ହସ୍ପେଟ୍ ୩୧।୮: କର୍ଣ୍ଣାଟକ ପର୍ଯ୍ୟଟନ ଓ ପରିବେଶ ମନ୍ତ୍ରୀ ଆନନ୍ଦ ସିଂହଙ୍କ ବିରୋଧରେ ମୋକଦ୍ଦମା ରୁଜୁ ହୋଇଛି। ଏକ ଜମିବାଡି ବିବାଦକୁ କେନ୍ଦ୍ରକରି ପରିବାରକୁ ଧମକାଇବା ଓ ପରେ ପରିବାର ସଦସ୍ୟଙ୍କ ଆତ୍ମହୂତୀ ଉଦ୍ୟମ ଘଟଣାରେ ଏହି ମାମଲା ରୁଜୁ ହୋଇଛି। ପୋଲିସ ପରିବାର ସଦସ୍ୟଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଡି.ପୋଲପ୍ପାଙ୍କ ଅଭିଯୋଗ ଆଧାରରେ ମନ୍ତ୍ରୀ ଆନନ୍ଦ ସିଂହ ଓ ଅନ୍ୟ ୩ ଜଣଙ୍କ ବିରୋଧରେ ମୋକଦ୍ଦମା ରୁଜୁ ହୋଇଥିବା ପୋଲିସ ବୁଧବାର କହିଛି।
ଅଭିଯୋଗ ଆଧାରରେ ଅନୁସୂଚିତ ଜାତି-ଜନଜାତିଙ୍କ ବିରୋଧରେ ଅତ୍ୟାଚାର ନିବାରଣ ଅଧିନିୟମ ସମେତ ଭାରତୀୟ ଦଣ୍ଡବିଧି ଆଇନର ଧାରା ୫୦୪ଓ ୫୦୬ରେ ମୋକଦ୍ଦମା ରୁଜୁ ହୋଇଛି। ବିବରଣୀରୁ ପ୍ରକାଶ ଯେ ହସ୍ପେଟ୍ ଜିଲ୍ଲାର ଡି. ପୋଲପ୍ପା ଆଦିବାସୀୟ ସମୂଦାୟର ହୋଇଥିବା ବେଳେ ତାଙ୍କର ଏକ ଜମି ଉପରେ ଅନ୍ୟ ସମୂଦାୟ ଦାବି ଉପସ୍ଥାପନ କରୁଛନ୍ତି। ଏଥିରେ ପର୍ଯ୍ୟଟନ ଓ ପରିବେଶ ମନ୍ତ୍ରୀ ଆନନ୍ଦ ସିଂହ ମଙ୍ଗଳବାର ଗାଁ ପରିଦର୍ଶନରେ ଯାଇଥିବା ବେଳେ ସମ୍ପୃକ୍ତ ସମୂଦାୟର ଲୋକେ ଜମି ବିବାଦ ସମାଧାନ ଲାଗି ମନ୍ତ୍ରୀଙ୍କୁ ନିବେଦନ କରିଥିଲେ।
ତେବେ ପୋଲପ୍ପା ମନ୍ତ୍ରୀ ତାଙ୍କ ପରିବାରଙ୍କୁ ନିଆଁ ଲଗେଇ ପୋଡି ଦେବାକୁ ଧମକ ଦେଇଥିବା ଅଭିଯୋଗ କରି ହସ୍ପେଟ ଗ୍ରାମୀଣ ଥାନା ସମ୍ମୁଖରେ ଆତ୍ମଦାହ ଉଦ୍ୟମ କରିଥିଲେ। ଏଥିରେ ପୋଲପ୍ପାଙ୍କ ସମେତ ତାଙ୍କର ୪ ଜଣ ସମ୍ପର୍କୀୟ ମଧ୍ୟ ଦେହରେ ନିଆଁ ଲଗାଇବାକୁ ଉଦ୍ୟମ କରିବା ବେଳେ ପୋଲିସ ଏଥିରୁ ସେମାନଙ୍କୁ ନିବୃତ୍ତ କରିଛି। ଉଲ୍ଲେଖ ଯୋଗ୍ୟ ଯେ ପୋଲିସ ପୋଲପ୍ପା ଓ ତାଙ୍କ ୪ ସହଯୋଗୀଙ୍କ ବିରୋଧରେ ଆତ୍ମଦାହ ଉଦ୍ୟମରେ ମାମଲା ରୁଜୁ କରିଥିବା କହିଛି।