ତପସ୍ବିନୀ ଏକ୍ସପ୍ରେସରେ ଲାଗିଲା ନିଆଁ

Published By : Prameya-News7 Bureau | March 22, 2019 IST

ପୁରୀ ୨୨|୩ : ତପସ୍ବିନୀ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ । ଜଳିଯାଇଛି ୩ଟି ବଗି । ଟ୍ରେନ୍‌ ପୁରୀ ଷ୍ଟେସନ୍‌ର ୪ ନମ୍ବର ପ୍ଲାଟ୍‌ଫର୍ମରେ ସଫେଇ ପାଇଁ ଛିଡା ହୋଇଥିବା ବେଳେ ଏଥିରେ ନିଆଁ ଲାଗିଯାଇଥିଲା । ୩ ଟି ସ୍ଲିପର କୋଚ୍‌ ସଂପୂର୍ଣ୍ଣ ଜଳିଯାଇଛି । ଅଗ୍ନିକାଣ୍ଡର ସଠିକ୍‌ କାରଣ ଜଣାପଡିନାହିଁ ।କୌଣସି ଯାତ୍ରୀ କିମ୍ବା ରେଳକର୍ମଚାରୀଙ୍କର ଏଥିରେ କୌଣସି କ୍ଷତି ହୋଇନାହିଁ ।

ପୁରୀ ଷ୍ଟେସନର ୪ ନମ୍ବର ପ୍ଳାଟଫର୍ମରେ ସଫେଇ କାର୍ଯ୍ୟ ପାଇଁ ଛିଡ଼ା ହୋଇଥିବାବେଳେ ହାଟିଆ ତପସ୍ବିନୀ ଏକ୍ସପ୍ରେସରେ ନିଆଁ ଲାଗିଯାଇଥିଲା । ଅଗ୍ନିକାଣ୍ଡରେ ୩ଟି ବଗି ଜଳିଯାଇଥିଲା । ଟ୍ରେନ୍‌ର ୪ ନମ୍ବର କୋଚ୍‌ରେ ପ୍ରଥମେ ନିଆଁ ଲାଗିଥିଲା । ପରେ ଏହା ୩ ଓ ୫ ନମ୍ବର ସ୍ଲିପର କୋଚକୁ ବ୍ୟାପି ଯାଇଥିଲା । ଖବର ପାଇ ପ୍ରଥମେ ପୁରୀର ୩ଟି ଓ ପରେ ବ୍ରହ୍ମଗିରି, ସତ୍ୟବାଦୀ ଓ ପିପିଲରୁ ଏପରି ମୋଟ୍‌ ୮ଟି ଦମକଳ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ହେଲେ ଏସ-୩, ଏସ-୪, ଏସ-୫ ବଗି ସଂପୂର୍ଣ୍ଣ ପୋଡିଯାଇଥିଲା । ଏଥିରେ ଥିବା ସମସ୍ତ ଜିନିଷ ବି ଭସ୍ମୀଭୂତ ହୋଇଥିଲା । ଅଗ୍ନିକାଣ୍ଡର ଭୟାବହତା ଏତେ ଥିଲା ଯେ ସମଗ୍ର ଷ୍ଟେସନ୍‌ ଚାରିପାଖ ଅଞ୍ଚଳ ଧୁଆଁରେ ଭର୍ତ୍ତି ହୋଇଯାଇଥିଲା ।

ଅଗ୍ନିକାଣ୍ଡ ପରେ ଟ୍ରେନ୍‌ର ଅନ୍ୟ ସବୁ ବଗି ଗୁଡ଼ିକୁ ଅଲଗା କରି ଦିଆଯାଇଥିଲା। ତେଣୁ କୌଣସି ଯାତ୍ରୀ କିମ୍ବା ରେଳକର୍ମଚାରୀଙ୍କର କିଛି କ୍ଷତି ହୋଇନଥିଲା । କେଉଁ ପରିସ୍ଥିତିରେ ଟ୍ରେନରେ ନିଆଁ ଲାଗିଲା ପୋଲିସ୍ ଓ ଅଗ୍ନିଶମ ବିଭାଗ ପକ୍ଷରୁ ତଦନ୍ତ ଚାଲିଛି । ସେହିଭଳି ପୂର୍ବତଟ ରେଲୱେ ପକ୍ଷରୁ ମଧ୍ୟ ବିଶେଷଜ୍ଞମାନଙ୍କୁ ନେଇ ତଦନ୍ତ କରୁଛନ୍ତି ।

୨୦୧୫ରେ ପୁରୀ ପ୍ଲାଟଫର୍ମରେ ଛିଡା ହୋଇଥିବା ୩ ଟି ଟ୍ରେନରେ ନିଆଁ ଲାଗିଥିଲା । ଆତଙ୍କବାଦୀ କାର୍ଯ୍ୟକଳାପ ସଂପୃକ୍ତି ଆଶଙ୍କା କରି ଏନଆଇଏ ଘଟଣାର ତଦନ୍ତ କରିଥିଲା । ବାରମ୍ବାର ଏପରି ଘଟୁଥିବାରୁ ଲୋକେ ଢିଲା ସୁରକ୍ଷା ବ୍ୟବସ୍ଥାକୁ ଦାୟୀ କରିଛନ୍ତି ।

EndFragment

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.