ଦର ହ୍ରାସରେ ଲାଗିଲା ବ୍ରେକ୍, ଜାଣନ୍ତୁ ୧୦ଗ୍ରାମ ପିଛା କେତେ ମହଙ୍ଗା ହେଲା ସୁନା

Published By : Prameya-News7 Bureau | November 27, 2024 IST

ନୂଆଦିଲ୍ଲୀ ୨୭।୧୧: ଲଗାତାର ଦୁଇ ଦିନ ହ୍ରାସ ପରେ ୨୭ ନଭେମ୍ବର ବୁଧବାର ସୁନା ଦରରେ ସୁଧାର ଆସିଛି। ଘରୋଇ ବଜାରରେ ସୁନା ୧,୨୦୦ ଟଙ୍କାରୁ ଅଧିକ ମଜଭୁତ ହୋଇଛି। ଫଳରେ  ମଲ୍ଟି କମଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ସୁନା ୧୦ଗ୍ରାମ ପିଛା ଦର ୭୬,୦୭୮ ଟଙ୍କାକୁ ପହଞ୍ଚି ଯାଇଛି। ମଙ୍ଗଳବାର ଏହି ଦର ୭୪,୮୫୨ ଟଙ୍କାର ନିମ୍ନ ସ୍ତରରେ ଥିଲା। ଗ୍ଲୋବାଲ ମାର୍କେଟରେ ଡଲାର ଇଣ୍ଡେକ୍ସର ଦୁର୍ବଳତା ଯୋଗୁ ସୁନାକୁ ସମର୍ଥନ ମିଳିଛି। 

ଘରୋଇ ବଜାରରେ ଟଙ୍କାର ମୂଲ୍ୟ ହ୍ରାସ ମଧ୍ୟ ସୁନା ଦର ବୃଦ୍ଧିର ଅନ୍ୟ ଏକ କାରଣ ପାଲଟିଛି। ବୁଧବାର କାରବାର କାଳରେ ଡଲାର ପିଛା ଟଙ୍କା ମୂଲ୍ୟ ୮୪.୪୪ଟଙ୍କାକୁ ପହଞ୍ଚିଛି। ଫଳରେ ଆମଦାନୀ ସୁନାର ଦର ବଢିଯାଇଛି। ଇଣ୍ଡିଆନ ବୁଲିୟନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ (ଆଇବିଜେଏ) ଅନୁସାରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଦର ୭୬,୧୪୩ଟଙ୍କାରେ କାରବାର କରୁଛି। ଯାହା ମଙ୍ଗଳବାରର ଦର ୭୫,୬୯୦ ଟଙ୍କାର ଉଚ୍ଚତମ ସ୍ତର ବୋଲି କୁହାଯାଇଛି। ଏହି ଦର ବୃଦ୍ଧି ସହ ଏମସିଏକ୍ସରେ ଡିସେମ୍ବର ଗୋଲ୍ଡ ଫ୍ୟୁଚର ୭୬,୦୭୮ ଟଙ୍କାର ଉଚ୍ଚତମ ସ୍ତରକୁ ପହଞ୍ଚିଛି। 

ତେବେ କେବଳ ଭାରତ ନୁହେଁ ବୈଶ୍ୱିକ ବଜାରରେ ମଧ୍ୟ ବୁଧବାର ସୁନା ଦର ବଢିଛି। ସ୍ପଟ୍ ଗୋଲ୍ଡ ପ୍ରତି ଆଉନ୍ସ ୨,୬୫୩.୮୨ ଡଲାରକୁ ପହଞ୍ଚି ଯାଇଛି। ଗତ ସପ୍ତାହରେ ଏହା ୬ ପ୍ରତିଶତ ବୃଦ୍ଧି ସହ ଏବେବି ମଜଭୁତ ରହିଛି। ଅକ୍ଟୋବରରେ ସୁନା ଆଉନ୍ସ ପିଛା ଦର ୨,୮୦୧.୮୦ ଡଲାରର ଉଚ୍ଚତମ ସ୍ତରରେ ଥିଲା। ତେବେ ଗତ ୨୦ ମାସ ମଧ୍ୟରେ ସୁନା ଲାଗି ଏହି ସପ୍ତାହ ସବୁଠୁ ମଜଭୁତ ରହିଛି। ଫଳରେ ନିବେଶକଙ୍କ ଲାଗି ସୁନା ପୁଣି ଥରେ ନିବେଶର ବିକଳ୍ପ ପାଲଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.