ମାର୍ଚ୍ଚ ସୁଧା ସରିବ ୨୨ ସ୍ମାର୍ଟ ସିଟିର କାମ; ତାଲିକାରେ ରହିଛି ଭୁବନେଶ୍ୱର

Published By : Prameya-News7 Bureau | February 13, 2023 IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କର ୧୦୦ ସ୍ମାର୍ଟ୍ ସିଟି ସ୍ୱପ୍ନ ପୂରା ହେବାକୁ ଯାଉଛି। ମାର୍ଚ୍ଚ ମାସ ଶେଷ ସୁଧା ୨୨ଟି ସ୍ମାର୍ଟ ସିଟିର କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହେବ। ଏହି ସହରମାନଙ୍କ ମଧ୍ୟରେ ଭୁବନେଶ୍ୱର, ଆଗ୍ରା, ବାରଣସୀ, ଚେନ୍ନାଇ, ପୁଣେ ଓ ଅହମଦାବାଦ ରହିଛି। କାମ ଶେଷ ହେଲେ ଏହି ସହରମାନଙ୍କରେ ନାଗରିକମାନେ ଅତ୍ୟାଧୁନିକ ସୁବିଧା ପାଇବେ। ପରିବେଶ ସ୍ୱଚ୍ଛ ନିର୍ମଳ ରହିବା ସହ ଉତ୍ତମ ଜୀବନ ଶୈଳୀ ପାଇଁ ସମସ୍ତ ସୁବିଧା ରହିଥିବ। ସବୁ ସମସ୍ୟାର ସ୍ମାର୍ଟ ସମାଧାନ କରାଯିବ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି।  

୧୦୦ ସ୍ମାର୍ଟ ସହରରୁ ବାକି ୭୮ ସହରର କାମ ପରବର୍ତ୍ତି ୩- ୪ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ ବୋଲି କେନ୍ଦ୍ର ଆବାସ ଓ ସହରି ବିକାଶ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସୂଚନା ଥାଉକି, ୨୦୧୫ ଜୁନ ୨୫ ତାରିଖରେ ପ୍ରଧାନମନ୍ତ୍ରୀ ଫ୍ଲାଗ୍‌ସିପ୍ ସ୍ମାର୍ଟ ସିଟି ମିଶନର ଘୋଷଣା କରିଥିଲେ। ଏହାପରେ ୨୦୧୬-୨୦୧୮ରେ ୪ଟି ପର୍ଯ୍ୟାୟରେ ଦେଶରେ ୧୦୦ ସ୍ମାର୍ଟ ସହର ଉନ୍ନତି କରଣ କରିବା ପାଇଁ ଚୟନ କରାଯାଇଥିଲା।

ସ୍ମାର୍ଟ ସିଟିର ଉଦ୍ଦେଶ୍ୟ ହେଲା ସହରଗୁଡ଼ିକରେ ଦେଖାଯାଉଥିବା ସମସ୍ୟାର ସ୍ମାର୍ଟ ସମାଧାନ କରିବା। ଓ ଯେଉଁ ସହରଗୁଡ଼ିକ ନାଗରିକମାନଙ୍କୁ ମୂଳ ସୁବିଧା ଯୋଗାଉଛନ୍ତି ସେହି ସହରଗୁଡ଼ିକୁ ପ୍ରମୋଟ କରିବା। ତେବେ ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ ମାସ ସୁଧା ସମ୍ପୂର୍ଣ୍ଣ ହେବାକୁ ଥିବା ସହରଗୁଡ଼ିକ ହେଲା- ଭୋପାଳ, ଇନ୍ଦୋର, ଆଗ୍ରା, ବାରଣସୀ, ଭୁବନେଶ୍ୱର, ଚେନ୍ନାଇ, କୋଏମ୍ବାତୁର, ଇରୋଡ, ରାଞ୍ଚି, ସାଲେମ, ସୁରତ, ଉଦୟପୁର, ବିଶାଖାପାଟନମ, ଅହମଦାବାଦ, କାକିନାଡା, ପୁଣେ, ଭେଲୋର, ପିମ୍ପ୍ରି, ଚିନ୍ଦୱାଡ଼ା, ମଦୁରାଇ, ଅମରାବତୀ, ତିରୁଚିରାପ୍ପଲୀ ଏବଂ ଥାଞ୍ଜଭୁର। ସହର ସ୍ତରରେ ସ୍ମାର୍ଟ ସିଟି ମିଶନର ଉନ୍ନୟନ କାର୍ଯ୍ୟ ସ୍ପେଶିଆଲ ପର୍ପୋସ ଭେଇକଲ ଯୋଜନାରେ କରାଯାଉଛି।

ଫେବ୍ରୁଆରୀ ୬ ତାରିଖରେ ରାଜ୍ୟସଭାରେ ଏସମ୍ପର୍କିତ ଉତ୍ତର ଦେଇ ଗୃହ ଓ ସହର ବିକାଶ ରାଷ୍ଟ୍ରମନ୍ତ୍ରୀ କୌଶଲ କିଶୋର କହିଛନ୍ତି ଯେ ଚଳିତ ବର୍ଷ ଜାନୁଆରୀ ୨୭ ତାରିଖ ସୁଧା ୧,୮୧,୩୨୨ ଲକ୍ଷ କୋଟି ଟଙ୍କାର ୧୦୦ ସ୍ମାର୍ଟ୍‌ ସିଟି ୱାର୍କ ଅର୍ଡରର ମୋଟ ୭,୮୦୪ ପ୍ରୋଜେକ୍ଟ ମଧ୍ୟରୁ ୫,୨୪୬ ପ୍ରୋଜେକ୍ଟର କାମ ସରିଛି। ଆବଣ୍ଟିତ ରାଶି ମଧ୍ୟରୁ ୯୮,୭୯୬ କୋଟିର କାମ ସରିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.