ଗ୍ରୀନ୍ ହାଇଡ୍ରୋଜେନ୍କୁ ନେଇ ବଡ଼ ଘୋଷଣା: ୨୦୩୦ ସୁଦ୍ଧା ୫୦ ଲକ୍ଷ ଟନ୍ ଉତ୍ପାଦନ ଲକ୍ଷ୍ୟ
1/02/2023 at 4:47 PM

ନୂଆଦିଲ୍ଳୀ, ୦୧/୦୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟ୍ରେ ବିଭିନ୍ନ କ୍ଷେତ୍ର ପାଇଁ ଘୋଷଣା କରାଯାଇଛି। ତେବେ ଚଳିତ ଥର ବଜେଟ୍ରେ ଗ୍ରାନ ହାଇଡ୍ରୋଜେନ୍ ଉପରେ ବଡ଼ ଘୋଷଣା କରାଯାଇଛି । ଏହି ବଜେଟ୍ ଅନୁଯାୟୀ ୨୦୩୦ ସୁଦ୍ଧା ୫୦ ଲକ୍ଷ ଟନ୍ ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ ନେଇ ଲକ୍ଷ୍ୟ ରହିଛି।
ଅର୍ଥମନ୍ତ୍ରୀ କହିଛନ୍ତି ସ୍ବଚ୍ଛ ଇନ୍ଧନ ଉଦ୍ଦେଶ୍ୟରେ ୩୫ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରାଯାଇଛି। ବଜେଟ୍ରେ ୪ ହଜାର ମେଗାଓ୍ବାଟ୍ କ୍ଷମତା ବ୍ୟାଟେରୀ ଷ୍ଟେସନର ସ୍ଥାପନା କରାଯିବା ପାଇଁ ସରକାରଙ୍କ ସହଯୋଗ ନେଇ କହିଛନ୍ତି। ‘ଗ୍ରୀନ କ୍ରେଡିଟ୍’ ପ୍ରୋଗ୍ରାମ୍କୁ ମଧ୍ୟ ‘ପରିବେଶ ସଂରକ୍ଷଣ ଅଧିନିୟମ’ ଅନୁଯାୟୀ ସୂଚିତ କରାଯିବ।
ସରକାର ଦେଶକୁ ଏକ ଉର୍ଜା କ୍ଷେତ୍ରରେ ଆତ୍ମନିର୍ଭର କରିବା ଏବଂ ଜରୁରୀ କ୍ଷେତ୍ର ତଥା ଗୁରୁତ୍ବପୂର୍ଣ୍ଣ କଳାକାରଖାନାରୁ କାର୍ବନ(ଅଙ୍ଗାରକାମ୍ଳ) ନିଷ୍କାସନକୁ କମ୍ କରିବା ଉଦ୍ଦେଶ୍ୟରେ ୪ ଜାନୁଆରୀ ୨୦୨୩ ରେ ୧୯,୭୪୪ କୋଟି ଟଙ୍କାର ପ୍ରାରମ୍ଭିକ ଖର୍ଚ୍ଚ ସହ ମିଶନ ହାଇଡ୍ରୋଜେନ୍କୁ ମଧ୍ୟ ସ୍ବୀକୃତି ଦେଇଛନ୍ତି। ସରକାରଙ୍କ ଏହି ଯୋଜନା ଅନୁଯାୟୀ ୨୦୩୦ ସୁଦ୍ଧା ସବୁଜ ହାଇଡ୍ରୋଜେନ୍ର ଆବଶ୍ୟକତା, ଉତ୍ପାଦନ, ବ୍ୟବହାର ଏବଂ ରପ୍ତାନୀ ସୁବିଧା ଉପଲବ୍ଧ କରାଇବା ପାଇଁ ଏହାର ଉଦ୍ଦେଶ୍ୟ ରହିଛି। ଏହା ସହ ୮ ଲକ୍ଷ କୋଟିରୁ ଅଧିକ ନିବେଶ ସଂଗ୍ରହ କରିବା ନେଇ ମଧ୍ୟ ଉଦ୍ଦେଶ୍ୟ ରହିଛି।
ଅର୍ଥମନ୍ତ୍ରୀ କହିଛନ୍ତି ଦେଶର ଭିନ୍ନ ଭିନ୍ନ ଅର୍ଥନୈତିକ କ୍ଷେତ୍ରରେ ଉର୍ଜାର ଉତ୍ତମ ବ୍ୟବହାର ପାଇଁ ସବୁଜ ଇନ୍ଧନ, ସବୁଜ ଶକ୍ତି, ଗ୍ରୀନ ଫାର୍ମିଂ, ଗ୍ରୀନ ମୋବିଲିଟି, ଗ୍ରୀନ୍ ବିଲ୍ଡିଂ, ଗ୍ରୀନ୍ ଇକ୍ବିପମେଣ୍ଟ ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଗ୍ରୀନ୍ ଗ୍ରୋଥ୍ ଦିଗରେ ଉଠାଯାଉଥିବା ଏହି ପଦକ୍ଷେପ ଦ୍ବାରା ଆର୍ଥିକ କାର୍ବନ ନିର୍ଗତକୁ କମ୍ କରିବାରେ ସାହାଯ୍ୟ ହେବ ଏବଂ ଏହା ସହ ନିଯୁକ୍ତି ପାଇଁ ମଧ୍ୟ ସୁଯୋଗ ମିଳିବ। ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି ସରକାର ସହରୀ ଢ଼ାଞ୍ଚା ବିକାଶ ପାଣ୍ଠିରେ ପ୍ରତିବର୍ଷ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ।