍ଯ୍ୟାୟ ସୁଟିଂ ହେବ ।
ସୁଟିଂ ପୂର୍ବରୁ ଏକ ଫଟୋ ସୁଟ୍ ଆରମ୍ଭ ହେବ । ମେ ମାସ ଶେଷରେ ଗୋଟିଏ ଫଟୋସୁଟ୍ ସରିଛି ଓ ଜୁନ୍ ୨୦ ପରେ ମୁଖ୍ୟ ଫଟୋଗ୍ରାଫି ଆରମ୍ଭ ହେବ । ଫିଲ୍ମରେ ବେଶ୍ କେତୋଟି ଆକ୍ସନ ଦୃଶ୍ୟ ରହିଥିବାରୁ ଏସବୁ ସିକ୍ୱେନ୍ସ ପାଇଁ ସଲ୍ମାନ ବର୍ତ୍ତମାନ ଜିମ୍ରେ କଠୋର ବ୍ୟାୟାମ କରୁଛନ୍ତି । ସେ ନିଜେ ଏସବୁ ଆକ୍ସନ କରିବାକୁ ଥିବାରୁ ସେହି ଅନୁସାରେ ନିଜର ରୁଟିନ୍ ମଧ୍ୟ ବଦଳାଇଛନ୍ତି । ମୁମ୍ବାଇ ପରେ ହାଇଦ୍ରାବାଦ ଓ ପଛକୁ ପଛ ବିଦେଶରେ ମଧ୍ୟ ଫିଲ୍ମର କିଛି ଅଂଶ ସୁଟିଂ ହେବ ବୋଲି ଜଣାପଡ଼ିଛି