ବରଯାତ୍ରୀ ରୋଷଣୀରେ ବାଜିଲା ଡିଜେ, ବିରୋଧ କଲେ କନିଆଁ ଗାଁର ଲୋକେ, ଫୁଟିଲା ଗୁଳି, ଟଳି ପଡିଲେ ବରର ଭାଇ

Published By : Prameya-News7 Bureau | December 09, 2020 IST

ଲକ୍ଷ୍ନୌ ୦୯/୧୨ : ଉତ୍ତର ପ୍ରଦେଶର ଗାଜୀପୁରରେ ଏକ ଅଭାବନୀୟ ଘଟଣା ଘଟିଛି । ଡିଜେ ବାଜିବାକୁ କେନ୍ଦ୍ରକରି ବରର ଭାଇକୁ ଗୁଳିକରି ହତ୍ୟା କରାଯାଇଛି । କାସିଆବାଦ ଥାନା ରସୁଲପୁରରେ ବିବାହ ପ୍ରସେସନ ଧୁମଧାମରେ ଚାଲିଥିଲା । ତେବେ ଡିଜେ ବଜାଇବାକୁ ନେଇ ଆରମ୍ଭ ହୋଇଯାଇଥିଲା ଗଣ୍ଡଗୋଳ । ବରର ଭାଇ ରୋଶନ ଯାଦବ ଏବଂ ସ୍ଥାନୀୟ ଜଣେ ଯୁବକ ଗୋଲୁ ଯାଦବଙ୍କ ମଧ୍ୟରେ ଡିଜେ ବାଜିବାକୁ କେନ୍ଦ୍ରକରି ପ୍ରବଳ ଝଗଡା ହୋଇଥିଲା ।

ଏହାରି ମଧ୍ୟରେ ଗୋଲୁ ଯାଦବ ବନ୍ଧୁକ ବାହାର କରି ରୋଶନଙ୍କ ଉପରକୁ ଗୁଳିମାଡ କରି  ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ତେବେ ଘଟଣାସ୍ଥଳରେ ହିଁ ଟଳି ପଡିଥିଲେ ରୋଶନ ଯାଦବ । ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଗୁଳି ଫୁଟିବା ଶବ୍ଦ ଶୁଣିବା ପରେ ସେଠାରେ ଉପସ୍ଥିତ ସମ୍ପର୍କୀୟମାନଙ୍କ ମଧ୍ୟରେ ଭାଳେଣୀ ପଡିଯାଇଥିଲା । ସୂଚନା ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଗାଜୀପୁର ଏସପି ଓମପ୍ରକାଶ ସିଂହ ହସ୍ପିଟାଲରେ ପହଞ୍ଚି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ତେବେ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରିଛି । ଖୁବଶୀଘ୍ର ଅଭିଯୁକ୍ତ ଗୋଲୁ ଯାଦବକୁ ଗିରଫ କରାଯିବ ବୋଲି ଗାଜିପୁର ଏସପି ଓମପ୍ରକାଶ ସିଂହ ସୂଚନା ଦେଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.