ଅଭିନେତ୍ରୀ ରିୟାଙ୍କ ଘରେ ପୋଲିସ, ସହାୟିକାଙ୍କୁ ନିର୍ଯାତନା ଓ ମାଡ଼ ମାମଲାରେ ଦମ୍ପତ୍ତିଙ୍କୁ ଜେରା

Published By : Prameya-News7 Bureau | July 12, 2024 IST

କଟକ ୧୨/୦୭: ଓଲିଉଡ୍‌ ଅଭିନେତ୍ରୀ ରିୟା ଦେ’ଙ୍କ ନାଁରେ ଭୁବନେଶ୍ୱରରେ ହୋଇଥିବା ଶିଶୁ ନିର୍ଯାତନା ମାମଲା କଟକ ବିଡ଼ାନାସୀ ଥାନାକୁ ସ୍ଥାନାନ୍ତର ହୋଇଛି । ବିଡ଼ାନାସୀ ଥାନାରେ ମାମଲା ରୁଜୁ ପରେ ଗୁରୁବାର ଅଭିଯୁକ୍ତ  ରିୟା ଦେ’ଙ୍କୁ ପୁଲିସ ପଚରାଉଚରା କରିଛି । ଶୁକ୍ରବାର କଟକ ପୁଲିସ ଟିମ୍‌ ଭୁବନେଶ୍ୱର  ଯାଇ ପୀଡ଼ିତାଙ୍କ ବୟାନ ରେକର୍ଡ କରିବ ବୋଲି  ବିଡ଼ାନାସୀ ଥାନା ପକ୍ଷରୁ ସୂଚନା ଦିଆଯାଇଛି । ମିଳିଥିବା ସୂଚନା ଅନୁସାରେ, ନାବାଳିକାଙ୍କ ଘର ସାଲେପୁର ଅଞ୍ଚଳରେ । 

ସମ୍ପୃକ୍ତ ନାବାଳିକାଙ୍କୁ ତାଙ୍କର ଜଣେ ପରିଚିତ ମହିଳା କଟକ ବିଡ଼ାନାସୀ ବନ୍ଧତଳ ଅଞ୍ଚଳରେ ଅଭିନେତ୍ରୀ ରିୟାଙ୍କ ଘରେ ଘରୋଇ ସହାୟିକା ଭାବେ କାମ କରିବା ପାଇଁ  ଛାଡ଼ିଥିଲେ । ପାରିଶ୍ରମିକ ବାବଦ ମାସକୁ ୮ ହଜାର  ଟଙ୍କା ଦେବେ ବୋଲି ସ୍ଥିର ହୋଇଥିଲା । ନାବାଳିକା  କାମ କରିବା ମଧ୍ୟରେ କେତେବେଳେ କୌଣସି  ଭୁଲ୍‌ ହେଲେ ରିୟା ତାଙ୍କୁ ମାଡ଼ ମାରୁଥିଲେ । କେବଳ ରିୟା ନୁହଁନ୍ତି, ତାଙ୍କ ସ୍ୱାମୀ ମଧ୍ୟ ବିୟର ବୋତଲରେ ଆକ୍ରମଣ କରୁଥିବା ନାବାଳିକା ଚାଇଲ୍ଡ ଲାଇନ୍‌ ନିକଟରେ ଅଭିଯୋଗ କରିଥିଲେ ।  

ନିର୍ଯାତନା ବଢ଼ିବାରୁ ଦୁଇ ଦିନ ତଳେ ନାବାଳିକା  ଲୁଚି ପଳାଇ ଆସି ଭୁବନେଶ୍ୱରରେ ଥିବା ନିଜ ପରିଚିତ ଲୋକଙ୍କ ପାଖରେ ଘଟଣା ସଂପର୍କରେ  ଜଣାଇଥିଲେ । ସବୁ ଘଟଣା ଜାଣିବା ପରେ  ନାବାଳିକାଙ୍କ ପରିଚିତ ଲୋକ ଚାଇଲ୍ଡଲାଇନ୍‌କୁ  ଖବର ଦେଇଥିଲେ । ଚାଇଲ୍ଡଲାଇନ୍‌ ଟିମ୍‌ ଘଟଣା  ସ୍ଥଳରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରି  ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦେଇଥିଲେ । ପୁଲିସ୍‌ ଉକ୍ତ ମାମଲାକୁ ଜିରୋ ଏଫ୍‌ଆଇଆର୍‌  ଭାବେ ରୁଜୁ କରି ବିଡ଼ାନାସୀ ଥାନାକୁ ସ୍ଥାନାନ୍ତର  କରିଥିଲା । 

ଅଭିଯୋଗଟି ଥାନାକୁ ଆସିବା ପରେ  ବିଡ଼ାନାସୀ ପୁଲିସ ମାମଲା ରୁଜୁ କରି ତୁରନ୍ତ  ଆରମ୍ଭ କରିଛି । ବିଏନ୍‌ଏସ୍‌ର ଦଫା ୧୧୫(୨), ୧୩୬(୨) ଓ ବାଳ ଶ୍ରମିକ ନିରୋଧ ଓ ନିୟନ୍ତ୍ରଣ  ଆଇନର ଧାରା ୧୪ରେ ମାମଲା ରୁଜୁ ହୋଇଛି । ଗୁରୁବାର ସକାଳେ ଥାନା ଅଧିକାରୀ ଯୁବରାଜ ସ୍ୱାଇଁ ଅଭିନେତ୍ରୀ ରିୟା ଦେ’ଙ୍କ ଫ୍ଲାଟ୍‌କୁ  ଯାଇ ପଚରାଉଚରା କରିଛନ୍ତି । ଏହି ସମୟରେ ରିୟାଙ୍କ ସହିତ ତାଙ୍କ ସ୍ୱାମୀ ସୁନିଲ ଦଳେଇ ମଧ୍ୟ  ଉପସ୍ଥିତ ଥିଲେ । ଦୁହେଁ ମାଡ଼ ମରାଯିବା ଘଟଣାକୁ  ଅସ୍ୱୀକାର କରିଥିବା ପୁଲିସ କହିଛି । 

ଏନେଇ  ପାଖ ପଡ଼ୋଶୀଙ୍କୁ ମଧ୍ୟ ପୁଲିସ ପଚରାଉଚରା  କରୁଛି । ଦୁଇ ଦିନ ତଳେ ସହାୟିକା ଜଣକ ଘରୁ  କେଉଁଆଡ଼େ ଚାଲିଯିବା ପରେ ଆମେ ଏନେଇ  ବିଡ଼ାନାସୀ ଥାନାରେ ଏକ ଏତଲା ମଧ୍ୟ ଦେଇଥିଲୁ ।  ପୁଲିସ ଏକ ମିସିଂ କେସ୍‌ ମଧ୍ୟ କରିଥିବା ରିୟା  ପୁଲିସକୁ ଜଣାଇଛନ୍ତି। ବିଡ଼ାନାସୀ ଥାନା ପୁଲିସ ମଧ୍ୟ  ଏଭଳି ନିଖୋଜ ଘଟଣା ନେଇ ରିୟା ଦୁଇ ଦିନ ତଳେ  ଅଭିଯୋଗ କରିଥିଲେ ବୋଲି କହିଛି । 

ଅନ୍ୟପଟେ ଶୁକ୍ରବାର ତଦନ୍ତକାରୀ ଟିମ୍‌ ଭୁବନେଶ୍ୱର ଯାଇ ଅଭିଯୋଗକାରିଣୀ ସହାୟିକାଙ୍କୁ ପଚାରାଉଚରା  କରିବ ବୋଲି ଥାନା ଅଧିକାରୀ ଶ୍ରୀ ସ୍ୱାଇଁ ଜଣାଇଛନ୍ତି । ଏଯାବତ ହୋଇଥିବା ତଦନ୍ତରେ ସହାୟିକାଙ୍କ ବୟସ ୧୯ ଓ ସେ ଦେଢ଼ ବର୍ଷ ତଳୁ ରିୟାଙ୍କ ଘରେ କାମ  କରୁଥିଲେ ବୋଲି ଜଣାପଡ଼ିଥିବା ପୁଲିସ କହିଛି । ସେ ନାବାଳିକା ଥିବା ବେଳେ ନିର୍ଯାତନାର ଶିକାର ହୋଇଛନ୍ତି କି ନାହିଁ ତାହା ତଦନ୍ତ ପରେ ଜଣାପଡ଼ିବ  ବୋଲି ଥାନା ଅଧିକାରୀ ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.