ସମଗ୍ର କାଶ୍ମୀର ଉପତ୍ୟକାରେ ସାମାନ୍ୟ ହେଉଛି ସ୍ଥିତି : ଇଦ୍ ପାଇଁ ଉତ୍ସବ ମୁଖର ସମ୍ପୂର୍ଣ୍ଣ ଘାଟି
12/08/2019 at 8:35 AM

ଶ୍ରୀନଗର ୧୨/୮: ଇଦ୍ ପାଳନ ପାଇଁ ଉତ୍ସବ ମୁଖର ଭୂସ୍ବର୍ଗ। ୩୭୦ ଧାରା ଉଠିବା ପରେ ଧିରେ ଧିରେ ପରିସ୍ଥିତି ସାମାନ୍ୟ ହେବାରେ ଲାଗିଛି । ଆଜି ଇଦ୍ ଅବସରରେ ବିଭିନ୍ନ ମସଜିଦ୍ ରେ ନମାଜ ପାଠ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ପର୍ବ ପାଳନକୁ ଦୃଷ୍ଟିରେ ରଖି ସୁରକ୍ଷା କଡ଼ା ରହିବା ସତ୍ତ୍ବେ ଲୋକମାନେ ବଜାରରୁ ବିଭିନ୍ନ ଜିନିଷ କିଣାକିଣି କରିଛନ୍ତି । ସେହିପରି ଲୋକଙ୍କ ସୁବିଧା ପାଇଁ ଆଜି ଘାଟିରେ ବିଭିନ୍ନ ବ୍ୟାଙ୍କ, ଏଟିଏମ୍ ମଧ୍ୟ ଖୋଲା ରହିବ ବୋଲି ନିଷ୍ପତି ନିଆଯାଇଛି ।

ଘାଟିରେ ଲୋକେ ଯେପରି ସୁବିଧାରେ ଧୁମଧାମରେ ପର୍ବ ପାଳନ କରିବେ ସେଥି ପାଇଁ ପ୍ରାୟ ଅଢ଼େଇ ଲକ୍ଷ ଖାସିର ବ୍ୟବସ୍ଥା କରାଯାଇଛି । ଛେଳି ଛଡ଼ା କୁକୁଡା, ଅଣ୍ଡା ମଧ୍ୟ ଯେପରି ଆବଶ୍ୟକତା ମୁତାବକ ମିଳିବ ସେଥି ପ୍ରତି ମଧ୍ୟ ନଜର ରଖାଯାଇଛି । ଜରୁରୀ ଆବଶ୍ୟକ ସାମଗ୍ରୀ ଯେପରି ପରିବା, ଗ୍ୟାସ ସିଲିଣ୍ଡର ଆଦି ଯେମିତି ହାତ ପାହାନ୍ତାରେ ଲୋକଙ୍କୁ ମିଳିବ ସେଥି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଖାଦ୍ୟ ପଦାର୍ଥର ଯେପରି କୌଣସି ପ୍ରକାର ଅଭାବ ନରହିବ ସେଥି ପାଇଁ ସରକାରୀ ଗୋଦାମ ଗୁଡ଼ିକରେ ମଧ୍ୟ ମାସ ମାସ ପାଇଁ ଖାଦ୍ୟ ପଦାର୍ଥ ଗଚ୍ଛିତ ରଖାଯାଇଛି ।

କଣ୍ଟ୍ରୋଲ ଦୋକାନ ଗୁଡ଼ିକୁ ମଧ୍ୟ ନିର୍ଦ୍ଧାରୀତ ସମୟରେ ଖୋଲିବା ପାଇଁ କୁହାଯାଇଛି । ଅନ୍ୟ ପଟେ ହଜ୍ ଯାତ୍ରାରେ ଯାଇଥିବା ଯାତ୍ରୀଙ୍କ ଆଗମନକୁ ଦୃଷ୍ଟିରେ ରଖି ବ୍ୟାପକ ବନ୍ଦୋବସ୍ତ ମଧ୍ୟ କରାଯାଇଛି । ୧୮ ତାରିଖରୁ ଫେରିବାକୁ ଥିବା ଯାତ୍ରୀ ମାନେ ବିଦେଶରୁ ଫେରିବା ପରେ ସେମାନେ ଚାହୁଥିବା ସ୍ଥାନକୁ ଯେପରି ସୁବିଧାରେ ଯାଇ ପାରିବେ । ସେ ନେଇ ମଧ୍ୟ ସୁବିଧା କରାଯାଇଛି।