ଇସ୍ରାଏଲ ଗାଜାପଟ୍ଟିରେ ଭୟାବହ ଅଗ୍ନିକାଣ୍ଡ, ଶରଣାର୍ଥୀ ଶିବିରରେ ନିଆଁ ଲାଗି ୨୧ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | November 18, 2022 IST

ନୂଆଦିଲ୍ଲୀ: ଇସ୍ରାଏଲର ଗାଜାପଟ୍ଟିରେ ଭୟଙ୍କର ଅଗ୍ନିକାଣ୍ଡ । ଶରଣାର୍ଥୀ ଶିବିରରେ ନିଆଁ ଲାଗିବା ଯୋଗୁ ୨୧ଜଣଙ୍କ ମୃତ୍ୟୁ ହୋଇଛି । ଗୁରବାର ରାତିରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି । ସ୍ଥାନୀୟ ପ୍ରଶାସନ ଓ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଛନ୍ତି । ଏଥିରେ ଚାରି ମହଲା ବିଶିଷ୍ଟ କୋଠା ସମ୍ପୂର୍ଣ୍ଣ ରୂପେ ଧ୍ବଂସ ହୋଇଯାଇଛି ।

ସମାଚାର ଏଜେନ୍ସି ରାଇଟର୍ସ ଅନୁଯାୟୀ, ଏହି ଭୟାବହ ଅଗ୍ନିକାଣ୍ଡ ଇସ୍ରାଏଲର ଗାଜାପଟ୍ଟି ଜନବସତି ଅଞ୍ଚଳରେ ଥିବା ଶରଣାର୍ଥୀ ଶିବିରରେ ଘଟିଛି । ଅଗ୍ନିକାଣ୍ଡର କିଛି କ୍ଷଣ ମଧ୍ୟରେ ସମ୍ପୂର୍ଣ୍ଣ ୪ମହଲା ବିଶିଷ୍ଟ କୋଠା ନିଆଁର ଆଁରେ ଆସିଥିଲା । ଏହି ଦୁର୍ଘଟଣାରେ ଶିବିରରେ ଥିବା ଶରଣାର୍ଥୀଙ୍କ ମୃତ୍ୟୁ ହୋଇଛି । ମୋଟ୍ ୨୧ ମୃତକଙ୍କ ମଧ୍ୟରେ ୭ଜଣ ଛୋଟ ପିଲାଙ୍କ ଥିବା ଜଣାପଡ଼ିଛି । ଖବର ପାଇ ଦମକଳ ବାହିନୀ ନିଆଁକୁ ଆୟତ୍ତ କରିଛି ।

ଶରଣାର୍ଥୀ ଶିବିରରେ ଥିବା ଗ୍ୟାସୋଲିନ୍ ଯୋଗୁ ନିଆଁ ଲାଗିଥିବା ଜଣାପଡ଼ିଛି । ଦେଖଣାହାରୀଙ୍କ କହିବା ଅନୁଯାୟୀ, ଅଗ୍ନିକାଣ୍ଡ ଏତେ ଭୟାବହ ଥିଲା ଯେ, ଶିବିରରେ ଆଶ୍ରୟ ନେଇଥିବା ଲୋକଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା । ଇସ୍ରାଏଲ ସରକାର ଏହି ଦୁଃଖଦ ଘଟଣାକୁ ନେଇ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏହା ସହିତ ଗୋଟିଏ ଦିନ ଶୋକ ଦିବସ ରୂପେ ଘୋଷଣା କରିଛନ୍ତି ।

ଗାଜାର ଏହି ଶରଣାର୍ଥୀ ଶିବିର ଜନବସତି ଅଞ୍ଚଳରେ ରହିଛି । ଏଠାରେ ସ୍ଥାନୀୟ ଲୋକେ ଗ୍ୟାସୋଲିନ, ଡିଜେଲର ଭଣ୍ଡାର କରିଛନ୍ତି । ମାତ୍ରାଧିକ ଗ୍ୟାସୋଲିନ୍ ଯୋଗୁ ନିଆଁ ଲାଗିଥିବା ଜଣାପଡ଼ିଛି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.