ବଦଳିଲା ଅଗ୍ନିବୀର ନିଯୁକ୍ତି ଯୋଜନା, ସେନାରେ ଭର୍ତ୍ତି ଲାଗି ଏବେ ଦେବାକୁ ହେବ ଅନ-ଲାଇନ କମନ୍ ଏଣ୍ଟ୍ରାନ୍ସ ଟେଷ୍ଟ
4/02/2023 at 9:24 PM

ନୂଆଦିଲ୍ଲୀ ୪।୨: ସେନାରେ ନିଯୁକ୍ତି ଲାଗି ଆଗ୍ରହୀ ଯୁବକଙ୍କ ଲାଗି ସୂଚନା। ଏବେ ଅଗ୍ନିବୀର ନିଯୁକ୍ତି ପ୍ରକ୍ରିୟା ବଦଳାଇ ଦିଆଯାଇଛି। ସେନାର ନୂଆ ଯୋଜନା ଅନୁସାରେ ନିଯୁକ୍ତି ଲାଗି ଆଗ୍ରହୀ ପ୍ରାର୍ଥୀଙ୍କୁ ପ୍ରଥମେ ଅନଲାଇନ କମନ୍ ଏଣ୍ଟ୍ରାନ୍ସ ଟେଷ୍ଟ (ସିଇଇ) ପାସ୍ କରିବାକୁ ହେବ। ଏହା ପରେ ପ୍ରାର୍ଥୀଙ୍କୁ ନିଯୁକ୍ତିର ଅନ୍ୟ ପ୍ରକ୍ରିୟା ଦେଇ ଗତି କରିବାକୁ ହେବ। ଏହି ପରିବର୍ତ୍ତନ ନେଇ ସରକାର ଆଦେଶ ଜାରି କରିଛନ୍ତି। ସିଇଇ ଚଳିତବର୍ଷ ଏପ୍ରିଲ ମାସରେ ହେବ।

ସେନାରେ ନିଯୁକ୍ତି ଲାଗି ଅଗ୍ନିବୀର ନିଯୁକ୍ତି ଯୋଜନାରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ଏହି ପରିବର୍ତ୍ତନ ଚଳିତବର୍ଷର ରିକ୍ରୁଇଟମେଣ୍ଟରୁ କାର୍ଯ୍ୟକାରୀ ହେବ। ସରକାରଙ୍କ ନୋଟିଫିକେସନ ଅନୁସାରେ ଅଗ୍ନିବୀର ଯୋଜନାରେ ନିଯୁକ୍ତି ଲାଗି ପ୍ରାର୍ଥୀମାନଙ୍କୁ ଅନଲାଇନ କମନ୍ ଏଣ୍ଟ୍ରାନ୍ସ ଟେଷ୍ଟ (ସିଇଇ) ଦେବାକୁ ପଡିବ। ଏହି ଏଣ୍ଟ୍ରାନ୍ସ ଟେଷ୍ଟର ଫଳାଫଳ ଅନୁସାରେ ପ୍ରାର୍ଥୀଙ୍କ ଫିଜିକାଲ ଫିଟନେସ୍ ଓ ମେଡିକାଲ ଟେଷ୍ଟ କରାଯିବ। ଅଗ୍ନିବୀର ଯୋଜନାରେ ନିଯୁକ୍ତି ଲାଗି ଚଳିତମାସରେ ଅଧିସୂଚନା ଜାରି ହେବ।

ପ୍ରଥମ ଅନଲାଇନ ସିଇଇ ଏପ୍ରିଲ ମାସରେ ଆୟୋଜିତ ହେବ। ଏହି ପରୀକ୍ଷା ଦେଶର ପାଖାପାଖି ୨୦୦ଟି କେନ୍ଦ୍ରରେ ଆୟୋଜନ କରାଯିବ। ଏଥର ୪୦ ହଜାର ପଦବୀରେ ନିଯୁକ୍ତି ଲାଗି ଏହି ପରୀକ୍ଷା ହେବ ବୋଲି ଆଶା କରାଯାଉଛି। କେନ୍ଦ୍ର ସରକାର ସେନାରେ ନିଯୁକ୍ତି ଲାଗି ଅଗ୍ନିବୀର ଯୋଜନା ଲାଗୁ କରିଛନ୍ତି। ଏହି ଯୋଜନାରେ ୧୭.୫ ବର୍ଷରୁ ୨୩ ବର୍ଷର ଯୁବକମାନଙ୍କୁ ୪ ବର୍ଷ ନିମନ୍ତେ ସେନାରେ ଭର୍ତ୍ତି କରାଯିବ। ଏଥିଲାଗି ଅଗ୍ନିବୀରଙ୍କୁ ଅଲଗା ଅଲଗା ପ୍ୟାକେଜରେ ବେତନ ମିଳିବ।

ଦେଶରେ ଅଗ୍ନିବୀର ଯୋଜନା କାର୍ଯ୍ୟକାରୀ କରାଯିବା ବେଳେ ଏହାକୁ ବିରୋଧ କରାଯାଇଥିଲା। ସେନାରେ ନିଯୁକ୍ତି ଲାଗି ଆଗ୍ରହୀ ଯୁବକମାନେ ଦେଶରେ ବ୍ୟାପକ ପୋଡାଜଳା କରିଥିଲେ। ତେବେ ଏହା ସତ୍ତ୍ୱେ ଅନୁଷ୍ଠିତ ନିଯୁକ୍ତି ରାଲିରେ ଯୁବକମାନେ ବଢିଚଢି ଭାଗ ନେଇଥିଲେ। ୨୦୨୨ରେ ପ୍ରଥମ ପର୍ଯ୍ୟାୟ ନିଯୁକ୍ତି ସରିଥିବା ବେଳେ ଏବେ ନିଯୁକ୍ତି ନିୟମରେ ପରିବର୍ତ୍ତନ କରି ଦିଆଯାଇଛି। ନିଯୁକ୍ତିକୁ ଅଧିକ ପାରଦର୍ଶି କରିବା ପାଇଁ ପ୍ରଥମେ ସିଇଇ ଆୟୋଜନ ଲାଗି ଅଧିସୂଚିତ ହୋଇଛି।