ଲକ୍ ଡାଉନରେ ଲୋକଙ୍କୁ ପନିପରିବା ବାଣ୍ଟୁଥିଲେ କଂଗ୍ରେସ ବିଧାୟକ, ଲୋକେ ଭିଡ କରିବାରୁ ପୋଲିସ ଦେଲା FIR

Published By : Prameya-News7 Bureau | March 26, 2020 IST

ପୁଡୁଚେରୀ ୨୬।୩: କରୋନା ଭାଇରସ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ସାରା ଦେଶରେ ଏବେ ଲକ୍ ଡାଉନ୍ । ସରକାର ଏବେ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ଏବଂ ଘରେ ରହିବାକୁ ନିବେଦନ କରୁଛନ୍ତି। ଏଭଳି ପରିସ୍ଥିତିରେ ପୋଲିସ ପୁଡୁଚେରୀରେ କଂଗ୍ରେସ ବିଧାୟକ ଜନ୍ କୁମାରଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି। କଂଗ୍ରେସ ବିଧାୟକ କରୋନା ଭାଇରସ୍ ଲକ୍ ଡାଉନ୍ ଆଦେଶ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି।
ପୁଡୁଚେରୀ ପୋଲିସର ସୂଚନା ଅନୁସାରେ, କଂଗ୍ରେସ ବିଧାୟକ ଜନ୍ କୁମାର ତାଙ୍କ ବାସଭବନ ନିକଟରେ ୨୦୦ରୁ ଅଧିକ ଲୋକଙ୍କ ଭିଡ ମଧ୍ୟରେ ପନିପରିବା ପ୍ୟାକେଟ୍ ବଣ୍ଟନ କରିଥିବା ଅଭିଯୋଗ ହୋଇଛି। ଗୋଟିଏ ସ୍ଥାନରେ ଭିଡ ଜମା କରିବା ଦ୍ବାରା କରୋନା ଭାଇରସ୍ ସଂକ୍ରମଣ ବ୍ୟାପିବାର ବିପଦ ରହିଛି | ଏଭଳି ପରିସ୍ଥିତିରେ ଯଦି ଶାସକ ଦଳର ବିଧାୟକମାନେ ନିୟମ ଉଲ୍ଲଂଘନ କରିବେ, ତେବେ ସାଧାରଣ ଲୋକମାନେ କିପରି ଏହି ନିୟମ ପାଳନ କରିବେ।
ତେବେ ସରକାରଙ୍କ ତରଫରୁ ବାରମ୍ବାର କୁହାଯାଉଛି ଯେ, ଲକ୍ ଡାଉନ୍ ସମୟରେ ସରକାର ଖାଦ୍ୟ ଶସ୍ୟ, ଫଳ, ପନିପରିବା ଏବଂ ଔଷଧ ଲୋକଙ୍କ ଘରେ ପହଞ୍ଚାଇବା ପାଇଁ କାର୍ଯ୍ୟ କରିବେ। ଏମିତିରେ କଂଗ୍ରେସ ବିଧାୟକ ଜନ୍ କୁମାର ଯେଉଁଭଳି ଏତେ ଲୋକଙ୍କ ଭିଡ ମଧ୍ୟରେ ପନିପରିବା ପ୍ୟାକେଟ୍ ବଣ୍ଟନ କରୁଥିଲେ ସେଭଳି ସ୍ଥିତିରେ କରୋନା ଭାଇରସ୍ ସଂକ୍ରମଣ ହେବାର ଆଶଙ୍କା ରହିଛି।
ସୂଚନାଯୋଗ୍ୟ ଯେ, କାମରାଜନଗର ଉପ-ନିର୍ବାଚନରେ ବିଧାୟକ ଜନ୍ କୁମାରଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ ହୋଇଥିଲା। ନିର୍ବାଚନ ଆୟୋଗଙ୍କୁ ଦିଆଯାଇଥିବା ଆଫିଡେଭିଟ୍ ରେ ଜନ୍ କୁମାର ସମ୍ପତ୍ତି ସହ ଜଡିତ ତଥ୍ୟ ଲୁଚାଇଥିବା ଏହି ଏଫଆଇଆରେ ଅଭିଯୋଗ ହୋଇଥିଲା ।
କରୋନା ଭାଇରସ୍ ପ୍ରତ୍ୟେକ ଦିନ କରାଳ ରୂପ ନେଉଛି । ଏବେ ଦେଶବ୍ୟାପି ଲକ୍ ଡାଉନ୍ ହୋଇଥିଲେ ମଧ୍ୟ କରୋନା ସଂକ୍ରମିତ ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି | ଏପର୍ଯ୍ୟନ୍ତ ମୋଟ୍ ସଂକ୍ରମିତ ସଂଖ୍ୟା ୬୦୦ ଅତିକ୍ରମ କରିସାରିଚି । ଏହି ଭାଇରସରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି।କେବଳ ବୁଧବାର ଦିନ, କରୋନା ସଂକ୍ରମିତ ୩ ଜଣଙ୍କର ମୃତ୍ୟୁ ହୋଇଛି। ପ୍ରଥମେ ତାମିଲନାଡୁରେ, ପରେ ମଧ୍ୟପ୍ରଦେଶରେ ଏବଂ ପରେ ଗୁଜରାଟର ଅହମ୍ମଦାବାଦରେ ମୃତ୍ୟୁ ଘଟିଥିଲା। ମହାରାଷ୍ଟ୍ର ଏବଂ କେରଳରେ ଏପର୍ଯ୍ୟନ୍ତ ସର୍ବାଧିକ କରୋନା ଭାଇରସ୍ ସଂକ୍ରମିତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.