ନିର୍ବାଚନ ଆସିଲେ ଫେସ୍‌ବୁକ୍‌ରେ ପାଣି ଭଳି ଖର୍ଚ୍ଚ ହୁଏ ଟଙ୍କା; ୨୦୧୪ ପର ଠାରୁ କେତେ ଖର୍ଚ୍ଚ କରିଛନ୍ତି ରାଜନୈତିକ ଦଳ ଜାଣିଲେ ଆଶ୍ଚର୍ଯ୍ୟ ହେବେ

Published By : Prameya-News7 Bureau | March 02, 2024 IST

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆ ଯେବେଳେ ନଥିଲା ସେତେବେଳେ ନିର୍ବାଚନ ପ୍ରଚାରର ପ୍ରମୁଖ ମାଧ୍ୟମ ଥିଲା ଟିଭି ଓ ଖବରକାଗଜ। ରାଜନୈତିକ ଦଳ ଏଥିରେ ହିଁ ନିଜ ଦଳ ଓ ପ୍ରାର୍ଥୀଙ୍କର ପ୍ରଚାର ପ୍ରସାର କରୁଥିଲେ। ଟିଭି ୨୪ ଘଣ୍ଟା ଖବର ଦେଖାଉଥିବା ବେଳେ ଖବରକାଗଜରେ ୨୪ ଘଣ୍ଟା ପରେ ଥରେ ଖବର ଛପାଯାଉଥିଲା।

ହେଲେ ଯେବେଠାରୁ ସୋସିଆଲ୍ ମିଡିଆ ଆସିଲା ସେବେଠାରୁ ମାତ୍ର କେଇ ମିନିଟ୍‌ରେ ଲୋକଙ୍କ ମେସେଜ୍‌ ସାରା ବିଶ୍ୱରେ ପହଞ୍ଚିଲା। ସୋସିଆଲ୍ ମିଡିଆର ସହଜ ଓ ଦ୍ରୁତ ପହଞ୍ଚ ଯୋଗୁ ଏବେ ଏହା ନିର୍ବାଚନ ପ୍ରଚାରର ପ୍ରମୁଖ ମାଧ୍ୟମ ସାଜିଛି। ରାଜନୈତିକ ପୃଷ୍ଠ ଭୂମି ବଦଳାଇବାରେ ସୋସିଆଲ୍ ମିଡିଆ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି।

ଫେସ୍‌ବୁକ୍, ଇନଷ୍ଟାଗ୍ରାମ, ୟୁଟ୍ୟୁବ, ହ୍ୱାଟ୍ସଆପ୍‌ ଓ ଏକ୍ସ(ଟ୍ୱିଟର)ଭଳି ସୋସିଆଲ୍ ମିଡିଆରେ ନିର୍ବାଚନ ପ୍ରଚାର କରିବା ପାଇଁ ରାଜନୈତିକ ଦଳଗୁଡିକ ପାଣିଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି। ବିଶେଷ କରି ୨୦୧୪ ପରଠାରୁ ଏହି ଟ୍ରେଣ୍ଡ ଆରମ୍ଭ ହୋଇଛି। ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରଥମେ ସୋସିଆଲ୍ ମିଡିଆକୁ ନିଜର ଅସ୍ତ୍ର ବନାଇଥିଲା। ସେତେବେଳେ କ୍ଷମତାଧିନ କଂଗ୍ରେସ ଏହି ଚାଲ୍‌କୁ ବୁଝିପାରି ନଥିଲା। ହେଲେ ବିଜେପିକୁ ଏହା ଖୁବ୍ ଫାଇଦା ଦେଲା। ଦଳ ୭ମତାକୁ ଫେରିଲା।

ପଢନ୍ତୁ-ରାଜନୀତିରୁ ମୁକ୍ତ ହେବେ ଗୌତମ ଗମ୍ଭୀର; ପିଏମ୍ ମୋଦିଙ୍କୁ ଜଣାଇଲେ ଧନ୍ୟବାଦ

ଏହାପରେ ୨୦୧୯ ଲୋକସଭା ନିର୍ବାଚନ ଆସୁ ଆସୁ କଂଗ୍ରେସ ସମେତ ଅନ୍ୟ ଦଳମାନେ ମଧ୍ୟ ଏହି ଖେଳରେ ପ୍ରବୀଣ ହୋଇଗଲେ। ଭାରତୀୟ ଲୋକଙ୍କ ପାଖରେ ଇଣ୍ଟରନେଟ୍ ପହଞ୍ଚୁ ପହଞ୍ଚୁ ରାଜନୈତିକ ଦଳମାନେ ବି ସୋସିଆଲ୍ ମିଡିଆ ପ୍ଲାଟ୍‌ଫର୍ମରେ ନିଜର ଉପସ୍ଥିତି ବଢାଇବାକୁ ଲାଗିଲେ। ଏବେ ପ୍ରାୟ ସମସ୍ତ ରାଜନୈତିକ ଦଳ ସୋସିଆଲ୍ ମିଡିଆରେ ଅଛନ୍ତି। ଏହାକୁ ଅସ୍ତ୍ର କରି ଲୋକଙ୍କ ପାଖରେ ପହଞ୍ଚୁଛନ୍ତି।

ଏମିତିକି ଛୋଟ ବଡ଼ ସମସ୍ତ ଦଳ ସୋସିଆଲ୍ ମିଡିଆ ପରିଚାଳନାର ଟିମ୍ ଗଠନ କରି କର୍ମଚାରୀ ନିଯୁକ୍ତି ଦେଇଛନ୍ତି। ଏହି ଟିମ୍‌ ୨୪ ଘଣ୍ଟା ଦଳଗୁଡ଼ିକର ପ୍ରଚାର କାର୍ଯ୍ୟ କରୁଛି। ବେଜିପି, କଂଗ୍ରେସ, ଆପ୍ ଓ ସପା ଭଳି ବଡ଼ ବଡ଼ ପାର୍ଟି ସାଇବର ସେଲ୍ ଗଠନ କରିଛନ୍ତି।   

୨୦୧୯ରେ ହୋଇଥିବା ଏକ ସର୍ଭେ ଅନୁସାରେ, ୨୦୧୪ ପୂର୍ବରୁ ୧୦ ଭୋଟରଙ୍କ ମଧ୍ୟରୁ କେବଳ ଜଣେ ହିଁ ଫେସ୍‌ବୁକ୍‌ର ବ୍ୟବହାର କରୁଥିଲେ। ହେଲେ ୨୦୧୭ ବେଳକୁ ଏହି ସଂଖ୍ୟାରେ ୨୦ ପ୍ରତିଶତ ବୃଦ୍ଧି ହୋଇଗଲା। ପୁଣି ୨୦୧୯ ବେଳକୁ ଏହି ସଂଖ୍ୟା ବଢ଼ି ୩୨ ପ୍ରତିଶତ ହୋଇଗଲା।

ସେହିପରି ହ୍ୱାଟ୍ସଆପ୍‌କୁ ନେଇ ମଧ୍ୟ ସମାନ ରିପୋର୍ଟ ରହିଛି। ୨୦୧୭ ରେ ହ୍ୱାଟ୍ସଆପ୍‌ ୟୁଜରଙ୍କ ସଂଖ୍ୟା ୨୨ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଥିବା ବେଳେ  ୨୦୧୯ ବେଳକୁ ଏଥିରେ ୩୪ ପ୍ରତିଶତ ବୃଦ୍ଧି ହୋଇଥିଲା। ଫେସବୁକ୍ ଏବଂ ହ୍ୱାଟ୍ସଆପ୍ ପରି ୟୁଟ୍ୟୁବ୍‌କୁ ମଧ୍ୟ ୨୦୧୯ ମସିହାରେ, ୩୧ ପ୍ରତିଶତ ଭୋଟର ବ୍ୟବହାର କରୁଥିଲେ। ଇନଷ୍ଟାଗ୍ରାମ ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ୧୫ ପ୍ରତିଶତ ଥିଲା।

ପଢନ୍ତୁ-ବିଜେପିର ୧୦୦ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ, ଶନିବାର ହୋଇପାରେ ଘୋଷଣା

ସେହିପରି ଏକ୍ସ ବା ଟ୍ୱିଟର କଥା ଦେଖିଲେ ୨୦୧୪ରେ ମାତ୍ର ୨ ପ୍ରତିଶତ ଭଟୋର ଏକ୍ସୁକୁ ବ୍ୟବହାର କରୁଥିଲେ। ହେଲେ ୨୦୧୯ରେ ଏହି ସଂଖ୍ୟା ବଢ଼ି ୧୨ ପ୍ରତିଶତ ହୋଇଥିଲା। ପ୍ରତ୍ୟେକ ୮ ଜଣରୁ ଜଣେ ଏକ୍ସ ବ୍ୟବହାର କରିବାକୁ ଲାଗିଲେ। ଇଏତ ଥିଲା ସୋସିଆଲ୍‌ ମିଡିଆ ୟୁଜରଙ୍କ ହିସାବ। ଏବେ ଆସନ୍ତୁ ଜାଣିବା କେଉଁ ଦଳ କେଉଁ ପ୍ଲାଟଫର୍ମ ଉପରେ କେତେ ଟଙ୍କା ଖର୍ଚ୍ଚ କରିଛି।

ଗତ ୫ ବର୍ଷରେ ୨୦୧୯ ଠାରୁ ଆରମ୍ଭ କରି ୨୦୨୩ ମଧ୍ୟରେ ବିଜେପି ଫେସ୍‌ବୁକ୍‌ରେ ପ୍ରଚାର ପାଇଁ ୩୩ କୋଟି ଟଙ୍କା ଖର୍ଚ୍ଚ କରିଛି। ଫେସ୍‌ବୁକ୍‌ରେ ସମସ୍ତ ବିଜ୍ଞାପନ ଦାତାଙ୍କ ପକ୍ଷରୁ ଖର୍ଚ୍ଚ କରାଯାଇଥିବା ମୋଟ ଅର୍ଥ ମଧ୍ୟରୁ କେବଳ ବିଜେପି ୧୦ ପ୍ରତିଶତ ଖର୍ଚ୍ଚ କରିଛି।

ଏହି ଅବଧି ମଧ୍ୟରେ କଂଗ୍ରେସ ୧୦.୫୮ କୋଟି, ତୃଣମୂଳ କଂଗ୍ରେସ ୮.୦୪ କୋଟି, ଡିଏମ୍‌କେ ୪.୩୧ କୋଟି ଟଙ୍କା ଖର୍ଚ୍ଚ କରିଛି। ଏହି ସମ୍ପୂର୍ଣ୍ଣ ଡାଟା ବାଣିଜ୍ୟ ଖବର ପ୍ରକାଶ କରୁଥିବା ଗଣମାଧ୍ୟମ ବିଜ୍‌ନେସ୍ ଲାଇନ୍‌ର ରିପୋର୍ଟ ଉପରେ ଆଧାରିତ। ଏହି ହିସାବ କେବଳ ଦଳର ନାଁରେ ପରିଚାଳନା ହେଉଥିବା ଫେସ୍‌ବୁକ୍‌ ପେଜ୍‌କୁ ନେଇ କରାଯାଇଛି। ଏଥିରେ କୌଣସି ନେତାଙ୍କ ବ୍ୟକ୍ତିଗତ ଆକାଉଣ୍ଟ ସାମିଲ ନାହିଁ।  

worldpopulationreview.com  ତଥ୍ୟ ଅନୁସାରେ, ଭାରତ ବିଶ୍ୱର ସବୁଠାରୁ ବଡ଼ ଫେସ୍‌ବୁକ ବ୍ୟବହାରକାରୀ ରାଷ୍ଟ୍ର। ଭାରତରେ ବର୍ତ୍ତମାନ ଫେସ୍‌ବୁକ ୟୁଜରଙ୍କ ସଂଖ୍ୟା ୩୧.୫ କୋଟି ରହିଛି। ତେଣୁ ଫେସ୍‌ବୁକ ପ୍ରଚାରରେ କାହିଁକି ରାଜନୈତିକ ଦଳମାନେ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି ଏଥର ନିଜେ ଭାବନ୍ତୁ ।

ପଢନ୍ତୁ-ଲୋକସଭା ନିର୍ବାଚନ ୨୦୨୪ ଲଢ଼ିବେ ନାହିଁ ପୂର୍ବତନ କ୍ରିକେଟର ଯୁବରାଜ ସିଂହ; ମିଡିଆ ରିପୋର୍ଟକୁ ଖଣ୍ଡନ

ସମସ୍ତ ବିଜ୍ଞାପନଦାତାଙ୍କୁ ମିଶାଇଲେ  ଗତ ପାଞ୍ଚ ବର୍ଷ ମଧ୍ୟରେ ଫେସବୁକରେ ବିଜ୍ଞାପନ ପାଇଁ ୩୬୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ତେବେ ଫେସବୁକ୍ ଅପେକ୍ଷା ଗୁଗୁଲ୍ ବିଜ୍ଞାପନ ଏକ ଶସ୍ତା ମାଧ୍ୟମ ହୋଇଥିଲେ ହେଁ ରାଜନୈତିକ ଦଳଗୁଡ଼ିକ ଫେସବୁକରେ ଅଧିକ ଅର୍ଥ ଖର୍ଚ୍ଚ କରନ୍ତି। କାରଣ ଏହା ମାଧ୍ୟମରେ ସେମାନେ ଜନସଂଖ୍ୟାର ସମସ୍ତ ବୟସ ବର୍ଗଙ୍କ ପାଖରେ ତୁରନ୍ତ ପହଞ୍ଚି ପାରନ୍ତି।

ବିଜ୍‌ନେସ ଲାଇନ୍ ରିପୋର୍ଟ ଅନୁସାରେ, ଇଣ୍ଡିଆନ ପଲିଟିକାଲ ଆକ୍ସନ କମିଟି (I-PAC) ଅନେକ ରାଜନୈତିକ ଦଳର ଡିଜିଟାଲ ପ୍ରଚାର ଦାୟିତ୍ୱ ନେଇଛି। ଯେଉଁଥିରେ AITC ଏବଂ YSR କଂଗ୍ରେସ ଦଳ ମଧ୍ୟ ରହିଛି। ଏହା ବ୍ୟତୀତ I-PAC ୨୦୨୧ରେ ତାମିଲନାଡୁ ବିଧାନସଭା ନିର୍ବାଚନରେ ​​ଡିଏମକେ ଏବଂ ୨୦୨୦ରେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟିରେ ମଧ୍ୟ କାର୍ଯ୍ୟ କରି ସାରିଛି।

ଅଫିସିଆଲ୍ ପେଜ୍ ଉପରେ କିଏ କେତେ ଖର୍ଚ୍ଚ କରିଛନ୍ତି ?

ହିନ୍ଦୁ ବିଜନେସ ଲାଇନ୍‌ର ରିପୋର୍ଟ ଅନୁଯାୟୀ, ଗତ ପାଞ୍ଚ ବର୍ଷ ମଧ୍ୟରେ ବିଜେପିର ଅଫିସିଆଲ ପେଜରେ ପ୍ରଚାର ପାଇଁ ୧୦.୨୭ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହାପରେ ‘କୁ’ ଆପ୍‌ରେ ୭.୨ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ତୃଣ ମୂଳ କଂଗ୍ରେସ ପେଜ୍‌ ‘ବାଙ୍ଗଲାର ଗର୍ବୋ ମମତା’ରେ ୫.୮୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଫେସବୁକରେ ଥିବା ଯେଉଁ ୧୫ ରାଜନୈତିକ ଦଳର ଅଫିସିଆଲ୍‌ ପେଜ୍‌ରେ ସର୍ବାଧିକ ଟଙ୍କା ଖର୍ଚ୍ଚ କରାଯାଇଛି ସେଗୁଡ଼ିକ ମଧ୍ୟରୁ ୬ ଟି ବିଜେପିର ଏବଂ ଦୁଇଟି ପେଜ୍ କଂଗ୍ରେସର। ଏଥିସହିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌ଙ୍କ ବିରୋଧରେ ପ୍ରଚାର କରୁଥିବା ‘ଏକ ଧୋଖୋ କେଜରିୱାଲ୍’ ପେଜ୍‌ରେ ୩.୧୯ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। କେଜରିୱାଲ୍ ବିରୋଧରେ ପ୍ରଚାର କରୁଥିବା ଏହି ପେଜ୍‌ର ନାଁ ପ୍ରଥମେ ‘ପଲଟୁ ଏକ୍ସପ୍ରେସ ଥିଲା।’

ଏହା ବ୍ୟତୀତ ‘ଉଲ୍‌ଟା ଚଷମା’ ନାଁରେ ବି ଏକ ଫେସ୍‌ବୁକ୍ ପେଜ୍ ଚାଲିଛି। ଯେଉଁଥିରେ ବିରୋଧୀ ଦଳରେ ଥିବା ରାହୁଲ ଗାନ୍ଧୀ, ମମତା ବାନାର୍ଜୀ ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ଭଳି ନେତାଙ୍କ ବିରୋଧରେ ପ୍ରଚାର ଚାଲିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ଏଥିପାଇଁ ୧.୯୩ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.