ଉତ୍ତରପ୍ରଦେଶ ଇଟାୱାରେ ନୂଆଦିଲ୍ଲୀ-ଦରଭଙ୍ଗା କ୍ଲୋନ ସ୍ପେଶାଲ ଟ୍ରେନରେ ଅଗ୍ନିକାଣ୍ଡ, ୮ ଆହତ

Published By : Prameya-News7 Bureau | November 15, 2023 IST

ଇଟାୱା ୧୫।୧୧: ଉତ୍ତରପ୍ରଦେଶ ଇଟାୱାରେ ନୂଆଦିଲ୍ଲୀରୁ ଦରଭଙ୍ଗା ଯାଉଥିବା କ୍ଲୋନ ସ୍ପେଶିଆଲ ଟ୍ରେନ(୦୨୫୭୦) ର ୩ଟି ବଗିରେ ବୁଧବାର ନିଆଁ ଲାଗିଯାଇଛି। ଇଟାୱାର ସରାୟ ରୋଡ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି। ଟ୍ରେନର ଏସ୍-୧ ବଗିରେ ନିଆଁ ଲାଗିଛି। ବଗିରେ ନିଆଁ ଲାଗି ବ୍ୟାପିବା ଦେଖି ଯାତ୍ରୀମାନେ ଚଳନ୍ତା ଟ୍ରେନରୁ ଡେଇଁ ଜୀବନ ବଞ୍ଚାଇଛନ୍ତି। ଫଳରେ ୮ ଜଣ ଯାତ୍ରୀ ଆହତ ହୋଇଛନ୍ତି। ପାର୍ବଣ ଋତୁ ଲାଗି ଦେଶରେ ଏବେ ଟ୍ରେନ ଭିଡ ଯାଉଛି। ଏଥିରେ ଟ୍ରେନ ଅଗ୍ନିକାଣ୍ଡ ରେଳ ସୁରକ୍ଷା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି।

ରେଳବଗିମାନଙ୍କରେ ନିଆଁ ଲାଗିଥିବାର ଭୀଷଣ ଦୃଶ୍ୟ ଏବେ ସାମ୍ନାକୁ ଆସୁଛି। ଟ୍ରେନର ଅନେକ ବଗିରେ ନିଆଁ ବ୍ୟାପିଯାଇଥିବାର ଦେଖାଯାଉଛି। ନିଆଁ ଲାଗିବାର କାରଣ ଜଣା ପଡି ନାହିଁ, ତେବେ ଟ୍ରେନରେ ନିଆଁ ଲାଗିଥିବା ନେଇ ଦମକଳ ବିଭାଗକୁ ସୂଚିତ କରାଯିବା ପରେ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛି। ଟ୍ରେନରେ ନିଆଁ ଲାଗିବା ଜଣାପଡିବା ପରେ ରେଳବାଇଙ୍କ ବଡ ଅଧିକାରୀ ମଧ୍ୟ ଷ୍ଟେସନକୁ ପହଞ୍ଚିଛନ୍ତି।

କ୍ଲୋନ ସ୍ପେଶାଲ ମଧ୍ୟାହ୍ନ ପାଖାପାଖି ୧୨ଟା ୩୦ ମିନିଟ୍‌ରେ ଦିଲ୍ଲୀରୁ ଗନ୍ତବ୍ୟ ଅଭିମୁଖେ ବାହାରିଥିଲା। ଅପରାହ୍ନ ପ୍ରାୟ ୫ରୁ ସାଢେ ୫ଟା ମଧ୍ୟରେ ସରାୟ ଭୂପତ ଷ୍ଟେସନ ଅତିକ୍ରମ କରୁଥିବା ବେଳେ ବଗିରେ ନିଆଁ ଲାଗିଥିବା ଦେଖାଯାଇଛି। ଏସ-୧ ବଗିରୁ ଧୂଆଁ ବାହାରୁଥିବା ଦେଖି ଗାର୍ଡ ତୁରନ୍ତ ଟ୍ରେନକୁ ରୋକିବାକୁ ସିଗ୍ନାଲ ଦେଇଥିଲେ। ଟ୍ରେନ ରହିବା ମାତ୍ରେ ନିଆଁ ଲାଗିଥିବା ବଗିରୁ ଯାତ୍ରୀଙ୍କୁ ଓହ୍ଲାଇ ଦିଆଯାଇଥିଲା। ଯାତ୍ରୀ ଓହ୍ଲାଇମାତ୍ରେ ବଗିରେ ନିଆଁ ବ୍ୟାପି ଯାଇଥିଲା। ଛଟ ପର୍ବ ଲାଗି ରେଳବାଇ କ୍ଲୋନ ଏକ୍ସପ୍ରେସ୍ ଚଳାଇଛନ୍ତି। ତେବେ ଏହି ଅଗ୍ନିକାଣ୍ଡରେ ଧନଜୀବନ ହାନି ହୋଇ ନଥିବାର ରେଲବାଇ ପକ୍ଷରୁ ଘୋଷଣା କରାଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.