ଚୀନ୍ କୋଇଲା ଖଣି କମ୍ପାନୀ  ବିଲ୍ଡିଂରେ ଭୀଷଣ ଅଗ୍ନିକାଣ୍ଡ, ପୋଡି ହୋଇ ୨୫ଜଣଙ୍କର ମୃତ୍ୟୁ

Published By : Prameya-News7 Bureau | November 16, 2023 IST

ଲ୍ୟୁଲିୟାଙ୍ଗ ୧୬।୫: ଚୀନ୍‌ର ଏକ କୋଇଲା ଖଣି କମ୍ପାନୀ କାର୍ଯ୍ୟାଳୟରେ ଗୁରୁବାର ଅଗ୍ନିକାଣ୍ଡ ହୋଇଛି। ଫଳରେ ନିଆଁରେ ପୋଡି ହୋଇ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ନିଆଁ ଲିଭାଇବା ପାଇଁ ଦମକଳ ନିୟୋଜିତ ହୋଇଛନ୍ତି। କୁହାଯାଉଛି ଉତ୍ତର ଚୀନର ସାଂକ୍‌ସୀ ପ୍ରାନ୍ତରେ ଥିବା କୋଇଲା କମ୍ପାନୀ କାର୍ଯ୍ୟାଳୟ ବିଲ୍ଡିଂରେ ନିଆଁ ଲାଗିଯାଇଛି।

ଅଗ୍ନିକାଣ୍ଡ ନେଇ ଚୀନ୍‌ ସରକାରୀ ଗଣମାଧ୍ୟମରୁ ଆସୁଥିବା ସୂଚନାରେ ଲ୍ୟୁଲିୟାଙ୍ଗ ସିଟିର ଲେସୀ ଜିଲ୍ଲାରେ ଅବସ୍ଥିତ ଖଣି କମ୍ପାନୀର ୫ ମହଲା ବିଲ୍ଡିଂର ଦ୍ୱିତୀୟ ମହଲାରେ ନିଆଁ ଲାଗିଛି। ସକାଳୁ ସକାଳୁ ଲାଗିଥିବା ନିଆଁରେ ପୋଡି ହୋଇ ୨୫ ଜଣ ପ୍ରାଣ ହରାଇଛନ୍ତି। ବିଲ୍ଡିଂରୁ ଲୋକଙ୍କ ଉଦ୍ଧାର ନିମନ୍ତେ ଉଦ୍ୟମ ଜାରିଥିବା ଦମକଳ ବିଭାଗ ଅଧିକାରୀମାନେ କହିଛନ୍ତି। ଏହି ଅଗ୍ନିକାଣ୍ଡ ଘରୋଇ କୋଇଲା କମ୍ପାନୀ ୟଙ୍ଗଜୁ ପ୍ରଶାସନିକ ବିଲ୍ଡିଂରେ ହୋଇଛି।

ନିଆଁ ଲାଗିବାର କାରଣ ଜଣାପଡି ନାହିଁ । ତେବେ ନିଆଁ ଆୟତ୍ତ ହେବା ପରେ ତଦନ୍ତରୁ ବାସ୍ତବ ଘଟଣା ଜଣାପଡିବ ବୋଲି ଅଧିକାରୀମାନେ କହିଛନ୍ତି। ୟଙ୍ଗଜୁ କୋଇଲା ଖଣି କମ୍ପାନୀର ବାର୍ଷିକ ଉତ୍ପାଦନ କ୍ଷମତା ୧୨୦ ଟନ୍। ତେବେ କମ୍ପାନୀ କାର୍ଯ୍ୟାଳୟରେ ନିଆଁ ଲାଗିବାର ଏହା ପ୍ରଥମ ଘଟଣା। ନିଆଁକୁ ଆୟତ୍ତ କରିବା ପାଇଁ ଦମକଳ ବିଭାଗ କର୍ମଚାରୀମାନେ ଉଦ୍ୟମ ଜାରି ରଖିଛନ୍ତି।   

ଚୀନରେ ଦ୍ରୁତ ଇଣ୍ଟରନେଟ୍ ଲଞ୍ଚ; ମିଳିବ ୧.୨ ଟେରାବାଇଟ୍ ସ୍ପିଡ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.