India vs Pakistan: ପ୍ରଥମେ ଚେତନ ଶର୍ମା, ଆଉ ଏବେ ଅର୍ଶଦୀପ ସିଂହ...ପାକିସ୍ତାନ ବିପକ୍ଷରେ ତାଜା ହୋଇଗଲା ୩୬ ବର୍ଷର ପୁରୁଣା ସ୍ମୃତି

Published By : Prameya-News7 Bureau | September 05, 2022 IST

ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂହଙ୍କ ପକ୍ଷେ ପାକିସ୍ତାନ ବିପକ୍ଷ ମୁକାବିଲା ଭୁଲିବା ମୁସ୍କିଲ। କାରଣ ପାରମ୍ପରିକ ପ୍ରତିଦ୍ଵନ୍ଦ୍ଵୀ ପାକିସ୍ତାନ ବିପକ୍ଷ ଏସିଆ କପ୍‌ ୨୦୨୨ର ସୁପର ଫୋର ମୁକାବିଲାରେ ସହଜ କ୍ୟାଚ୍ ଛାଡିଥିଲେ। ଯାହାର ପରିଣାମ ଭାରତକୁ ଭୋଗିବାକୁ ପଡିଛି। ପୁଣି ଥରେ ଭାରତୀୟ କ୍ରିକେଟ୍‌ ପ୍ରେମୀଙ୍କ ମନରେ ୩୬ ବର୍ଷ ତଳର ପୁରୁଣା ସ୍ମୃତି ତାଜା ହୋଇ ଉଠିଛି। ସେହି ଦୁର୍ଭାଗ୍ୟଜନକ ଘଟଣା ଭାରତୀୟ ଖେଳାଳି ଚେତନ ଶର୍ମାଙ୍କ ସହିତ ଘଟିଥିଲା। ସେ ୟର୍କର ଫିଙ୍ଗିବାକୁ ଚେଷ୍ଟା କରିଥିଲେ  ହେଁ ବଲ୍ ଫୁଲ୍‌ ଟସ୍‌ ପଡିଥିଲା ଏବଂ ଜାଭେଦ ମିଆଁଦାଦ ଛକା ମାରି ପାକିସ୍ତାନକୁ ଜିତାଇଥିଲେ।

୧୯୮୬ରେ ସାରଜାରେ ଖେଳାଯାଇଥିବା ଉକ୍ତ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ ଭାରତ ଏବଂ ପାକିସ୍ତାନ। ଜାଭେଦ ମିଆଁଦାଦ ଶେଷ ଦୁଇଟି ବଲ୍ ୟର୍କର ଫିଙ୍ଗିବାକୁ ଚେଷ୍ଟା କରିଥିଲେ। ହେଲେ ବଲ୍ ଫୁଲ୍ ଟସ୍ ପଡିଥିଲା ଏବଂ ମିଆଁଦାଦ ଛକା ମାରି ଭାରତକୁ ପରାଜୟର ସ୍ଵାଦ ଚାଖିଥିଲା। ଆଉ ଏବେ ୨୦୨୨ରେ ଆସିଫ ଅଲ୍ଲୀଙ୍କ ସହଜ କ୍ୟାଚ୍‌କୁ  ଅର୍ଶଦୀପ ଛାଡି ଦେଇଥିଲେ। ଏମିତି କ୍ୟାଚ୍‌କୁ ଅନ୍ତତଃ ସେ ୧୧ ଥରରୁ ୧୦ ଥର ଧରି ପାରିବେ।  ସେ କ୍ୟାଚ୍ ଛାଡିବା ସମସ୍ତଙ୍କୁ ନିରାଶ କରିଛି।

ସେହି ଦୁଇ ମ୍ୟାଚ୍ ମଧ୍ୟରେ ୩୬ ବର୍ଷର ବ୍ୟବଧାନ ରହିଛି। ହେଲେ ଦର୍ଶକ ମଣିଷର ଛୋଟ ଭୁଲ୍‌କୁ ସ୍ଵୀକାର କରି ପାରନ୍ତି ନାହିଁ। ଏବେ ଅର୍ଶଦୀପଙ୍କ ଘଟଣାକୁ ନେଇ ଚେତନ ଶର୍ମା ଭୟଭୀତ ହୋଇ ଉଠିଥିଲେ। କାରଣ ସେ ଭଲ ଭାବେ ଜାଣିଛନ୍ତି ଯେ, ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ତ୍ରୁଟି କଲେ ଖେଳାଳିଙ୍କୁ କେଉଁ ପରିସ୍ଥିତି ଦେଇ ଗତି କରିବାକୁ ପଡିଥାଏ। ସେ କେବଳ ଏହି ଆଶା କରୁଛନ୍ତି ଯେ, କ୍ୟାଚ୍ ଛାଡିବା ଘଟଣାର କୁପ୍ରଭାବ ୨୩ ବର୍ଷୀୟ ଅର୍ଶଦୀପଙ୍କ ଉପରେ ନପଡୁ। କାରଣ ସବୁ କିଛି ଠିକ୍ ରହିଲେ ଆଗାମୀ ବର୍ଷରେ ବିଶ୍ଵ କ୍ରିକେଟ୍‌ରେ ଟି-୨୦ ମ୍ୟାଚ୍‌ର ଅନ୍ତିମ ଓଭରଗୁଡିକରେ ସେ ସର୍ବଶ୍ରେଷ୍ଠ ବୋଲରଙ୍କ ମଧ୍ୟରୁ ଅର୍ଶଦୀପ ଜଣେ ହୋଇ ପାରିବେ।

ଭାରତୀୟ ପ୍ରଶଂସକ ସେହି ଚେତନ ଶର୍ମାଙ୍କୁ ଛକା ପାଇଁ ଛାଡି ନଥିଲେ, ଯେଉଁ ବୋଲର ଲର୍ଡ୍ସ ଟେଷ୍ଟରେ ପାଞ୍ଚ ଓ୍ଵିକେଟ୍ ନେଇଥିବା ଭାରତୀୟ ବୋଲରଙ୍କ ମଧ୍ୟରୁ ଜଣେ ଥିଲେ। ଏପରିକି ଦିନିକିଆ ବିଶ୍ଵ କପରେ ପ୍ରଥମ ହ୍ୟାଟ୍ରିକ ନେବାର ବୋଲର ଥିଲେ। ମାତ୍ର ଲୋକଙ୍କୁ ବାସ୍ କେବଳ ସେହି ଛକା ବଲ୍‌ ହିଁ ମନେ ରହିଛି। ରବିବାର ରାତିରେ ସାମାଜିକ ଗଣମାଧ୍ୟମରେ ଅର୍ଶଦୀପଙ୍କ ବିରୋଧରେ ଯେଉଁ  ପ୍ରତିକ୍ରିୟା ଆସିଥିଲା, ତାହାକୁ ହାଲୁକାରେ ନିଆଯାଇ ପାରିବ ନାହିଁ। କାରଣ ଏଥିରେ ଲୋକଙ୍କ ଘୃଣାଭାବକୁ ବର୍ଣ୍ଣନା କରାଯାଇ ପାରିବ ନାହିଁ। ଲୋକେ ଭୁଲି ଗଲେ ଯେ, ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ ଏବଂ ଭୁବନେଶ୍ଵର କୁମାରଙ୍କ ପାଇଁ ମଧ୍ୟ ଗତକାଲି ମ୍ୟାଚ୍ ଏକ ଦୁଃସ୍ଵପ୍ନ ପରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.