ଦିଲ୍ଲୀରେ ଫୁଟାଯାଇ ପାରିବନି ବାଣ, କଟକଣା ହଟାଇବାକୁ ମନା କଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | October 10, 2022 IST

ନୂଆଦିଲ୍ଲୀ: ଦୀପାବଳିରେ ଦେଶର ରାଜଧାନୀ  ଦିଲ୍ଲୀରେ ଫୁଟିବନି ବାଣ। ରାଜ୍ୟ ସରକାର ବାଣ ଉପରେ ଲଗାଇଥିବା କଟକଣାକୁ ହଟାଇବାକୁ ମନା କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ତେବେ ଦୀପାବଳି ଛୁଟି ପୂର୍ବରୁ ଏହି ମାମଲାର ଶୁଣାଣି କରାଯିବ। ଦିଲ୍ଲୀ-ଏନସିଆରକୁ ନେଇ  ଆମର ଆଭିମୁଖ୍ୟ ସ୍ପଷ୍ଟ। ପ୍ରଦୂଷଣକୁ ନେଇ ସ୍ଵତନ୍ତ୍ର ଆଦେଶ ଜାରି କରାଯାଇଥିବା ଉଚ୍ଚତମ ନ୍ୟାୟାଳୟ କହିଛନ୍ତି।

ଦୀପାବଳି ପରି ପାର୍ବଣରେ ଦିଲ୍ଳୀ-ଏନସିଆରରେ ବାଣ ଫୁଟା ଉପରେ ଲାଗିଥିବା କଟକଣାକୁ ବିରୋଧ କରି ବିଜେପି ସାଂସଦ ମନୋଜ ତିଓ୍ଵାରୀ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଥିଲେ। ଏହା ଉପରେ ଆଜି ସର୍ବୋଚ୍ଚ ନ୍ୟାୟାଳୟରେ ଶୁଣାଣି ହୋଇଛି। ତେବେ ବାଣଫୁଟା ଉପରେ ଲାଗିଥିବା କଟକଣାକୁ ହଟାଇବାକୁ ମନା କରି ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ବାଣଫୁଟା ଉପରେ କଟକଣାକୁ ସଂସ୍କୃତ ବିରୋଧୀ ବୋଲି ଆବେଦନରେ ଦର୍ଶାଯାଇଥିଲା। ଦିଲ୍ଲୀରେ ଶୀତ ସମୟରେ ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଅରବିନ୍ଦ କେଜ୍ରିଓ୍ଵାଲଙ୍କ ନେତୃତ୍ଵାଧୀନ ଆମ୍ ଆଦମୀ ସରକାର ଆସନ୍ତାବର୍ଷ ଜାନୁଆରୀ ୨ ପର୍ଯ୍ୟନ୍ତ ବାଣଫୁଟା ଉପରେ କଟକଣା ଲଗାଇଛନ୍ତି। ଆପ୍ ସରକାରଙ୍କ ଏହି ନିଷ୍ପତ୍ତି ପ୍ରତିବାଦରେ ମନୋଜ ତିଓ୍ଵାରୀ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିଲେ।

ମନୋଜ ତିଓ୍ଵାରୀ ବାଣଫୁଟା ଉପରେ ରୋକ୍‌କୁ ସଂସ୍କୃତ ବିରୋଧୀ ବୋଲି କହିଛନ୍ତି। ସେ ସମସ୍ତ  ରାଜ୍ୟକୁ ଏହି ନିର୍ଦ୍ଦେଶ ଦେବାକୁ ଦାବି କରିଥିଲେ ଯେ, ବାଣର ବିକ୍ରି ଏବଂ ଫୁଟାଇବା ନେଇ ସାଧାରଣ ଜନତାଙ୍କ ବିରୋଧରେ ଏଫଆଇଆର ପରି କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯାଉ। ଶୁଣାଣି ସମୟରେ ବିଚାରପତି ଏମଆର ଶାହଙ୍କ ପୀଠ  ସ୍ପଷ୍ଟ କରିଛନ୍ତି ଯେ, ବାଣ ଉପରେ ଲଗାଯାଇଥିବା କଟକଣା ହଟାଯିବ ନାହିଁ। ଦିଲ୍ଲୀ-ଏନସିଆରକୁ ନେଇ ଆମର ନିଷ୍ପତ୍ତି ଏକଦମ ସ୍ପଷ୍ଟ। କଣ ଆପଣ ପ୍ରଦୂଷଣର ସ୍ଥିତି ଦେଖି ନାହାନ୍ତି। ନଡା ପୋଡା ହେଉଥିବାରୁ ପୂର୍ବରୁ ପ୍ରଦୂଷଣ ମାତ୍ରା ବଢି ସାରିଛି। ଆପଣ ନିଜେ ଏନସିଆରରେ ରହୁଛନ୍ତି, ତଥାପି ପ୍ରଥମରୁ ବଢିଥିବା ପ୍ରଦୂଷଣକୁ ଆହୁରି ବଢାଇବାକୁ ଚାହାନ୍ତି। ଉଲ୍ଲେଖନୀୟ ଗତ ଅନେକ ବର୍ଷରୁ ପାର୍ବଣ ସମୟରେ ଦିଲ୍ଲୀରେ ବାଣଫୁଟା ଉପରେ କଟକଣା ଲଗାଯିବା ପ୍ରଚଳନ ଜାରି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.