ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି ନିଜ ପତ୍ନୀଙ୍କୁ ମାରପିଟ୍ କରୁଥିବା ଅଭିଯୋଗ, ଥାନାରେ ମାମଲା ରୁଜୁ
5/02/2023 at 2:57 PM

ନୂଆଦିଲ୍ଲୀ 05/02 :ପତ୍ନୀଙ୍କୁ ମାରପିଟ୍ କରିବା ଅଭିଯୋଗରେ ମୁମ୍ବାଇ ପୋଲିସ ପୂର୍ବତନ କ୍ରିକେଟର ବିନୋଦ କାମ୍ବଲିଙ୍କ ବିରୋଧରେ ମାମଲା ରୁଜୁ କରିଛି। ବିନୋଦ କାମ୍ବଲି ନିଶାସକ୍ତ ଅବସ୍ଥାରେ ଗତ ଶୁକ୍ରବାର ଦିନ ବାନ୍ଦ୍ରା ସ୍ଥିତ ଫ୍ଲାଟ୍ ରେ ତାଙ୍କ ପତ୍ନୀଙ୍କୁ ଗାଳିଗୁଲଜ କରିବା ସହିତ ମାରପିଟ୍ କରିଥିଲେ। ଏନେଇ ତାଙ୍କ ପତ୍ନୀ ଆଣ୍ଡ୍ରିଆ ମୁମ୍ବାଇର ବାନ୍ଦ୍ରା ପୋଲିସ୍ ଷ୍ଟେସନରେ ତାଙ୍କ ସ୍ୱାମୀଙ୍କ ବିରୋଧରେ ଏତଲା ଦେଇଛନ୍ତି।

ଆଣ୍ଡ୍ରିଆ ଅଭିଯୋଗ କରିଛନ୍ତି ଯେ, ଗତ ଶୁକ୍ରବାର ଦିନ ଗୋଟାଏରୁ ସାଢେ ଗୋଟାଏ ମଧ୍ୟରେ ନିଶାସକ୍ତ ଅବସ୍ଥାରେ କାମ୍ବଲି ବାନ୍ଦ୍ରା ଫ୍ଲାଟ୍ ରେ ପହଞ୍ଚି ପତ୍ନୀଙ୍କୁ ଗାଳିଗୁଲଜ କରିଥିଲେ। ଘରେ ଥିବା ସେମାନଙ୍କ ୧୨ ବର୍ଷୀୟ ପୁଅ ହସ୍ତକ୍ଷପ କରି ଝଗଡ଼ା ବନ୍ଦ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ, କାମ୍ବଲି ରୋଷଇ ଘରକୁ ଧାଇଁ ଯାଇ ଗୋଟାଏ ଭଙ୍ଗା ତାୱା ହ୍ୟାଣ୍ଡେଲ୍ ଉଠାଇ ପତ୍ନୀଙ୍କ ଉପରକୁ ଫିଙ୍ଗିଥିଲେ।

ବାନ୍ଦ୍ରା ପୁଲିସର ଜଣେ ଅଧିକାରୀ କହିଛନ୍ତି ଯେ, ଥାନାକୁ ଆସିବା ଆଗରୁ କାମ୍ବଲିଙ୍କ ପତ୍ନୀ ଭାଭା ହସ୍ପିଟାଲ୍ ଯାଇ ଚିକିତ୍ସିତ ହୋଇ ଆସିଥିଲେ। ଏହି ଘଟଣାରେ କାମ୍ବଲିଙ୍କ ବିରୋଧରେ ଆଇପିସି ଧାରା 504 ଓ 324 ଅନୁସାରେ ମାମଲା ରୁଜୁ ହୋଇଛି। ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ବେଳେ ତଦନ୍ତ ଚାଲିଛି ବୋଲି କହିଛନ୍ତି।