ଦେଶ ସ୍ବାଧୀନତା ପରଠାରୁ ଚାଲି ଆସୁଥିବା ପରମ୍ପରା ଭାଙ୍ଗିଲେ ନିର୍ମଳା ସୀତାରମଣ : ବ୍ରିଫକେସ୍ ବଦଳରେ ବହି-ଖାତାରେ ହେଲା ବଜେଟ୍ ଉପସ୍ଥାପିତ
5/07/2019 at 5:05 PM

ନୂଆଦିଲ୍ଲୀ ୫|୭: ଦେଶ ସ୍ବାଧୀନତା ପର ଠାରୁ ଗଡି ଆସୁଥିବା ବଜେଟ୍ ପରମ୍ପରା ଭାଙ୍ଗିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବ୍ରିଫକେସ ବଦଳରେ ବହି-ଖାତାରେ ହେଲା ବଜେଟ ଉପସ୍ଥାପିତ। ବ୍ୟବସାୟୀମାନଙ୍କର ହିସାବ ଖାତା ପରମ୍ପରାକୁ ନଜରରେ ରଖି ଏଭଳି ନୂଆ ଷ୍ଟାଇଲରେ ଆରମ୍ଭ କରିଛନ୍ତି ସୀତାରମଣ।

ଦେଶର ପ୍ରଥମ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପୂର୍ଣ୍ଣାଙ୍ଗ ବଜେଟ୍ । ବ୍ରିଫକେସ୍ ବଦଳରେ ନାଲି ରଙ୍ଗର ସିଲ୍କ ବ୍ୟାଗ୍ରେ ବଜେଟ୍ ଡକ୍ୟୁମେଣ୍ଟ ଧରି ସଂସଦ ଆସିଲେ ଅର୍ଥମନ୍ତ୍ରୀ । ଦେଶର ପାରମ୍ପରିକ ବ୍ୟବସାୟର ହିସାବ ନିକାଶ ପ୍ରଣାଳୀ ଓ ହିସାବ ଖାତା ପରମ୍ପରାକୁ ଦୃଷ୍ଟି ରେଖି ଏମିତି ଏକ ଷ୍ଟାଇଲ୍ରେ ସଂସଦରେ ପହଞ୍ଚିଥିଲେ ସୀତାରମଣ।

ପୂର୍ବର ଉପନିବେଶବାଦ ବିଚାର ଧାରାରୁ ବାହାରି ବ୍ରିଫ କେସ୍ କୁ ସେ ବିଦାୟ ଦେଇଛନ୍ତି। ଏଭଳି ପରମ୍ପରା ଭାରତୀୟ ବ୍ୟବସାୟ ପରମ୍ପରାକୁ ସମ୍ମାନ ବୋଲି ମୁଖ୍ୟ ଅର୍ଥନୈତିକ ପରାମର୍ଶ ଦାତା କ୍ରିଷ୍ଣମୂର୍ତ୍ତି ସୁବ୍ରମନିୟମ କହିଛନ୍ତି । ସେହିଭଳି ପୂର୍ବରୁ ବାଜପାୟୀ ସରକାରରେ ଅର୍ଥମନ୍ତ୍ରୀ ଥିବା ଜଶୱନ୍ତ ସିହ୍ନା ସନ୍ଧ୍ୟା ୫ଟାରେ ଉପସ୍ଥାପିତ ହେଉଥିବା ବଜେଟ୍ ପରମ୍ପରାକୁ ଭାଙ୍ଗି ଦିନ ୧୧ଟାରେ ଉପସ୍ଥାପନ କରିଥିଲେ । ସେହିପରି ରେଳବଜେଟକୁ ମୂଳ ବଜେଟରେ ବିଲୀନ କରି ମୋଦି ସରକାର ନୂଆ ଧାରା ସୃଷ୍ଟି କରିଥିଲେ।

ସେହିପରି ପୋଷ୍ଟ ଜିଏସଟି ଯୁଗରେ ଆଉ ବଜେଟକୁ ନେଇ ଲୋକଙ୍କ ମନରେ ଉତ୍କଣ୍ଠା ବି ହ୍ରାସ ପାଇଛି। ଆଜିର ବଜେଟ ଉପସ୍ଥାପନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବଜେଟକୁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା। ଏହା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ବଜେଟ ଉପସ୍ଥାପନ କରିଥିଲେ।