ଶାଲିମାର ଏକ୍ସପ୍ରେସ୍‌ର ପାର୍ସଲ ବଗିରେ ଅଗ୍ନିକାଣ୍ଡ, ଯାତ୍ରୀ ସୁରକ୍ଷିତ

Published By : Prameya-News7 Bureau | November 05, 2022 IST

ନାସିକ୍‌ ୫।୧୧: ମହାରାଷ୍ଚ୍ରର ନାସିକ ରୋଡ ଷ୍ଟେସନରେ ଶନିବାର ମୁମ୍ବାଇ ଯାଉଥିବା ଶାଲିମାର ଏକ୍ସପ୍ରେସର ପାର୍ସଲ ବଗିରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ କେହି ହତାହତ ହୋଇ ନାହାନ୍ତି। ତେବେ ଦୁର୍ଘଟଣା ଯୋଗୁ ମଧ୍ୟ ରେଳବାଇଙ୍କ ଏହି ମାର୍ଗରେ ରେଳ ଚଳାଚଳ ବାଧିତ ହୋଇଛି, କେତେକ ଟ୍ରେନର ଯାତ୍ରା ବିଳମ୍ବିତ ହୋଇଥିବା ଅଧିକାରୀ କହିଛନ୍ତି।

ରେଳବାଇ ଅଧିକାରୀଙ୍କ ଅନୁସାରେ ପଶ୍ଚିମବଙ୍ଗ ଶାଲିମାର ଓ ମୁମ୍ବାଇର ଲୋକମାନ୍ୟ ତିଲକ ଟର୍ମିନାଲ ମଧ୍ୟରେ ଚଳାଚଳ କରୁଥିବା ଟ୍ରେନ ନମ୍ବର ୧୮୦୩୦ ନାସିକ ରୋଡ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୩ରେ ଛିଡା ହୋଇଥିବା ବେଳେ ପାର୍ସଲ ବଗିରେ ନିଆଁ ଦେଖାଯାଇଥିଲା। ତୁରନ୍ତ ସ୍ଥାନୀୟ ଦମକଳ ବିଭାଗକୁ ଖବର ଦିଆଯାଇଥିଲା।  ତେବେ ଦମକଳ ପହଞ୍ଚିବା ପୂର୍ବରୁ ରେଳବାଇ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ।

{"id":705093,"width":724,"height":477,"sizeSlug":"full","linkDestination":"none"}

ପୂର୍ବାହ୍ନ ପ୍ରାୟ ୮ଟା ୪୩ ମିନିଟ୍‌ରେ ନିଆଁ ଲାଗିଥିବା ବେଳେ ସାଢେ ୯ଟା ବେଳକୁ ନିଆଁ ଆୟତ୍ତ ହୋଇଥିଲା। ନିଆଁକୁ ଆୟତ୍ତ କରିବା ପାଇଁ ନାସିକ ନଗରନିଗମର ୩ଟି ଦମକଳ ଗାଡିକୁ ନିୟୋଜିତ କରାଯାଇଥିଲା। ଏଥିଲାଗି ସତର୍କତା ସ୍ୱରୂପ ଓଭର ହେଡ ତାରରେ ବିଦ୍ୟୁତ ଯୋଗାଣ ତତ୍କାଳ ବନ୍ଦ କରିଦିଆଯାଇଥିଲା। ଫଳରେ ଏହି ରେଳ ଖଣ୍ଡରେ ଚଳାଚଳ କରୁଥିବା ଅନ୍ୟ ଟ୍ରେନଗୁଡିକର ଯାତ୍ରା ପ୍ରଭାବିତ  ହୋଇଥିଲା।

ମଧ୍ୟ ରେଳବାଇ ଲୋକସମ୍ପର୍କ ଅଧିକାରୀ ଶିବାଜୀ ସୂତାର ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା କହିଛନ୍ତି। ତେବେ ନିଆଁ ଲାଗିବାର କାରଣ ଜଣାପଡିନଥିବା ସେ କହିଛନ୍ତି। ନିଆଁଲିଭିବା ପରେ ଟ୍ରେନକୁ ପୂର୍ବାହ୍ନ ୧୧ଟା ୫୭ ମିନିଟ୍‌ରେ ମୁମ୍ବାଇ ଅଭିମୁଖେ ଛଡାଯାଇଥିଲା। ତେବେ ଶାଲିମାର ଏକ୍ସପ୍ରେସ ୮ ଘଣ୍ଟା ବିଳମ୍ବରେ ଚାଲୁଥିବା ବେଳେ ନିଆଁ ଲାଗିବା ଯୋଗୁ ଏହା ଅଧିକ ବିଳମ୍ବିତ ହୋଇଛି। ଏଣୁ ସମ୍ପୃକ୍ତ ମାର୍ଗରେ ଅନ୍ୟ ରେଳଗାଡି ଯାତାୟାତରେ ମଧ୍ୟ ବିଳମ୍ବ ହୋଇଥିବା ଅଧିକାରୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.