ବିବାଦୀୟ ଫଟୋ ପାଇଁ କ୍ଷମା ମାଗିଲେ ଫିନ୍‌ଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ସନ୍ନା ମରୀନ

Published By : Prameya-News7 Bureau | August 24, 2022 IST

ହେଲସିଙ୍କି: ବିବାଦୀୟ ଫଟୋକୁ ନେଇ କଡ଼ା ସମାଲୋଚନାର ଶିକାର ହେବା ପରେ ମଙ୍ଗଳବାର ଜନତାଙ୍କୁ କ୍ଷମା ମାଗିଛନ୍ତି ଫିନଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ସନ୍ନା ମରୀନ। ସନା ତାଙ୍କ ଘରେ ଏହି ବିବାଦୀୟ ଫଟୋଟି ଶୁଟ୍ କରିଥିଲେ। ଏହାର ସପ୍ତାହ ପୂର୍ବରୁ ମଧ୍ୟ ଏକ ପାର୍ଟିକୁ ନେଇ ବିବାଦ ଘେରକୁ ଆସିଥିଲେ ୩୬ ବର୍ଷୀୟ ଫିନ୍‌ଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ସନା ମରୀନ।

ଫିନଲ୍ୟାଣ୍ଡ ମିଡିଆରେ ଭାଇରାଲ୍ ହେଉଥିବା ଫଟୋରେ ଦୁଇ ମହିଳା ପରସ୍ପରକୁ ଚୁମା ଦେଉଥିବାର ଦେଖିବାକୁ ମିଳୁଛି। ଏବଂ ଦୁହିଁଙ୍କ ଛାତିରେ ଫିନ୍‌ଲ୍ୟାଣ୍ଡ ଲେଖା ହୋଇଥିବାର ଦେଖିବାକୁ ମିଳିଛି। ଜୁଲାଇ ୮-୧୦ରେ ଏକ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଏହି ଫଟୋଟି ସନାଙ୍କ ବାସଭବନ କେସରାନ୍ତରେ ଉଠାଯାଇଥିଲା।

ଏନେଇ ସନା ଲୋକଙ୍କୁ କ୍ଷମା ମାଗି କହିଛନ୍ତି “ମୁଁ ଭାବୁଛି ଏହି ଫଟୋଟି ଉଠାଇବା ଉଚିତ ହେଲାନି। ତେଣୁ ମୁଁ ଏଥିପାଇଁ କ୍ଷମା ମାଗୁଛି। ଏଭଳି ଛବି ଉଠାଯିବା ଉଚିତ ନୁହେଁ।” ଫିନ୍‌ଲ୍ୟାଣ୍ଡ ରାଜଧାନୀ ହେଲ୍‌ସିଙ୍କିରେ ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି ସନ୍ନା ମରୀନ।

ସନ୍ନାଙ୍କର ଏହି ଫଟୋକୁ  ପୂର୍ବତନ ମିସ୍ ଫିନ୍‌ଲ୍ୟାଣ୍ଡ ପ୍ରତିଯୋଗୀ ତଥା ଟିକ୍‌ଟକ ଷ୍ଟାର ତାଙ୍କ ଟିକଟକ ଆକାଉଣ୍ଟରେ ପୋଷ୍ଟ କରିଥିଲେ। ଏହାପରେ ଫଟୋକୁ ନେଇ ବିବାଦ ଆରମ୍ଭ ହୋଇଯାଇଥିଲା। ଫିନ୍‌ଲ୍ୟାଣ୍ଡର ବଡ଼ ଖବର କାଗଜ ହେଲ୍ସିଙ୍ଗିନ ସାନୋମାଟ ଏନେଇ ଏକ ସମ୍ପଦକୀୟରେ ସନ୍ନାଙ୍କୁ ସମାଲୋଚନା କରିବା ସହ ସେ ନିୟନ୍ତ୍ରଣରେ ନଥିବା କହିଥିଲା।

ସେହିପରି ସପ୍ତାହ ତଳେ ଏକ ପାର୍ଟିରେ ସନ୍ନାଙ୍କର ନାଚିବା ନେଇ ଏକ ଭିଡିଓ ଭାଇରାଲ୍ ହୋଇଥିଲା। ଯେଉଁଥିରେ ସେ ନିଶାରେ ଥିବା କୁହାଯାଇଥିଲା। ଏହାପରେ ତାଙ୍କର ଡାକ୍ତରୀ ଟେଷ୍ଟ ମଧ୍ୟ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.