ମୋହନ ସରକାରରେ ସଚିବ ସ୍ତରରେ ପ୍ରଥମ ଅଦଳ ବଦଳ, ହଟିଲେ ଭିନିଲ, ଜି.ମାଥିଭାତନନ ଓ ବିଶାଳ ଦେବ

Published By : Prameya-News7 Bureau | July 10, 2024 IST

ଭୁବନେଶ୍ଵର: ସରକାର ଗଠନ କରିବା ପରେ ପ୍ରଥମ ଥର ସଚିବ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ମୋହନ ମାଝୀ ସରକାର। ଏଥିରେ ଆଇଏଏସ୍ ଜି.ମାଥିଭାଥାନନ୍‌, ବିଶାଳ ଦେବ ଓ ଆର.ଭିନିଲକ୍ରିଷ୍ଣାଙ୍କୁ ଝଟକା ଲାଗିଛି ।

ବିଜ୍ଞପ୍ତି ଅନୁଯାୟୀ,  କ୍ରୀଡ଼ା ସଚିବ ପଦରୁ ହଟିଲେ ୨୦୦୫ ବ୍ୟାଚର ଆଇଏଏସ ଭିନିଲ କ୍ରିଷ୍ଣା। ତାଙ୍କ ସ୍ଥାନରେ ୧୯୯୯ ବ୍ୟାଚ୍ ଆଇଏଏସ୍ ଭାସ୍କର ଜ୍ୟୋତି ଶର୍ମାଙ୍କୁ କ୍ରୀଡ଼ା ବିଭାଗର ସଚିବ ଭାବେ ଅବସ୍ଥାପିତ କରାଯାଇଛି। ଭିନିଲ କ୍ରିଷ୍ଣାଙ୍କୁ ଭୂମି ଅଭିଲେଖ ଓ ବନ୍ଦୋବସ୍ତ କମିଶନର ଦାୟିତ୍ଵ ଦିଆଯାଇଛି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବୁଧବାର ବିଜ୍ଞପ୍ତି ଜାରି କରାଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ୧୯୯୩ ବ୍ୟାଚର ଆଇଏଏସ ନିକୁଞ୍ଜ ବିହାରୀ ଧଳଙ୍କୁ ଅତିରିକ୍ତ ଭାବେ ଇଡକୋର ଅଧ୍ୟକ୍ଷ ଦାୟିତ୍ଵ ଦିଆଯାଇଛି। ସେହିପରି ଇଡକୋ ଚେୟାରମ୍ୟାନ ପଦରୁ ହେମନ୍ତ ଶର୍ମା ହଟିଛନ୍ତି।  ସେହିପରି ଦୀର୍ଘ ବର୍ଷ ପରେ ସଂସଦୀୟ ସଚିବ ପଦରୁ ଜି ମାଥିଭାତନନ୍‌ଙ୍କ ବଦଳି ହୋଇଛି। ୧୯୯୪ ବ୍ୟାଚର ମାଥିଭାତନନଙ୍କୁ ଗୋପବନ୍ଧୁ ଏକାଡେମୀର ଟ୍ରେନିଂ କୋର୍ଡିନେସନ ଡିଜି ଦାୟିତ୍ଵ  ମିଳିଛି। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟସଚିବ ୧୯୯୩ ବ୍ୟାଚର ଆଇଏଏସ ସୁରେନ୍ଦ୍ର କୁମାରଙ୍କୁ ସଂସଦୀୟ ବ୍ୟାପାର ସଚିବ ଭାବେ ଅତିରିକ୍ତ ଦାୟିତ୍ଵ ଦିଆଯାଇଛି। ସେ ଗତ ୨୦୨୧ ଜୁଲାଇ ମାସରୁ ଏହି ଦୁଇଟି ବିଭାଗ ଦାୟିତ୍ୱରେ ଅଛନ୍ତି ।

୧୯୯୬ ବ୍ୟାଚ୍ ବିଶାଳ ଦେବଙ୍କୁ ଶକ୍ତି ବିଭାଗରୁ ବାଦ୍ ଦିଆଯାଇ ଇ ଏବଂ ଅଇଟି ବିଭାଗ ପ୍ରମୁଖ ସଚିବ ପଦରେ ଅବସ୍ଥାପିତ କରାଯାଇଛି। ଏଥିସହ ତାଙ୍କୁ ଓଏଫଡିସି ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ଵ ମିଳିଛି। ସେହି ପରି ଅର୍ଥ ଓ ଶକ୍ତି ବିଭାଗ ପ୍ରମୁଖ ସଚିବ ଭାବେ ୧୯୯୬ ବ୍ୟାଚ୍ ଆଇଏଏସ୍ ତଥା ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ଵତ ମିଶ୍ରଙ୍କୁ ଅତିରିକ୍ତ ଦାୟିତ୍ଵ ପ୍ରଦାନ କରାଯାଇଛି। 

୧୯୯୬ ବ୍ୟାଚ୍ ଆଇଏଏସ୍ ଉଷା ପାଢ଼ୀଙ୍କୁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ ହୋଇଛି । ଶ୍ରୀମତୀ ପାଢ଼ୀ ପୂର୍ବଭଳି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ତୁଲାଇବେ ।

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.