ମୁଦ୍ରାସ୍ଫୀତି ନେଇ ଆସିଲା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବୟାନ, କହିଲେ- ପହଞ୍ଚିଛି ଗ୍ରହଣୀୟ ସ୍ତରକୁ
7/09/2022 at 7:28 PM

ନୂଆଦିଲ୍ଲୀ ୭।୯: ଗତ ଦିନରେ ରେକର୍ଡ ସ୍ତରକୁ ପହଞ୍ଚିଥିବା ମୁଦ୍ରାସ୍ପିତି ଏବେ ଧିରେ ଧିରେ ହ୍ରାସ ଆଡକୁ ମୁହାଁଇଛି। ସେହି ଅନୁସାରେ ମୂଲ୍ୟବୃଦ୍ଧିରୁ ସାମାନ୍ୟ ଆଶ୍ୱସ୍ତି ମଧ୍ୟ ମିଳିଛି। ଯଦିଓ ଅଚାନକ ମୁଦ୍ରାସ୍ପିତି ହ୍ରାସ ହୋଇ ନାହିଁ ତେବେ ସୁଲଭ ବା ଗ୍ରହଣୀୟ ସ୍ତରକୁ ପହଞ୍ଚିଛି ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର କହିଛନ୍ତି। ଦିଲ୍ଲୀର ଅନୁଷ୍ଠିତ ‘ଇଣ୍ଡିଆ ଆଇଡିଆଜ୍’ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ସୀତାରମଣ ଏହା କହିଛନ୍ତି।
ଅର୍ଥମନ୍ତ୍ରୀ କହିଛନ୍ତି ଯେ ରୋଜଗାରର ସୃଜନ ଓ ସମାନ ବିତରଣ ଉପରେ ସରକାର ଏବେ ପ୍ରାଥମିକତା ଦେଉଛନ୍ତି। ନିଶ୍ଚିତ ରୂପେ ସରକାରଙ୍କର କିଛି ନା କିଛି ପ୍ରାଥମିକତା ଥାଏ ବୋଲି ସେ କହିଛନ୍ତି। ତେବେ ଆମକୁ ସୁନିଶ୍ଚିତ କରିବାକୁ ପଡିବ ଯେ ଦେଶ ଯେପରି ବୃଦ୍ଧି ରାସ୍ତାରେ ଆଗେଇ ଚାଲେ। ଏହି ଦୃଷ୍ଟିରୁ ଦେଖିଲେ ମୁଦ୍ରାସ୍ପିତି ଆମର ପ୍ରାଥମିକତା ନୁହେଁ ବୋଲି ସେ କହିଛନ୍ତି।
ତେବେ ଏଥିରେ କାହାର ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଗତ କିଛି ମାସ ହେଲା ଆମେ ଏହାକୁ ଆଫୋର୍ଡେବଲ ବା ସୁଲଭ ସ୍ତରକୁ ଆଣିବା ଲାଗି ଉଦ୍ୟମରେ ଥିଲୁ ବୋଲି କହିଛନ୍ତି। ଯାହା ହେଉ ଏଥିରେ ଆମେ ସଫଳ ହୋଇଛୁ। ଅଧିକାରିକ ତଥ୍ୟ ଅନୁସାରେ ଜୁଲାଇରେ ଖାଦ୍ୟ ସାମଗ୍ରୀ ମୂଲ୍ୟ କମ ରହିବା ଯୋଗୁ ମୁଦ୍ରାସ୍ପିତି ହ୍ରାସ ହୋଇ ୬.୭୧ ପ୍ରତିଶତକୁ ଖସିଥିଲା। ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ସନ୍ତୋଷଜନକ ସ୍ତର ୬.୦ ତୁଳନାରେ ଲଗାତାର ସପ୍ତମ ମାସରେ ମଧ୍ୟ ବେଶ ଚଢା ରହିଛି।
ତେବେ ଆମେରିକା କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ ଓ ୟୁରୋପୀୟ ସେଣ୍ଟ୍ରାଲ ବ୍ୟାଙ୍କ ଦ୍ୱାରା ବ୍ୟାଙ୍କ ହାରରେ ତୀବ୍ର ବୃଦ୍ଧି ଯୋଗୁ ଉପୁଜିବାକୁ ଥିବା ଅସ୍ଥିରତାକୁ ଆରବିଆଇ ଏବେ ମୁକାବିଲା କରିପାରିବେ ବୋଲି ଅର୍ଥମନ୍ତ୍ରୀ ଆଶାପୋଷଣ କରିଛନ୍ତି। ସେହିପରି ଋଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧ ଯୋଗୁ ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସକୁ ନେଇ ଏବେବି ଅନିଶ୍ଚିତତା ସମାପ୍ତ ହୋଇନଥିବା ସୀତାରମଣ କହିଛନ୍ତି।