ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ସମେତ୧୯ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କଲା ପାଟଣା ପୋଲିସ, କୃଷକଙ୍କ ସମର୍ଥନରେ ଦେଇଥିଲେ ଧାରଣା
5/12/2020 at 9:40 PM

ପାଟଣା ୦୫/୧୨ : ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ବୀ ଯାଦବଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି । ତେଜସ୍ବୀ ଯାଦବ ସମେତ ମୋଟ ୧୮ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏମାନେ ସମସ୍ତେ କରୋନା ମହାମାରୀ ଚାଲୁଥିବା ସମୟରେ ବିନା ଅନୁମତିରେ ଗାନ୍ଧୀ ବୈଦାନ ବାହାରେ ଚାଷୀ ମୁଦ୍ଦାକୁ ନେଇ ଧାରଣା ଦେଇଥିଲେ । ତେବେ ଏମାନଙ୍କ ବିରୁଦ୍ଧରେ ପାଟଣା ପୋଲିସ ମାମଲା ରୁଜୁ କରିଥିବା ସୂଚନା ମିଳିଛି ।
ତେଜସ୍ବୀଙ୍କ ନେତୃତ୍ବରେ ଆରଜେଡି ଏବଂ କଂଗ୍ରେସର ନେତା ଆଜି ସକାଳେ ଗାନ୍ଧୀ ମୈଦାନର ଗେଟ୍ ନଂ-୪ରେ କୃଷକମାନଙ୍କ ମୁଦ୍ଦାକୁ ନେଇ ଧାରଣାରେ ବସିଥିଲେ । ତେବେ ସମସ୍ତଙ୍କୁ ପ୍ରଶାସନ ପକ୍ଷରୁ ବାରମ୍ବାର ସେହି ସ୍ଥାନରୁ ଉଠିଯିବା ପାଇଁ କୁହାଯାଇଥିଲା । କିନ୍ତୁ ଧାରଣାରତ ନେତାମାନଙ୍କ ମଧ୍ୟରୁ କେହି ମଧ୍ୟ ପ୍ରଶାସନର କଥା ଶୁଣିନଥିଲେ ।
ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ବୀ ଯାଦବଙ୍କ ସମେତ ବିଧାୟକ ଆଲୋକ ମେହେଟ୍ଟା, ରମାନନ୍ଦ ଯାଦବ, ପୁର୍ବତନ ମନ୍ତ୍ରୀ ଶ୍ୟାମ ରଜାକ୍, ରମାଇ ରାମ, ପୂର୍ବତନ ବିଧାୟକ ଶକ୍ତି ସିଂହ ଯାଦବ, ଆରଜେଡି ପ୍ରବକ୍ତା ମୃତ୍ୟୁଞ୍ଜୟ ତିଓ୍ବାରୀ, ବିହାର କଂଗ୍ରେସ ଅଧ୍ୟକ୍ଷ ମଦନ ମୋହନ ଝା ଏବଂ ଅନ୍ୟ କାର୍ଯ୍ୟକର୍ତ୍ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି ପୋଲିସ ।
ଏହାପୂର୍ବରୁ କୃଷି ଆଇନ ୨୦୨୦କୁ ବିରୋଧ କରି ପାଟନାରେ ଗାନ୍ଧୀ ମୈଦାନରେ ପହଞ୍ଚିଥିବା ତେଜସ୍ୱୀ ଯାଦବ କହିଥିଲେ ଯେ ଆଜି ଆମେ ବାପୁଙ୍କ ସମ୍ମୁଖରେ ଏକ ସଂକଳ୍ପ କରିବୁ ଯେ ଆମେ କୃଷକଙ୍କ ସଂଘର୍ଷ ସହ ଦୃଢ ଭାବରେ ଠିଆ ହୋଇଛୁ । ସେ କହିଛନ୍ତି ଯେ ଏମଏସପି ଯେତେ ହେଲେ ମଧ୍ୟ କୃଷକମାନେ ସର୍ବନିମ୍ନ ସହାୟକ ମୂଲ୍ୟ ପାଇବା ଉଚିତ । ସରକାରଙ୍କ ଦ୍ବାରା ଏମଏସପି ଉଲ୍ଲେଖ ନକରିବାର ଅର୍ଥ ହେଉଛି କୃଷି କ୍ଷେତ୍ର ଘରୋଇ ହାତରେ ବିକ୍ରି ହେଉଛି ଏବଂ ଏହାକୁ ଘରୋଇକରଣ କରାଯାଉଛି । ଆଗାମୀ ଦିନରେ ଏହାକୁ ତୀବ୍ର ବିରୋଧ କରାଯିବ ବୋଲି ତେଜସ୍ବୀ ଯାଦବ ଚେତାବନୀ ଦେଇଛନ୍ତି ।