ଦିଲ୍ଲୀରେ Coronaର ପ୍ରଥମ ଅଭିଯୋଗ, ତେଲେଙ୍ଗାନାରେ ବି ଗୋଟିଏ ମାମଲା ପୁଷ୍ଟି
2/03/2020 at 3:20 PM

ନୂଆଦିଲ୍ଲୀ ୨।୩: ସାରା ବିଶ୍ୱରେ କରୋନା ଏବେ ପ୍ରସରିବାରେ ଲାଗିଛି। ଏଥିରେ ସୋମବାର ପ୍ରଥମ ଥର ରାଜଧାନୀ ଦିଲ୍ଲୀରେ ଜଣକୁ କରୋନା ପଜେଟିଭ ଚିହ୍ନଟ କରାଯିବା ଏବେ ଆତଙ୍କର କାରଣ ପାଲଟିଛି। ତେବେ ଭାରତରେ ଏପର୍ଯ୍ୟନ୍ତ କରୋନାର ୨ଟି ଅଭିଯୋଗ ମିଳିଛି। ଏଥିରୁ ଗୋଟିଏ ଦିଲ୍ଲୀର ହୋଇଥିବା ବେଳେ ଅନ୍ୟଟି ତେଲେଙ୍ଗାନାର ବୋଲି ପୁଷ୍ଟି କରାଯାଇଛି। ଉଭୟ ରୋଗୀ ଏବେ ଚିକିତ୍ସାଧୀନ ଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛନ୍ତି।

ଚୀନରେ ସିଓଭିଡି-୧୯ର ପ୍ରକୋପ ଏବେ ବି ଜାରି ରହିଛି। ସାରା ଦେଶରେ ଏପର୍ଯ୍ୟନ୍ତ ୨ହଜାର ୮୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୭୯ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। ଚୀନର ଉହାନ ସହରରୁ ସୃଷ୍ଟି ହୋଇଥିବା କରୋନା ଏବେ ଅନେକ ଦେଶରେ ପହଞ୍ଚି ସାରିଲାଣି। ତେବେ ଭାରତରେ ପଜେଟିଭ ଚିହ୍ନଟ ୨ ରୋଗୀ ବିଦେଶ ଗସ୍ତରୁ ଫେରିବା ପରେ ସଂକ୍ରମିତ ଥିବାର ଜଣାପଡିଛନ୍ତି। ଏଥିରେ ଦିଲ୍ଲୀରେ ଚିହ୍ନଟ ବ୍ୟକ୍ତି ନିକଟରେ ଇଟାଲୀରୁ ଫେରିଛନ୍ତି। ସେହିପରି ତେଲେଙ୍ଗାନାର ରୋଗୀ ଦୁବାଇରୁ ଫେରିବା ପରେ କରୋନା ସଂକ୍ରମିତ ଚିହ୍ନଟ କରାଯାଇଛି।

ତେବେ ଦେଶରେ କରୋନା ଅଭିଯୋଗ ନୂଆ ନୁହେଁ। ଚୀନରେ କରୋନା ସଂକ୍ରମଣ ପରେ ଭାରତର କେରଳରେ ପ୍ରଥମ ରୋଗୀ ଚିହ୍ନଟ ହୋଇଥିଲେ। ଏଥିରେ ଚିହ୍ନଟ ହୋଇଥିବା ୩ ଜଣ ସରକାରୀ ହସ୍ପିଟାଲରେ ରହି ଚିକିତ୍ସିତ ହେବା ପରେ ସେମାନଙ୍କୁ ଛାଡି ଦିଆଯାଇଛି। ଏଥିରେ ଜଣକୁକସାରଗୋଡର କଞ୍ଝନଗଡ ସରକାରୀ ହସ୍ପିଟାଲରେ ରହି ଚିକିତ୍ସିତ ହୋଇଥିବା ବେଳେ ଅନ୍ୟ ଜଣକୁ ଆଲାପୁଝା ମେଡିକାଲ କଲେଜ ହସ୍ପିଟାଲର ଆଇସୋଲେଟେଡ ୱାର୍ଡରେ ରଖି ଚିକିତ୍ସା କରାଯାଇଥିଲା।