ପ୍ରଥମେ ବ୍ୟବସାୟୀ ବଡ଼ବଡ଼ ଗୋଦାମ ତିଆରି କଲେ, ପରେ ଆଇନ ଆଣିଲେ ସରାକର: ଟିକାୟତ

Published By : Prameya-News7 Bureau | February 26, 2021 IST

କରୌଲୀ ୨୬।୨: ସରକାର କୃଷି ଆଇନରେ ସଂଶୋଧନ କରିବେ ଚାଷୀଙ୍କୁ ଜଣା ନଥିଲା। ତେଣେ ବ୍ୟବସାୟୀ ଯୁଦ୍ଧକାଳୀନ ଭିତ୍ତିରେ ଦେଶ ସାରା ବଡ଼ବଡ଼ ଗୋଦାମ ତିଆରିବାରେ ଲାଗିଯାଇଥିଲେ। ବ୍ୟବସାୟୀଙ୍କ ଗୋଦାମ ପ୍ରସ୍ତୁତ ହେବାମାତ୍ରେ ସରକାର ତରବରିଆ ଭାବେ ସଂସଦରେ କୃଷି ବିଧେୟକ ଗୃହୀତ କରି ରାଷ୍ଟ୍ରପତିଙ୍କ ନିକଟରୁ ଆଇନରେ ପରିଣତ କରାଇ ଆଣିଲେ। ଭାରତୀୟ କିଷାନ ୟୁନିୟନ (ବିକେୟୁ) ନେତା ରାକେଶ ଟିକାୟତ ଶନିବାର ରାଜସ୍ଥାନ କରୌଲୀ ମହାପଞ୍ଚାୟତରେ ଏପରି ଅଭିଯୋଗ କରିଛନ୍ତି।

ସରକାର ଚାଷୀଙ୍କ ଲାଗି ନୁହେଁ ବେପାରୀଙ୍କ ଲାଗି ଆଇନ କରିଥିବା ଟିକାୟତ କହିଥିବେ ବେଳେ ଦେଶରେ ଚାଷୀଙ୍କ ସାଂପ୍ରତିକ ପରିସ୍ଥିତିର ମଧ୍ୟ ସୂଚନା ଦେଇଥିଲେ। ଫସଲର ସରକାରୀ ଦର କଣ ସେ ନେଇ ଚାଷୀ ଆଜି ବି ସନ୍ଦେହରେ ବୋଲି ଟିକାୟତ କହିଛନ୍ତି। ଏଣୁ ଏହି ସଂଘର୍ଷ ଏବେ କୌଣସି ଜାତି ଅଥବା ସମୂଦାୟରେ ସୀମିତ ହୋଇ ରହି ନାହିଁ । ସାରା ଦେଶର ଚାଷୀ ଓ ସାଧାରଣ ନାଗରିକଙ୍କ ଆନ୍ଦୋଳନରେ ପରିଣତ ହୋଇଥିବା ବେଳେ ଏହି ସଂଘର୍ଷ ରାଜାଙ୍କ ବିରୋଧରେ ବୋଲି କହିଛନ୍ତି।

ସେ କହିଛନ୍ତି ଯେ ସରକାର ଭାବୁଥିଲେ ଚାଷ କାମ ଆରମ୍ଭ ହେଲେ ଚାଷୀ ରାସ୍ତାରୁ ଉଠି ନିଜନିଜ ଖେତକୁ ଚାଲିଯିବେ ଓ ଆନ୍ଦୋଳନ ମନକୁ ମନ ସମାପ୍ତ ହୋଇଯିବ। ହେଲେ ଫଳ ଏବେ ଓଲଟା ଫଳୁଛି ଚାଷୀ ତା ଫସଲ ଉଜାଡିବାରେ ଲାଗିଛି। ଆମେ କହିଥିଲୁ ଯଦି ଆମ ଆନ୍ଦୋଳନ ରାସ୍ତାରେ ଫସଲ ବି ଆସେ ତାକୁ ବି ଆମେ ଛାଡିବାକୁ ପ୍ରସ୍ତୁତ। ଏବେ ଦେଶରେ ତାହାହିଁ ଦେଖିବାକୁ ମିଳୁଛି। ଚାଷୀର ଆନ୍ଦୋଳନ ରାସ୍ତାରେ ପ୍ରତିବନ୍ଧକ ହେଉଥିବା ଚାଷକୁ ସେ ଉଜାଡି ଦେଉଥିବାର ସବୁଦିନ ଖବର ମିଳୁଛି। ତେବେ ଏଥିରୁ ନିବୃତ୍ତ ରହିବାକୁ ମୁଁ ପୁଣି ଥରେ ଚାଷୀକୂଳଙ୍କୁ ନିବେଦନ କରୁଛି ବୋଲି ରାକେଶ ଟିକାୟତ କହିଛନ୍ତି।

ଚାଷ ତା ବାଟରେ ହେଉଛି ହେବ ଓ ଆନ୍ଦୋଳନ ବି ଆମର ଜାରି ରହିବ ବୋଲି ସେ କହିଛନ୍ତି। ଏଥିପାଇଁ ବର୍ଷ ଜାକର ଶ୍ରମ ଉଜାଡିବାର କୌଣସି ଆବଶ୍ୟକତା ନାହିଁ ବୋଲି ଟିକାୟତ କହିଛନ୍ତି। କାରଣ ଆନ୍ଦୋଳନ ଏବେ କେଉଁ ପର୍ଯ୍ୟନ୍ତ ଚାଲିବ ତାର କୌଣସି ନିର୍ଦ୍ଧିଷ୍ଟ ସମୟ ସୀମା ନାହିଁ ବୋଲି ସେ କହିଛନ୍ତି। ଦିଲ୍ଲୀର ଆନ୍ଦୋଳନ ଚାଷୀଙ୍କ ଆଗାମୀ ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି ସେ କହିଛନ୍ତି। ମିଳିତ କୃଷକ ମଞ୍ଚର ୪୦ ଜଣ ନେତାଙ୍କ ପଛରେ ଚାଷୀଙ୍କ ମହାପଞ୍ଚାୟତ ଓ ସାରା ଦେଶ ଛିଡାହୋଇଛି ବୋଲି ସେ କହିଛନ୍ତି। ଚାଷୀଙ୍କ ଏହି ସଂଘର୍ଷ ବଡ ପୁଞ୍ଜିପତିଙ୍କ ବିରୋଧରେ ଓ ସରକାର ସେମାନଙ୍କୁ ସମର୍ଥନ କରୁଛନ୍ତି ବୋଲି ସେ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.