ଜୁନ୍‌ ୧୮ରୁ ଲୋକସଭାର ପ୍ରଥମ ଅଧିବେଶନ; ୧୦ ବର୍ଷ ପରେ ସଂସଦରେ ବିରୋଧୀ ସଶକ୍ତ

Published By : Prameya-News7 Bureau | June 11, 2024 IST

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ଶେଷ ହୋଇଥିବା ବେଳେ ଏନଡିଏ ମେଣ୍ଟ ସରକାର ଗଠନ କରିଛି । ନରେନ୍ଦ୍ର ମୋଦି ଲଗାତାରର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ତେବେ ୧୮ତମ ଲୋକସଭାର ପ୍ରଥମ ଅଧିବେଶନ ଆସନ୍ତା ଜୁନ୍ ୧୮ ତାରିଖରୁ ଆରମ୍ଭ ହେବ । ଅଧିବେଶନ ପ୍ରାରମ୍ଭରୁ ନବନିର୍ବାଚିତ ସାଂସଦମନଙ୍କ ଶପଥ ଗ୍ରହଣ ହେବ । ପ୍ରଥମ ଦୁଇ ଦିନ ଭିତରେ ପ୍ରୋଟମ୍ ସ୍ପିକର ସମସ୍ତ ୫୪୩ ସଂସାଦଙ୍କୁ ଶପଥ ଦେବେ ଏବଂ ପରେ ଅର୍ଥାତ୍ ଜୁନ୍ ୨୦ ତାରିଖରେ ଲୋକସଭା ବାଚସ୍ପତି ନିର୍ବାଚନ ହେବ । ଜୁନ୍ ୨୧ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ସଂଯୁକ୍ତ ଅଧିବେଶନକୁ ସମ୍ବୋଧିତ କରିବେ । ମାତ୍ର ବର୍ତ୍ତମାନ ସୁଦ୍ଧା ଏହି କାର୍ଯ୍ୟକ୍ରମର କୌଣସି ସରକାରୀ ଘୋଷଣା ହୋଇନାହିଁ । 

ଏପଟେ ପ୍ରାୟ ୧୦ ବର୍ଷ ପରେ ସଂସଦରେ ବିରୋଧ ସଶକ୍ତ ହୋଇଛନ୍ତି । ତେଣୁ ବିରୋଧୀଙ୍କ ପ୍ରତିନିଧିତ୍ବ ଉପରେ ସମସ୍ତଙ୍କ ନଜର ରହିବ । ମୋଦିଙ୍କ ତୃତୀୟ ପାଳିରେ ପ୍ରଥମ ଥର ପାଇଁ ପ୍ରତିପକ୍ଷ ନେତାଙ୍କୁ ସଂସଦରେ ପଦ ମିଳିବାକୁ ଯାଉଛି । ସେପଟେ ଏନଡିଏ ମେଣ୍ଟ ସରକାର ଗଠନ କରିଥିଲା ମଧ୍ୟରେ ବାଚସ୍ପତି ପଦ ବିଜେପି ନିଜ ପାଖରେ ରଖିବ । ହେଲେ କିଏ ଲୋକସଭା ସ୍ପିକର ତାକୁ ନେଇ ସ୍‌ସପେନ୍ସ ଜାରି ରହିଛି । ଓମ୍ ବିର୍ଲା ବିଜେପିର ବିଶ୍ବାସ ଭାଜନ ହେବେ ନା ବାଚସ୍ପତି ପଦ ପାଇଁ ନୂଆ ଚେହେରା ଖୋଜିବ ଦଳ । ତେବେ ମୋଦିଙ୍କ ପ୍ରଥମ କାର୍ଯ୍ୟକାଳରେ ସୁମିତ୍ରା ମହାଜନ ଏବଂ ଦ୍ବିତୀୟ କାର୍ଯ୍ୟକାଳରେ ଓମ୍ ବିର୍ଲା ବାଚସ୍ପତି ଦାୟିତ୍ବ ସମ୍ଭାଳିଥିଲେ । ତୃତୀୟ ପାଳିରେ କିଏ ହେବେ ଚର୍ଚ୍ଚା ଜାରି ରହିଥିବା ବେଳେ ଓଡ଼ିଶାରୁ ଭର୍ତ୍ତୃହରି ମହାତାବଙ୍କୁ ଏହି ପଦ ମିଳିବ ବୋଲି କୁହାଯାଉଛି । ସେହିପରି ଡେପୁଟି ସ୍ପକର ପଦ ବିଜେପି ନିଜର ସହଯୋଗୀ ଦଳକୁ ଦେଇ ପାରେ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.