ମୁମ୍ବାଇ ଘଟକୋପର ଅଞ୍ଚଳରେ ଅଗ୍ନିକାଣ୍ଡ, ୧ ମୃତ, ୨୨ ଆହତ

Published By : Prameya-News7 Bureau | December 17, 2022 IST

ମୁମ୍ବାଇ ୧୭।୧୨: ମୁମ୍ବାଇ ଘଟକୋପର ଅଞ୍ଚଳରେ ଶନିବାର ଅଗ୍ନିକାଣ୍ଡ ହୋଇଛି। ଫଳରେ ଦୁଇ ଜଣ ନିଆଁରେ ପୋଡି ହୋଇଯାଇଥିବା ବେଳେ ଜଣକର ମୃତ୍ୟୁ ହୋଇଛି। ଅଗ୍ନିକାଣ୍ଡ ପାରେଖ ହସ୍ପିଟାଲ ନିକଟସ୍ଥ ଅଞ୍ଚଳରେ ହୋଇଛି। ଏଣୁ ଅଗ୍ନି କାଣ୍ଡରେ ଆହତ ଲୋକଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଆହତମାନଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେଉଥିବାରୁ ସେମାନଙ୍କୁ ପାଖରେ ଥିବା ଆଉ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଏହି ଅଗ୍ନିକାଣ୍ଡ ଘଟକୋପର ଅଞ୍ଚଳରେ ଥିବା ଜୁନୋ ପିଜା ହୋଟେଲରେ ହୋଇଛି। ତେବେ ଦମକଳ ବିଭାଗ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି। ଏହି ଅଗ୍ନିକାଣ୍ଡରେ ୨ ଜଣ ପୋଡିହୋଇଯାଇଥିଲେ। ଏଥିରୁ ଜଣକର ମୃତ୍ୟୁ ହୋଇଯାଇଛି। ମୃତକଙ୍କୁ କୁରସୀ ଡେଧିଆ ଓ ତାଙ୍କ ବୟସ ୪୬ ବର୍ଷ ଭାବେ ଚିହ୍ନଟ କରାଯାଇଛି। ବିଲ୍ଡିଂର ଗ୍ରାଉଣ୍ଡ ଫ୍ଲୋରରେ ଥିବା ମିଟର ବକ୍ସରେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିଲା। ଏଥିରେ ସାରା ବିଲ୍ଡିଂ ହୁତହୁତ ହୋଇ ଜଳିବାକୁ ଲାଗିଥିଲା।

ଅଗ୍ନିକାଣ୍ଡ ଘଟିଥିବା ବିଲ୍ଡିଂର ନାମ ବିଶ୍ୱାସ। ଗ୍ରାଉଣ୍ଡ ଫ୍ଲୋରରେ ଜୁନୋ ପିଜା ହୋଟେଲର ମିଟର ରୁମ ଥିଲା। ତେବେ ପାରେଖ ହସ୍ପିଟାଲ ବିଲ୍ଡିଂ ନିକଟରେ ଥିବାରୁ ଆହତଙ୍କୁ ତୁରନ୍ତ ହସ୍ପିଟାଲ ପଠାଇ ଦିଆଯାଇଥିଲା। ଏହା ଛଡା ପୁଣେ ସହରର ବାହ୍ୟାଞ୍ଚଳ ଭୀମା କୋରେଗାଓଁରେ ମଧ୍ୟ ଶନିବାର ନିଆଁ ଲାଗିଥିବା ଜଣାପଡିଛି। ଏଠାରେ ଥିବା ଏଆଇଏମ କମ୍ପାନୀରେ ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଆୟତ୍ତ କରିବା ପାଇଁ ୬ଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.