କଠିନ ପରିଶ୍ରମ ଦୃଢ଼ ଇଚ୍ଛାଶକ୍ତି ବଳରେ ଲକ୍ଷ୍ୟ ସାଧନ, ନାସାର ମଙ୍ଗଳ ମିଶନ୍‌ରେ ପ୍ରଥମ ଭାରତୀୟ ମହିଳା

Published By : Prameya-News7 Bureau | December 05, 2023 IST

ନୂଆଦିଲ୍ଲୀ୦୫/୧୨: ନାସାର ମଙ୍ଗଳ ମିଶନ୍‌ରେ ପ୍ରଥମ ଭାରତୀୟ ମହିଳା ଆମେରିକୀୟ ମହାକାଶ ଏଜେନ୍ସି ନାସା (ନ୍ୟାସ୍‌ନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେସନ୍‌) ରେ କାମ କରିବାକୁ ଅନେକ ଭାରତୀୟ ସ୍ୱପ୍ନ ଦେଖିଥାନ୍ତି । ଜଣେ ଭାରତୀୟ ମହିଳା ମଧ୍ୟ ଏହି ସ୍ୱପ୍ନ ଦେଖିଥିଲେ । କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ତାହା ସେ ପୂରଣ କରିଛନ୍ତି ।

ମଙ୍ଗଳ ଗ୍ରହରେ କାର୍ଯ୍ୟତର ପର୍ସିଭିୟରାନ୍ସ ରୋଭର୍‌ ପରିଚାଳନା କରିଥିବା ପ୍ରଥମ ଭାରତୀୟ ନାଗରିକ ହେବାର ଗୌରବ ଅର୍ଜନ କରିଛନ୍ତି ଡ. ଅକ୍ଷତା କ୍ରୀଷ୍ଣମୂର୍ତ୍ତି । ଏହା ନାସାର ଏକ ମିଶନ୍‌ ଯାହାକୁ ମଙ୍ଗଳ ଗ୍ରହରୁ ନମୁନା ସଂଗ୍ରହ କରି ପୃଥିବୀକୁ ଆଣିବା ପାଇଁ ନିୟୋଜିତ କରାଯାଇଛି । ଅକ୍ଷତା ନିଜର ପ୍ରେରଣାପ୍ରଦ ନାସା ଯାତ୍ରା ବିଷୟରେ ଇନ୍‌ଷ୍ଟାଗ୍ରାମ୍‌ରେ ବର୍ଣ୍ଣନା କରିଛନ୍ତି ।

୧୩ ବର୍ଷ ତଳେ ନାସାରେ କାମ କରିବାର ସ୍ୱପ୍ନ ନେଇ ଅକ୍ଷତା ଆମେରିକା ଆସିଥିଲେ । ଉଦ୍ଦେଶ୍ୟ ଥିଲା- ପୃଥିବୀ ଓ ମଙ୍ଗଳ ଗ୍ରହ ଉପରେ ଗୁରୁତ୍ୱପୂର୍ଣ୍ଣ ବିଜ୍ଞାନ ଓ ରୋବୋଟିକ୍‌ ଅନୁସନ୍ଧାନର ନେତୃତ୍ୱ ନେବା । ଅନେକ ଲୋକ ତାଙ୍କ ସ୍ୱପ୍ନର ମାର୍ଗରେ ବାଧକ ହେଲେ । କହିଲେ, ଭିସାରେ ଥିବା ଜଣେ ବିଦେଶୀ ନାଗରିକଙ୍କ ପାଇଁ ଏହା ଅସମ୍ଭବ । ତେଣୁ ସେ ବିକଳ୍ପ ଯୋଜନା କରିବା ଉଚିତ୍‌ ଅଥବା ଏ କ୍ଷେତ୍ରକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିବା ଉଚିତ୍‌ ।

କିନ୍ତୁ ଅକ୍ଷତା କାହା କଥା ଶୁଣିଲେ ନାହିଁ, ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ମାର୍ଗ ମିଳିବା ପର୍ଯ୍ୟନ୍ତ ପ୍ରୟାସ ଜାରି ରଖିଲେ । ମାସାଚୁସେଟ୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି(ଏମ୍‌ଆଇଟି)ରେ ଏରୋନଟିକ୍ସ ଓ ଆଷ୍ଟ୍ରୋନଟିକ୍ସରେ ପିଏଚ୍‌ଡି କରିବା ପରେ ଅକ୍ଷତା ନାସାର ଜେଟ୍‌ ପ୍ରପଲସନ୍‌ ପ୍ରୟୋଗଶାଳାରେ ପୂର୍ଣ୍ଣକାଳୀନ ନିଯୁକ୍ତି ପାଇଲେ ।

ଜେଟ୍‌ ପ୍ରପଲସନ୍‌ ଉଭୟ ଆମେରିକା ଓ ବିଦେଶୀ ନାଗରିକଙ୍କୁ ନିଯୁକ୍ତି ପ୍ରଦାନ କରେ । କିନ୍ତୁ ଏହା ତାଙ୍କ ପାଇଁ ସହଜ ନ ଥିଲା । ଏଥିପାଇଁ ତାଙ୍କୁ ଅନେକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ିଛି । ଅକ୍ଷତା କହନ୍ତି ‘ମଙ୍ଗଳରେ ନମୁନା ସଂଗ୍ରହ କରୁଥିବା ପର୍ସିଭିୟରାନ୍ସ ରୋଭର୍‌ ସମେତ ମୁଁ ଏବେ ଅନେକ କୁଲ୍‌ ସ୍ପେସ୍‌ ମିଶନ୍‌ରେ କାମ କରୁଛି । କୌଣସି ସ୍ୱପ୍ନ ବହୁତ ବଡ଼ କିମ୍ବା ଅସମ୍ଭବ ନୁହେଁ । ନିଜ ଉପରେ ବିଶ୍ୱାସ ରଖ ଏବଂ କାର୍ଯ୍ୟ ଜାରି ରଖ । ମୁଁ କଥା ଦେଉଛି, ଯଦି ତୁମେ କଠିନ ପରିଶ୍ରମ କରିବ ଲକ୍ଷ୍ୟସ୍ଥଳରେ ନିଶ୍ଚୟ ପହଞ୍ଚିବ ।

ବଡ଼ ସ୍ୱପ୍ନ ଦେଖିବାକୁ ଏବଂ ନିଜର ଶ୍ରେଷ୍ଠ ଜୀବନ ବଞ୍ଚିବାକୁ ୧୦ ଲକ୍ଷ ଲୋକଙ୍କୁ ପ୍ରେରିତ ଓ ଉତ୍ସାହିତ କରିବା ମୋର ଲକ୍ଷ୍ୟ ।’ ଅକ୍ଷତା ସୋସିଆଲ ମିଡିଆରେ ନିଜର ପ୍ରେରଣାପ୍ରଦ ଯାତ୍ରା ବର୍ଣ୍ଣନା କରିବା ପରଠୁ ପ୍ରାୟ ୧୦ ଲକ୍ଷ ୟୁଜର୍‌ ତାଙ୍କ ପୋଷ୍ଟ୍‌ ଦେଖିସାରିଲେଣି । ତାଙ୍କ ଯାତ୍ରା ବାସ୍ତବରେ ଯୁବପିଢ଼ି ପାଇଁ ପ୍ରେରଣାର ସ୍ରୋତ ବୋଲି ୟୁଜର୍‌ ପ୍ରତିକ୍ରିୟା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.