ONGC ତୈଳ ବିଶୋଧନାଗାରରେ ଭୟାବହ ଅଗ୍ନିକାଣ୍ଡ
24/09/2020 at 9:55 AM

ସୁରଟ ୨୪।୯: ଗୁଜୁରାଟର ସୁରଟରେ ଥିବା ତୈଳ ଏବଂ ପ୍ରାକୃତିକ ଗ୍ୟାସ ନିଗମ (ONGC) ତୈଳ ବିଶୋଧନାଗାରରେ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡ ହେବା ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବହୁ ଚେଷ୍ଟା ପରେ ମଧ୍ୟ ଏହା ନିୟନ୍ତ୍ରଣ କରାଯାଇ ନାହିଁ । ବର୍ତ୍ତମାନ ଅଗ୍ନିଶମ ବିଭାଗର ଅନେକ ଗାଡି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ସେମାନଙ୍କ ସହ ଜରୁରୀକାଳୀନ ସେବା ଏବଂ ONGC ବିଶେଷଜ୍ଞମାନେ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ।
ନିଆଁ ଏତେ ଭୟାବହ ହୋଇଯାଇଥିଲା ଯେ ବହୁ କିଲୋମିଟର ଦୂରରୁ ମଧ୍ୟ ଦେଖାଯାଉଥିଲା । ବର୍ତ୍ତମାନ ସୁଦ୍ଧା ନିଆଁ ଲିଭାଯାଇ ନାହିଁ ଏବଂ ନିଆଁକୁ ଲିଭାଇବା ପାଇଁ ଉଦ୍ୟମ ଜାରି ରହିଛି । ସକାଳ ବିସ୍ଫୋରଣ ପରେ ପ୍ଲାଣ୍ଟରେ ଏହି ଭୟାବହ ଅଗ୍ନିକାଣ୍ଡ ହୋଇଥିବା କୁହାଯାଉଛି । ନିକଟରେ ରହୁଥିବା ଲୋକଙ୍କ କହିବା ଅନୁସାରେ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ପ୍ରାୟ ୫ କିଲୋମିଟର ଦୂର ପର୍ଯ୍ୟନ୍ତ ଏହାର ଶବ୍ଦ ଶୁଣାଯାଇଥିଲା ।
ଏହି ଅଗ୍ନିକାଣ୍ଡ କିପରି ହୋଇଛି ସେନେଇ କିଛି ସୂଚନା ମିଳିପାରି ନାହିଁ । ONGC ଅଧିକାରୀମାନେ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।