୨୦୦ ବିଲିୟନ ଡଲାର ହରାଇବାରେ ମାନବ ଇତିହାସର ପ୍ରଥମ ବ୍ୟକ୍ତି ଏଲନ ମସ୍କ
31/12/2022 at 3:40 PM

ସାନଫ୍ରାନସିସ୍କୋ ୩୧।୧୨: ବ୍ଲୁମବର୍ଗ ବିଲିୟନେୟର ଇଣ୍ଡେକ୍ସ ଅନୁସାରେ ଟ୍ୱିଟରର ନୂଆ ମାଲିକ ଏଲନ ମସ୍କ ମାନବ ଇତିହାସରେ ପ୍ରଥମ ବ୍ୟକ୍ତି ପାଲଟିଛନ୍ତି ଯିଏ ବର୍ଷକରେ ତାଙ୍କ ନେଟୱର୍ଥରୁ ୨୦୦ ବିଲିୟନ ଡଲାର ହରାଇଛନ୍ତି। ଆମାଜନର ଜେଫ ବେଜୋସଙ୍କ ପରେ ମସ୍କ ୨୦୦ ବିଲିୟନ ଡଲାରରୁ ଅଧିକ ‘ପର୍ସନାଲ ଫର୍ଚ୍ୟୁନ’ ହାସଲ କରିବାରେ ଦ୍ୱିତୀୟ ବ୍ୟକ୍ତି ଥିଲେ। ଏହି ଗୌରବ ସେ ଜାନୁୟାରୀ ୨୦୨୧ରେ ହାସଲ କରିଥିଲେ।
ଗତ କିଛି ସପ୍ତାହରେ ଟେସ୍ଲା ସେୟାର ମୂଲ୍ୟ ହ୍ରାସ ଯୋଗୁ ଏଲନ ମସ୍କଙ୍କ ସମ୍ପତ୍ତି ୧୩୭ ବିଲିୟନ ଡଲାରକୁ ହ୍ରାସ ହୋଇଛି। ଏଥିରେ ଡିସେମ୍ବର ୨୭ ତାରିଖ ଦିନ ଟେସ୍ଲା ସେୟାର ମୂଲ୍ୟରେ ୧୧ ପ୍ରତିଶତର ଭାରି ହ୍ରାସ ନେଟୱର୍ଥ ହ୍ରାସର କାରଣ ପାଲଟିଛି। ଟେସ୍ଲା ଏବେ ଆମେରିକାରେ ଉପଭୋକ୍ତାଙ୍କୁ ବର୍ଷ ଶେଷ ପୂର୍ବରୁ ତାଙ୍କର ଦୁଇ ହାଇ ଭଲ୍ୟୁମ ମଡେଲ ଲାଗି ୭,୫୦୦ ଡଲାର ରିହାତି ଦେବେ। କେବଳ ଏତିକି ନୁହେଁ ସେ ତାଙ୍କ ଚୀନ୍ ର ସାଂଘାଇସ୍ଥିତ ପ୍ଲାଣ୍ଟରେ ଉତ୍ପାଦନ ମଧ୍ୟ କମେଇ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ନଭେମ୍ବର ୨୦୨୧ରେ ମସ୍କଙ୍କ ମୋଟ ସମ୍ପତ୍ତି ୩୪୦ ବିଲିୟନ ଡଲାରକୁ ପହଞ୍ଚିବା ସହ ସେ ବିଶ୍ୱର ଧନୀକଙ୍କ ସୂଚୀର ଶୀର୍ଷରେ ପହଞ୍ଚିଥିଲେ। ସେ ଲଗାତାର ଅନେକ ଦିନ ପର୍ଯ୍ୟନ୍ତ ଏପରିକି ଏକ ବର୍ଷରୁ ଅଧିକ କାଳ ଧରି ବିଶ୍ୱର ସବୁଠୁ ଧନୀକ ବ୍ୟକ୍ତିଙ୍କ ସୂଚୀର ପ୍ରଥମ ସ୍ଥାନରେ ଥିଲେ। ଏହା ପରେ ସେ ଚଳିତ ମାସରେ ଫ୍ରାନ୍ସର ବିଜନେସ୍ ମ୍ୟାଗନେଟ୍ ତଥା ଲଗଜରୀ ଗୁଡସ୍ ପାୱାର ହାଉସ୍ ଏଲଭିଏମଏଚର ସହ ସଂସ୍ଥାପକ ବର୍ଣ୍ଣାର୍ଡ ଅର୍ନଲ୍ଟଙ୍କଠୁ ପଛରେ ପଡିଯାଇଛନ୍ତି।
ବିଲିୟନେୟର ଇଣ୍ଡକ୍ସ ଅନୁସାରେ ଅର୍ନଲ୍ଟ ତାଙ୍କ ସ୍ଥାନ ଛଡେଇ ନେଇଛନ୍ତି। ଫଳରେ ଅର୍ନଲ୍ଟ ଏବେ ବିଶ୍ୱର ସବୁଠୁ ଧନୀବ୍ୟକ୍ତି ପାଲଟିଛନ୍ତି। ଏଲନ ମସ୍କ ଗତ ଅକ୍ଟୋବର ମାସରେ ୪୪ ବିଲିୟନ ଡଲାର ବ୍ୟୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର କ୍ରୟ କରିଥିଲେ। ଟ୍ୱିଟର କ୍ରୟ ଲାଗି କରିଥିବା ବ୍ୟୟ ଭରଣା ନିମନ୍ତେ ମସ୍କ ଟେସ୍ଲାର ସେୟାର ବିକ୍ରି କରିଦେଇଥିଲେ। ଏହା ଦେଖାଦେଖି ନିବେଶକମାନେ ମସ୍କଙ୍କ ଟ୍ୱିଟର କ୍ରୟ ଯୋଗୁ ଟେସ୍ଲା ସେୟାର ବିକିବା ଆରମ୍ଭ କରିଦେଇଛନ୍ତି। ଫଳରେ ମସ୍କଙ୍କ ନେଟୱର୍ଥ ନଭେମ୍ବର ହେଉ ହେଉ ହ୍ରାସ ହୋଇଛି।