ଗଠିତ ହେଲା ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ, ମହନ୍ତ ନୃତ୍ୟଗୋପାଳ ଦାସ ଅଧ୍ୟକ୍ଷ ମନୋନୀତ

Published By : Prameya-News7 Bureau | February 19, 2020 IST

ନୂଆଦିଲ୍ଲୀ ୧୯।୨:   ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ଏବେ ନିର୍ମାଣ ନେଇ ଉଦ୍ୟମ ଆରମ୍ଭ ହୋଇଛି। ଏହିକ୍ରମରେ ବୁଧବାର ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ଗଠିତ ହୋଇଥିବା ବେଳେ ପ୍ରଥମ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି। ଏଥିରେ ମହନ୍ତ ନୃତ୍ୟ ଗୋପାଳ ଦାସ ଟ୍ରଷ୍ଟର ଅଧ୍ୟକ୍ଷ ମନୋନୀତ ହୋଇଛନ୍ତି। ସେହିପରି ବିଶ୍ୱ ହିନ୍ଦୁ ପରିଷଦର ଚମ୍ପତ ରାୟ ଟ୍ରଷ୍ଟର ସାଧାରଣ ସମ୍ପାଦକ ମନୋନୀତ  ହୋଇଛନ୍ତି। ବୈଠକରେ ଟ୍ରଷ୍ଟର ଆଗାମୀ ବୈଠକ ଅଯୋଧ୍ୟାରେ ଆୟୋଜନ ଲାଗି ନିଷ୍ପତ୍ତି ହୋଇଥିବା ବେଳେ ସେଠାରେ ମନ୍ଦିର ନିର୍ମାଣର ରୂପରେଖ ଚୂଡାନ୍ତ ହେବ ବୋଲି କୁହାଯାଇଛି।

ଟ୍ରଷ୍ଟ ଗଠନ ଲାଗି ଅନୁଷ୍ଠିତ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ହୋଇଛି। ଏଥିରେ ପ୍ରଥମେ ଟ୍ରଷ୍ଟର କାର୍ଯ୍ୟକର୍ତ୍ତା ମନୋନୟନ ପରେ ରାମମନ୍ଦିର ନିର୍ମାଣ ସମିତି ଗଠନ ଲାଗି ନିଷ୍ପତ୍ତି ହୋଇଛି। ଏହି ସମିତିର ଅଧ୍ୟକ୍ଷ ଭାବେ ପୂର୍ବତନ ପ୍ରଶାସକ ନୃପେନ୍ଦ୍ର ମିଶ୍ର ମନୋନୀତ ହୋଇଛନ୍ତି। ସେହିପରି ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ଅଯୋଧ୍ୟା ଶାଖାରେ ଟ୍ରଷ୍ଟର ଖାତା ଖୋଲିବା ଲାଗି ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଛି।

ବୈଠକ ଅବସରରେ ଶ୍ରୀରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟର କୋଷାଧ୍ୟକ୍ଷ ମନୋନୀତ ଗୋବିନ୍ଦ ଗିରି ମହାରାଜଙ୍କୁ ପେଜାବର ସ୍ୱାମୀ  ମନ୍ଦିର ନିର୍ମାଣ ନିମନ୍ତେ ସର୍ବ ପ୍ରଥମେ ୫ ଲକ୍ଷ ଟଙ୍କାର ଏକ ଚେକ୍ ଦେଇଛନ୍ତି। ଆସନ୍ତା ୧୫ ଦିନ ମଧ୍ୟରେ ଟ୍ରଷ୍ଟର ଦ୍ୱିତୀୟ ବୈଠକ ଆୟୋଜନ ଲାଗି ଏଠାରେ ନିଷ୍ପତ୍ତି ହୋଇଥିବା ବେଳେ ଏହା ଅଯୋଧ୍ୟାରେ କରିବାକୁ ସମସ୍ତେ ସହମତ ହୋଇଛନ୍ତି। ସେହି ଠାରେ ହିଁ ମନ୍ଦିର ନିର୍ମାଣ ଲାଗି ତିଥି ଧାର୍ଯ୍ୟ ସହ ପରବର୍ତ୍ତି କାର୍ଯ୍ୟକ୍ରମ ନିର୍ଦ୍ଧାରଣ ଲାଗି ନିଷ୍ପତ୍ତି ହୋଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.