ଇସ୍ତାନାବୁଲ ନାଇଟ୍ କ୍ଲବରେ ବଡ଼ ଧରଣର ଅଗ୍ନିକାଣ୍ଡ, ନିଆଁରେ ପୋଡି ହୋଇ ୨୯ ମୃତ

Published By : Prameya-News7 Bureau | April 02, 2024 IST

ଇସ୍ତାନାବୁଲ ୨।୪: ତୁର୍କିର ସବୁଠୁ ବଡ଼ ସହର ଇସ୍ତାନାବୁଲରେ ଏକ ନାଇଟ କ୍ଲବରେ ଅଗ୍ନିକାଣ୍ଡ ହୋଇଛି। ଏହି ନାଇଟ୍ କ୍ଲବର ରିନୋଭେସନ କାମଚାଲୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଫଳରେ ୨୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ  ୮ଜଣ ଗୁରୁତର ରୂପେ ଆହତ ହୋଇଛନ୍ତି। ଏହି ମାମଲାରେ କ୍ଲବର ମ୍ୟାନେଜର ସମେତ ୫ ଜଣଙ୍କୁ ପୋଲିସ ଅଟକ ରଖିଛି। ଇସ୍ତାନାବୁଲ ଗଭର୍ଣ୍ଣର ଦାଭୁତ ଗୁଲଙ୍କ କାର୍ଯ୍ୟାଳୟ ଅନୁସାରେ ଆହତ ୮ ଜଣଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। 

ଗଭର୍ଣ୍ଣର କାର୍ଯ୍ୟାଳୟ କହିଛନ୍ତି ଯେ ଏହି ଅଗ୍ନିକାଣ୍ଡ ସହରର ୟୁରୋପୀୟ ଅଞ୍ଚଳର ମଧ୍ୟ ଇସ୍ତାନାବୁଲ ବେସିକଟାସ ଜିଲ୍ଲାରେ ହୋଇଛି। ଏହି ଅଗ୍ନିକାଣ୍ଡରେ ମୃତାହତ ଅଧିକାଂଶ ଲୋକେ ନିର୍ମାଣ ଶ୍ରମିକ। ତୁର୍କି ସରକାରୀ ସମ୍ବାଦ ସରବରାହ ସଂସ୍ଥା ଆନାଦୋଲୁ ସୂଚନା ଅନୁସାରେ ଅଗ୍ନିକାଣ୍ଡ ନାଇଟ୍‌ କ୍ଲବର ଅଣ୍ଡରଗ୍ରାଉଣ୍ଡରେ ହୋଇଛି। ଏଠାରେ ମରାମତି କାର୍ଯ୍ୟ ଚାଲୁଥିବା ବେଳେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ତୁର୍କିୟେ ନ୍ୟାୟମନ୍ତ୍ରୀ ତାଙ୍କ ଫେସବୁକ୍ ପୋଷ୍ଟରେ ଏହି ଦୁର୍ଘଟଣା ନିମନ୍ତେ ୫ ଜଣଙ୍କ ଗିରଫ ନିମନ୍ତେ ୱାରେଣ୍ଟ ଜାରି ହୋଇଥିବା ସୂଚିତ କରିଛନ୍ତି। 

ନ୍ୟାୟମନ୍ତ୍ରୀଙ୍କ ସୂଚନା ଅନୁସାରେ ଘଟଣାସ୍ଥଳରେ ସାଇଟ୍ ନିରୀକ୍ଷଣ ଓ ସାକ୍ଷ ସଂଗ୍ରହ ପ୍ରୟାସ ଜାରି ରହିଛି। ବ୍ୟବସାୟୀକ ସୁରକ୍ଷା ଓ ଅଗ୍ନିକାଣ୍ଡ ବିଶେଷଜ୍ଞଙ୍କ ୩ ଜଣିଆ ଟିମ୍‌ ନିଆଁ ଲାଗିବାର କାରଣ ଜାଣିବାକୁ ଉଦ୍ୟମ ଚଳାଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଇସ୍ତାନାବୁଲର ଜନଗହଳିପୂର୍ଣ୍ଣ ଆବାସିକ ଅଞ୍ଚଳରେ ଥିବା ଏ କ୧୬ ମହଲା ବିଲ୍ଡିଂର ଗ୍ରାଉଣ୍ଡ ଫ୍ଲୋରରେ ଏହି ନାଇଟ୍ କ୍ଲବ ଚାଲୁଥିଲା। ଏହା ଦୁର୍ଘଟଣା ବି ହୋଇପାରେ ଓ ଷଡ଼ଯନ୍ତ୍ରବି ,ଏଣୁ ପୋଲିସ ସବୁ ଆଙ୍ଗଲରୁ ମାମଲାର ତଦନ୍ତ କରୁଥିବା ଗଭର୍ଣ୍ଣର କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.