ସ୍ୱାମୀ ସହ କଳି କରି ଦେହରେ କିରୋସିନି ଢାଳି ଲଗାଇଦେଲେ ନିଆଁ : ଏବେ ଯନ୍ତ୍ରଣାରେ ଛଟପଟ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ

Published By : Prameya-News7 Bureau | September 30, 2020 IST

ପାଟଣା ୩୦।୯: ପାରିବାରିକ କଳହକୁ ନେଇ ଆତ୍ମହତ୍ୟା ଉଦ୍ୟମ । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ପଲାଣ ଘାଟି ପଞ୍ଚାୟତ କୁମୁଳାବାହାଳି ଗ୍ରାମର ଖଇରନ୍ଧା ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପାରିବାରିକ କଳହକୁ ନେଇ ଝଗଡା ହେବା ପରେ ମାନସିକ ଭାରସାମ୍ୟ ହରାଇ ଘରେ ଗ୍ୟାଲେନରେ ଥିବା କିରୋସିନିକୁ ଦେହରେ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ମହିଳା ।

ସୂଚନାଯୋଗ୍ୟ ଯେ, ଖଇରନ୍ଧା ସାହିର ବିଜୁ ମୁଣ୍ଡାଙ୍କ ପତ୍ନୀ ଜୟନ୍ତୀ ମୁଣ୍ଡା ଗତ ଶନିବାର ନିଜ ସ୍ୱାମୀଙ୍କ ସହିତ ଝଗଡା ହେବା ପରେ ମାନସିକ ଭାରସାମ୍ୟ ହରାଇ ଘରେ ଗ୍ୟାଲେନରେ ଥିବା କିରୋସିନିକୁ ଦେହରେ ଢାଳି ନିଆଁ ଲଗାଇଦେଇଥିଲେ । ଫଳରେ ଜୟନ୍ତୀ ମୁଣ୍ଡା ଗୁରୁତର ହୋଇପଡ଼ିଥିଲେ । ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ସେଠାରେ ସ୍ୱାସ୍ଥ୍ୟରେ କୌଣସି ସୁଧାର ନ ଆସିବାରୁ ଜୟନ୍ତୀଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯିବା ପାଇଁ ଡାକ୍ତର କହିଥିଲେ । ହେଲେ ସ୍ବାମୀ ବିଜୁଙ୍କ ପାଖରେ ଅର୍ଥ ନ ଥିବାରୁ ତାଙ୍କୁ ଘରକୁ ଫେରାଇ ଆଣିଛନ୍ତି । ଜୟନ୍ତୀଙ୍କ ଶରୀର ପ୍ରାୟ ୮୦ ଭାଗ ପୋଡି ଯାଇଥିବା ବେଳେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଜୟନ୍ତୀଙ୍କୁ ଚିକିତ୍ସା ପାଇଁ ସରକାରୀ ସ୍ତରରେ ସହାୟତା ଯୋଗାଇ ବଡ଼ ମେଡିକାଲରେ ଚିକିତ୍ସା କରାଇବାକୁ ଗ୍ରାମବାସୀ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.