ନୂଆଦିଲ୍ଲୀ: କେରଳର ଆର୍ଥିକ ସ୍ଥିତି ବିଗୁଡ଼ିଛି । ୫.୧୫ ଲକ୍ଷ କର୍ମଚାରୀଙ୍କ ମଧ୍ୟରୁ ଅର୍ଦ୍ଧାଧିକଙ୍କୁ ବେତନ ଦେବାକୁ ଅର୍ଥ ନାହିଁ । ସେହିଭଳି ଅବସରପ୍ରାପ୍ତ କର୍ମଚାରୀଙ୍କୁ ପେନସନ ଦେବାକୁ ମଧ୍ୟ ସମସ୍ୟା ଉପୁଜିଛି । ସ୍ଥିତି ଏଭଳି ହୋଇଛି ଯେ, ପୋଲିସ ବ୍ୟବହାର କରୁଥିବା ଭ୍ୟାନଗୁଡିକ ମଧ୍ୟ ଟଙ୍କା ଅଭାବରୁ ପେଟ୍ରୋଲ ପମ୍ପରେ ତେଲ ପକାଇ ପାରୁନାହାନ୍ତି । କାରଣ ପୋଲିସ ବିଭାଗ ବକେୟା ପଇଠ କରିବାକୁ ସକ୍ଷମ ହୋଇପାରୁନାହିଁ । ରାଜ୍ୟର ଏଭଳି ସ୍ଥିତି ପାଇଁ କେରଳ କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦିବା ସହିତ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ।
ଏଠାରେ ପ୍ରଶ୍ନ ଉଠୁଛି କେରଳ କାହିଁକି କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟକୁ ଟାଣିଛି । କେନ୍ଦ୍ରର ନୂଆ ନିୟମ କେରଳ ପାଇଁ ସମସ୍ୟା ଡାକି ଆଣିଥିବା ଅଭିଯୋଗ ଆଣିଛି ରାଜ୍ୟ । ବିବାଦ ପଛରେ ରହିଛି ନେଟ୍ ବରୋଇଙ୍ଗ ସିଲିଂ ବା କୌଣସି ରାଜ୍ୟ ଲାଗି ଋଣ ଉଠାଣର ସୀମା । ନିୟମ ଅନୁସାରେ କୌଣସି ରାଜ୍ୟ ନିଜ ଜିଡିପିର ୩% ଯାଏ ଋଣ ଉଠାଇ ପାରିବେ । ଅର୍ଥାତ୍ ବର୍ଷ ୨୦୨୩-୨୪ ଲାଗି ଏହା ପ୍ରାୟତଃ ୩୨,୪୦୦ କୋଟି ଟଙ୍କା ହେବ । ତେବେ ଏଠାରେ ହିଁ ଏକ ଅଡୁଆ ରହିଛି । ଯାହା କେରଳ ସରକାରଙ୍କ ନିଜସ୍ୱ ସଂସ୍ଥା କେରଳ ଭିତ୍ତିଭୂମି ନିବେଶ ପାଣ୍ଠି ବୋର୍ଡ (କେଆଇଆଇଏଫ୍ବି) ସହ ଜଡିତ । ଅଦ୍ୟାବଧି ଏହି ସଂସ୍ଥାରୁ ଋଣ ନେବା କ୍ଷେତ୍ରରେ ରାଜ୍ୟର ଉଧାର ସୀମା ପରିସରଭୁକ୍ତ ନ ଥିଲା । ଫଳରେ ଆବଶ୍ୟକ ଅନୁସାରେ କେରଳ ଏଠାରୁ ନିଜ ଅର୍ଥ ଲାଭ କରୁଥିଲା । ଏହା ବଜେଟ ବହୁର୍ଭୁତ ଋଣ ବୋଲି ବିଚାର କରାଯାଉଥିଲା ।
୨୦୨୧ରେ ଅର୍ଥ ଆୟୋଗ ଏସବୁକୁ ବନ୍ଦ କରିଦେଇଛନ୍ତି । ଫଳରେ କେରଳର ସମସ୍ୟା ବଢ଼ିଯାଇଛି । କେଆଇଆଇଏଫ୍ବି ଦେଉଥିବା ଋଣକୁ ବଜେଟରେ ଦର୍ଶାଇବାକୁ କୁହାଯାଇଛି । ନିୟମକୁ ଦେଖିଲେ ସୀମା ବହିର୍ଭୁତ ଋଣ ନେବାକୁ କେରଳ ପାଇଁ ରାସ୍ତା ବନ୍ଦ ହୋଇଯାଇଛି । ସମ୍ବିଧାନର ଧାରା ୨୯୩ ଉଲ୍ଲଘଂନର ଅଭିଯୋଗ ଆଣିଛି ରାଜ୍ୟ । କୌଣସି ରାଜ୍ୟର ସାର୍ବଜନୀନ ଋଣ ରାଜ୍ୟର ନିଜସ୍ୱ ବ୍ୟାପାର । ଏହା ଉପରେ ସଂସଦର କୌଣସି ନିୟନ୍ତ୍ରଣ ଆବଶ୍ୟକତା ନାହିଁ ବୋଲି କହିଛି ରାଜ୍ୟ ।
ଅର୍ଥନୀତି ବିଶେଷଜ୍ଞଙ୍କ ମୁତାବକ, କେରଳ ଏକ ରାଜସ୍ୱ ନିଅଣ୍ଟିଆ ରାଜ୍ୟ । ଏହା ବିଭିନ୍ନ କ୍ଷେତ୍ରରୁ ରାଜସ୍ୱ ଆଦାୟ କରିଥାଏ । ଏଥି ମଧ୍ୟରେ ମଦ, ଯାନବାହାନ, ସମ୍ପତ୍ତି ଏବଂ ବିଜୁଳି ଟିକସ ସାମିଲ ରହିଛି । ଏହାକୁ ବାଦ୍ ଦେଲେ ରାଜ୍ୟ ଜିଏସ୍ଟି ଏବଂ କେନ୍ଦ୍ର ସରକାରଙ୍କ ଅନୁଦାନରୁ ମଧ୍ୟ କିଛି ଅର୍ଥ ରାଜକୋଷକୁ ଆସେ । ବେତନ ପେନ୍ସନ ଭଳି କ୍ଷେତ୍ରରେ କେରଳ ଏହାର ମୋଟ ରାଜସ୍ୱ ମଧ୍ୟରୁ ପ୍ରାୟ ୭୧% ଯାଏ ଖର୍ଚ୍ଚ କରୁଛି । ଯାହା ଅନ୍ୟ ରାଜ୍ୟ ଗୁଡିକ କ୍ଷେତ୍ରରେ ପ୍ରାୟ ୬୦%ରୁ କମ୍ ।
ରିପୋର୍ଟ ମୁତାବକ, କେରଳ ଗତ କିଛି ବର୍ଷରେ ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ବହୁଳ ନିବେଶ କରିଛି । ଏ ସବୁ କ୍ଷେତ୍ରରେ ନିବେଶ ଏକ ଭଲ କଥା । ମାତ୍ର ରାଜକୋଷକୁ ବେଶି ଅର୍ଥ ନ ଆସିଲେ ଏସବୁ କ୍ଷେତ୍ରରେ ନିବେଶ କରିବା ମୁସ୍କିଲ । ମାତ୍ର କେରଳ ଆୟ ସ୍ରୋତ ନ ବାହାର କରି ଏ ସବୁ କ୍ଷେତ୍ରରେ ବଡ ନିବେଶ କରି ଦେଇଛି । ଏପଟେ କେରଳର ମୁଣ୍ଡ ପିଛା ଜିଡିପି ଜାତୀୟ ହାର ତୁଳନାରେ ୧.୬ ଗୁଣ ହୋଇଥିବା ବେଳେ ଟିକସ ଜିଡିପି ଅନୁପାତ ଦେଶର ଅନ୍ୟ ରାଜ୍ୟ ତୁଳନାରେ ପ୍ରାୟ ସମାନ । ସରଳ ଭାବେ କହିବାକୁ ଗଲେ ଟିକସ ରାଜସ୍ୱ କ୍ଷେତ୍ରରେ ଏତେଟା ସଫଳ ହୋଇନି । ଫଳରେ ବିତ୍ତୀୟ ସଙ୍କଟ ସ୍ଥିତି ଉପୁଜିଛି ।