ସୋମବାର ଭୋଟ୍ ଦେବ ଓଡ଼ିଶା; ୪ ଲୋକସଭା ଓ ୨୮ ବିଧାନସଭାରେ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

Published By : Prameya-News7 Bureau | May 12, 2024 IST

ଭୁବନେଶ୍ୱର,୧୨/୦୫: ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ସୋମବାର ଅର୍ଥାତ୍ ଆସନ୍ତାକାଲି ଭୋଟ୍ ଦେବ ଓଡ଼ିଶା । ଏନେଇ ମତଦାନର ୪୮ଘଣ୍ଟା ଆଗରୁ ପ୍ରଚାର ଥମିଛି । କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ଓ ଏହା ଅଧୀନରେ ଥିବା ୨୮ଟି ବିଧାନସଭା  ଆସନରେ ମତଦାତା ପ୍ରାର୍ଥୀଙ୍କ ଭାଗ୍ୟ ଭୁବନେଶ୍ୱର,୧୨/୦୫: ପ୍ରଚାରରେ ତାଲା ପଡ଼ିଲା । ଆସନ୍ତା ସୋମବାର  (୧୩ ତାରିଖ) ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ । କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଲୋକସଭା ଓ ଏହା ଅଧୀନରେ ଥିବା ୨୮ଟି ବିଧାନସଭା  ଆସନରେ ମତଦାତା ପ୍ରାର୍ଥୀଙ୍କ ଭାଗ୍ୟ ଲେଖିବେ । 

ଚାରି ଲୋକସଭା ଆସନ ପାଇଁ ଲଢ଼େଇରେ ଅଛନ୍ତି ୩୭ ପ୍ରାର୍ଥୀ  । ୨୮ ବିଧାନସଭା କ୍ଷେତ୍ରରେ ୨୪୩ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରିବେ । ଭୋଟ୍ ଦେବେ ମୋଟ୍ ୬୨ ଲକ୍ଷ ୮୭ ହଜାର ଭୋଟର । ୨୦୧୯  ନିର୍ବାଚନରେ ଏହି ପର୍ଯ୍ୟାୟରେ ବିଜେଡି ଦୁଇଟି ଲୋକସଭା ଓ ୨୦ଟି ବିଧାନସଭା ଦଖଲ କରିଥିଲା । ବିଜେପି ଗୋଟିଏ ଲୋକସଭା ଓ ୪ଟି ବିଧାନସଭାରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ଗୋଟିଏ ଲୋକସଭା ଓ ୩ଟି ବିଧାନସଭା ଜିତିଥିଲା । ଜଣେ ସ୍ୱାଧୀନ ପ୍ରାର୍ଥୀ ରାୟଗଡ଼ା ବିଧାନସଭା ଆସନରେ ବିଜୟୀ ହୋଇଥିଲେ । 

ଶନିବାର ସଂଧ୍ୟାରେ ପ୍ରଚାର ସରିବା ପରେ ବାହାରୁ ଆସିଥିବା ନେତାଙ୍କୁ ଅଞ୍ଚଳ ଛାଡ଼ିବାକୁ ନିର୍ବାଚନ ଅଧିକାରୀ କହିଛନ୍ତି । ପ୍ରତ୍ୟକ୍ଷ ପ୍ରଚାର ଛାଡ଼ି ନେତାଏ ଲାଗିପଡ଼ିଛନ୍ତି ଲୁଚାଛପା ପ୍ରଚାରରେ । ଅନ୍ଧାରି ବିଜେ ବି ଆରମ୍ଭ ହୋଇ ଯାଇଛି । ଭୋଟକୁ ଯିବ କଳାହାଣ୍ଡି ଲୋକସଭା ସହ ଭବାନିପାଟଣା, ଲାଞ୍ଜିଗଡ଼, ଧର୍ମଗଡ଼, ନର୍ଲା, ଜୁନାଗଡ଼, ନୂଆପଡ଼ା ଓ ଖରିଆର୍‌ ବିଧାନସଭା କ୍ଷେତ୍ର । ନବରଙ୍ଗପୁର ଲୋକସଭାରେ ନବରଙ୍ଗପୁର, ଉମରକୋଟ, ଡାବୁଗାଁ, ଝରିଗାଁ, କୋଟପାଡ଼, ମାଲକାନଗିରି ଓ ଚିତ୍ରକୋଣ୍ଡା ବିଧାନସଭା ଆସନ, କୋରାପୁଟ ଲୋକସଭା ସହ ଜୟପୁର, ଲକ୍ଷ୍ମୀପୁର, ପଟାଙ୍ଗୀ, କୋରାପୁଟ, ରାୟଗଡ଼ା, ବିଷମ କଟକ ଓ ଗୁଣପୁର ବିଧାନସଭାରେ ଭୋଟ ଗ୍ରହଣ ହେବ । ସେହିପରି ବ୍ରହ୍ମପୁର ଲୋକସଭା ସହ ବ୍ରହ୍ମପୁର, ଗୋପାଳପୁର, ଛତ୍ରପୁର, ଦିଗପହଣ୍ଡି, ଚିକିଟି, ପାରଳାଖେମୁଣ୍ଡି ଓ ମୋହନା ବିଧାସଭା କ୍ଷେତ୍ରରେ ମତଦାନ ହେବ । ନିର୍ବାଚନ କମିଶନରଙ୍କ ସୂଚନା ଅନୁଯାୟୀ, ୧୨୬୪ଟି ବୁଥ୍‌କୁ ସମ୍ବେଦନଶୀଳ ବୁଥ୍‌ ଭାବେ ଚିହ୍ନଟ କରାଯାଇଛି । ମାଓ ପ୍ରବଣ ଇଲାକାରେ ସକାଳ ୭ରୁ ମତଦାନ ଆରମ୍ଭ କରି ଅପରାହ୍ନ ୪ଟା ମଧ୍ୟରେ ଶେଷ ହେବ ।

 ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ କହିଛନ୍ତି, ପ୍ରଥମ ପର୍ଯ୍ୟାୟ ମୋଟ୍ ୬୨ ଲକ୍ଷ ୮୭ ହଜାର ୨୨୨ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରୁ ୩୦ ଲକ୍ଷ ୯୭ ହଜାର ୫୨୭ଜଣ ପୁରୁଷ, ୩୧ ଲକ୍ଷ ୮୯ ହଜାର ୬୦ ମହିଳା ଓ ୬୩୫ ତୃତୀୟ ଲିଙ୍ଗୀ ଭୋଟର୍‌ ରହିଛନ୍ତି । ପୁରୁଷ ଭୋଟରଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି । 

ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ମୋଟ୍ ୭୨୮୯ଟି ମତଦାନ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର କରଯାଇଛି । ଏହି ପର୍ଯ୍ୟାୟରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ସବୁଠୁ ସାନ ହୋଇଥିବା ବେଳେ କୋରାପୁଟ ସବୁଠାରୁ ବଡ଼ ସଂସଦୀୟ କ୍ଷେତ୍ର ରହିଛି । ବିଧାନସଭା କ୍ଷେତ୍ରମାନଙ୍କ ମଧ୍ୟରେ ବ୍ରହ୍ମପୁର ସବୁଠାରୁ ସାନ ଓ ମାନକାନଗିରି ସବୁଠାରୁ ବଡ଼ ସଂସଦୀୟ କ୍ଷେତ୍ର । ୪ଟି ଲୋକସଭା କ୍ଷେତ୍ରରେ ମୋଟ ୩୯ ହଜାର ୯୯୫ ଜଣ ୮୫ ବର୍ଷରୁ ଅଧିକ ବୟସର  ମତଦାତା, ୧୨୯୪ ଜଣ ୧୦୦ ବର୍ଷ ବୟସରୁ ଅଧିକ ମତଦାତା, ୩୧ ଜଣ ପ୍ରବାସୀ ମତଦାତା ଓ ୬୨୯୬ ଜଣ ସର୍ଭିସ୍‌ ଭୋଟର ରହିଛନ୍ତି  ।  

ଏହି ପର୍ଯ୍ୟାୟରେ ମୋଟ୍ ୬୬୨ଟି ଆଦର୍ଶ ମତଦାନ କେନ୍ଦ୍ର ବା ମଡ଼େଲ୍‌ ବୁଥ୍‌ ରହିଛି । ଏହି ପର୍ଯ୍ୟାୟରେ ପ୍ରାୟ ୫୩ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି ।  ମୋଟ୍ ୭,୩୦୩ଟି ବୁଥ୍‌ ମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ବୁଥରେ ୱେବକାଷ୍ଟିଂ କରାଯିବ । ୪ଟି ଯାକ ସଂସଦୀୟ କ୍ଷେତ୍ର ପାଇଁ ମୋଟ୍ ୩୭ଜଣ ପ୍ରାର୍ଥୀ ରହିଛନ୍ତି । ସେମାନଙ୍କ ମଧ୍ୟରୁ ୩୦ଜଣ ପୁରୁଷ ଓ ୭ ମହିଳା ପ୍ରାର୍ଥୀ । ବିଧାନସଭା କ୍ଷେତ୍ରରେ ୨୯ ମହିଳା ପ୍ରାର୍ଥୀ ଅଛନ୍ତି । 

ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୭୫ ହଜାର ୧୩୪ ଜଣ ପ୍ରଥମ ଥର ଭୋଟ୍‌ ଦେବେ । ଏମାନଙ୍କ ବୟସ ୧୮ରୁ ୧୯ ବର୍ଷ । ସେହିପରି ୨୦-୨୯ ବର୍ଷ ବୟସର ୧୪ ଲକ୍ଷ ୬୮ ହଜାର ୫୦୪ ଯୁବ ମତଦାତା ଅଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ସଂସଦୀୟ କ୍ଷେତ୍ର ପାଇଁ ମୋଟ ୯,୧୫୫ଟି ବାଲାଟ୍‌ ୟୁନିଟ୍‌ ଲାଗିବ । ଏହା ସହିତ ୯,୫୦୭ଟି କଣ୍ଟ୍ରୋଲ ୟୁନିଟ୍‌ ଓ ୯,୯୮୮ଟି ଭିଭିପାଟ ଲାଗିଛି । ବିଧାନସଭା କ୍ଷେତ୍ର ମତଦାନ ପାଇଁ ୯,୩୮୪ଟି ବାଲାଟ ୟୁନିଟ୍‌, ୯,୫୩୨ଟି କଣ୍ଟ୍ରୋଲ ୟୁନିଟ୍‌ ଓ ୯୯୫୭ଟି ଭିଭିପାଟ୍‌ କମିଶନ୍‌ ହୋଇଛି । ମୋଟ ୧୮୫୩୯ ବାଲାଟ୍‌ ୟୁନିଟ୍‌ ପ୍ରସ୍ତୁତ ହୋଇ ରହିଛି । ସେହିପରି ମୋଟି ୧୯୦୩୯ କଣ୍ଟ୍ରୋଲ ୟୁନିଟ୍‌, ମୋଟ୍ ୧୯୯୪୫ ଭିଭିପାଟ୍‌ ୟୁନିଟ୍‌ ରହିଛି ।

ଏହି ପର୍ଯ୍ୟାୟ ନିର୍ବାଚନ ପାଇଁ ମୋଟ୍ ୨୩ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ସେଥି ମଧ୍ୟରୁ ୮ ସାଧାରଣ ପର୍ଯ୍ୟବେକ୍ଷକ, ୩ ପୁଲିସ ପର୍ଯ୍ୟବେକ୍ଷକ ଓ ୪ ଲୋକସଭା ବ୍ୟୟ ପର୍ଯ୍ୟବେକ୍ଷକ, ୮ ବିଧାନସଭା ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି ।   

ଶାନ୍ତି, ଶୃଙ୍ଖଳା ରକ୍ଷା ପାଇଁ ୧୦୪  କେନ୍ଦ୍ରୀୟ ସଶସ୍ତ୍ର ବାହିନୀ(ସିଏପିଏଫ୍‌) ନିୟାଜିତ କରାଯାଇଛି । ଏହା ବ୍ୟତୀତ ରାଜ୍ୟ ସରକାରଙ୍କ ପକ୍ଷରୁ ପୁଲିସ ବ୍ୟବସ୍ଥା ବାବଦରେ ଡିଜି ପଦକ୍ଷେପ ନେବେ ବୋଲି ସିଇଓ କହିଛନ୍ତି । ମତଦାନ କେନ୍ଦ୍ରଗୁଡିକରେ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ଭୋଟରଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେମାନଙ୍କ ସହାୟତା ପାଇଁ ସ୍ୱେଚ୍ଛାସେବୀ ନିୟୋଜିତ କରାଯାଇଛି । ହ୍ୱିଲ୍‌ ଚେୟାର୍‌ ରହିଛି । ସେମାନଙ୍କ ଯିବା ଆସିବା ପାଇଁ ମାଗଣା ଯାନର ବ୍ୟବସ୍ଥା କରାଯାଇଛି । । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.