ଆକାଶରୁ ଅଗ୍ନି ବର୍ଷା, ସିଭିୟର ହିଟ୍ ୱେଭ୍ ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

Published By : Prameya-News7 Bureau | April 17, 2024 IST

ଭୁବନେଶ୍ଵର: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଆସନ୍ତା ୨ ଦିନ ପାଇଁ ୪ ଟି ଜିଲ୍ଲାକୁ ସିଭିୟର ହିଟ୍ ୱେଭ୍ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରି ରହୁଥିବାରୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି । ଆଜି ରାଜ୍ୟର ଅଧିକାଂଶ ଅଞ୍ଚଳର ତାପମାତ୍ରା ୪୦ ଡିଗ୍ରୀ ପରେ ରହିଛି । 

ଆକାଶରୁ ଅଗ୍ନି ବର୍ଷା ଥମିବାର ନାଁ ନେଉନି । ଆଜି ବି ସାରା ରାଜ୍ୟରେ ଅସହ୍ୟ ତାତି ଅନୁଭୂତ ହୋଇଛି । ସ୍ଥିତି ଏମିତି ଯେ ସକାଳ ୯ଟା ପରେ ଘରୁ ବାହାରିବା ମୁସ୍କିଲ୍ ହୋଇ ପଡିଛି। ଜନଜୀବନ ଅସହ୍ୟ ଗରମରେ ସନ୍ତୁଳି ହେଉଛି ।   

ପ୍ରବଳ ଖରା ପାଇଁ ରାସ୍ତାଘାଟ ଏକ ପ୍ରକାର ଖାଁ ଖାଁ ।  ଅନେକ ଅଞ୍ଚଳରେ ଝାଞ୍ଜି ପବନ ବୋହୁ ଥିବାରୁ ଜରୁରୀ କାମ ନଥିଲେ ଲୋକେ ଘରୁ ବାହାରକୁ ବାହାରୁ ନାହାଁନ୍ତି l  ଘରୁ ବାହାରୁଥିବା ଲୋକେ ତାତି ସହିନପାରି ଗଛ ତଳେ କିମ୍ବା ପାଣି ଦେଖି ଅଟକି ଯାଉଛନ୍ତି । ଅତ୍ୟଧିକ ଗରମ ଓ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସମସ୍ତ ବିଦ୍ୟାଳୟକୁ ଆସନ୍ତା ୩ ଦିନ ଅର୍ଥାତ ୧୮ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି । ଏନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି । 

Also read: ଭୁବନେଶ୍ୱର ବିମାନ ବନ୍ଦରରେ ରହସ୍ୟମୟ ଟ୍ରଙ୍କ୍, ଭିତରେ ବିପୁଳ ପରିମାଣର ସୁନା

ଆଜି ଅଧିକାଂଶ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିଛି । ତାତିରୁ ଆହୁରି ୩ ରୁ ୪ ଦିନ ପର୍ଯ୍ୟନ୍ତ କଲବଲ ହେବେ ଲୋକେ । ମୟୁରଭଞ୍ଜ, ନୂଆପଡ଼ା,ଗଜପତି ଓ ନୟାଗଡ଼ର ଗୋଟେ ଦୁଇଟି ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ତେଣୁ ଏହି୪  ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାଛଡ଼ା ଉପକୂଳ ଓଡ଼ିଶା , ଉତ୍ତର ଓଡ଼ିଶା ଓ ଅଭ୍ୟନ୍ତରୀଣ ଓଡ଼ିଶାର ୧୭ ଟି ଜିଲ୍ଲା ପାଇଁ ୟେଲା ୱାର୍ଣ୍ଣିଂ ଜାରି କରାଯାଇଛି ।  ରାଜ୍ୟରେ ପ୍ରବଳ ଗ୍ରୀଷ୍ଣ  ପ୍ରବାହ ସ୍ଥିତି ୨୧ ତାରିଖ ପର୍ଯ୍ୟନ୍ତ ରହିବ। 

ଉପକୂଳ ଓଡ଼ିଶାରେ ତାତି ସହ ଗୁଳଗୁଳି ରହୁଛି । ଗତ ୩ ରୁ ୪ ବର୍ଷ ହେବ ଉପକୂଳ ଓଡ଼ିଶାର ପାଗରେ ଅତ୍ୟଧିକ ପରିବର୍ତ୍ତନ ହୋଇଥିବା ପାଣିପାଗ ବିଶେଷଜ୍ଞ କହିଛନ୍ତି । ୨୧ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶା ଓ ଉପକୁଳ ଓଡ଼ିଶାର କିଛି ସ୍ଥାନରେ ସାମାନ୍ୟ ବର୍ଷା ସହ ପବନ ବହିବାର ସମ୍ଭାବନା ଅଛି । ତେଣୁ ୨ ରୁ ୩ ଡିଗ୍ରୀ ତାତି କମିପାରେ । କିନ୍ତୁ ଅଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଓଡ଼ିଶା ପାଇଁ ଆଗକୁ ମଧ୍ୟ ତାତିରୁ ନିସ୍ତାର ନାହିଁ ବୋଲି ବିଶେଷଜ୍ଞ କହିଛନ୍ତି । 

୨୩ ପରେ ପୁଣି ସମଗ୍ର ରାଜ୍ୟରେ ତାତି ବଢ଼ିବ ବୋଲି ପାଣିପାଗ ବିଭାଗ ଓ ବିଶେଷଜ୍ଞ ମାନେ ପୂର୍ବାନୁମାନ କରିଛନ୍ତି । ତେବେ ଦିନ ୧୦ ରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଘରୁ ନବାରିବା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପରାମର୍ଶ ଦେଇଛି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.