ବଜେଟ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବଡ଼ ଇସାରା, ବୁଧବାର ଅର୍ଥମନ୍ତ୍ରୀ ସଂସଦରେ କରିପାରନ୍ତି ଘୋଷଣା
31/01/2023 at 7:46 PM

ନୂଆଦିଲ୍ଲୀ ୩୧।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ ତାରିଖ ବୁଧବାର ସଂସଦରେ ୨୦୨୩-୨୪ ବର୍ଷର ବଜେଟ୍ ଉପସ୍ଥାପନ କରିବେ। ବଜେଟ୍କୁ ନେଇ ପ୍ରତ୍ୟେକଙ୍କର କିଛି ନା କିଛି ଆଶା ରହିଛି। ବଜେଟ୍ରେ ଆପଣଙ୍କ ଲାଗି କଣ ରହିଛି ଏହା ବୁଧବାର ପୂର୍ବାହ୍ନ ୧୧ଟା ବେଳେ ସଂସଦରୁ ଜଣାପଡିଯିବ। ତେବେ ଏହାର ଠିକ ପୂର୍ବରୁ ପ୍ରଧାନମନ୍ତ୍ରୀ ମଙ୍ଗଳବାର ବଜେଟ୍କୁ ନେଇ ବଡ ଇଶାରା କରିଛନ୍ତି। ଯେଉଁଥିରୁ ଆଗାମୀ ବଜେଟର ଦିଗ ଜଣାପଡି ଯାଉଛି। ତେବେ ଆସନ୍ତୁ ଜାଣିବା କ’ଣ କହିଛନ୍ତି ପ୍ରଧାନମନ୍ତ୍ରୀ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସଂସଦ ପରିସରରେ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି। ଏଥିରେ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥାରେ ଏବେ ଝଡ଼ ଉଠିଥିବା କହିଛନ୍ତି। ଏହି କଷ୍ଟକର ସମୟରେ ମଧ୍ୟ ସାରା ବିଶ୍ୱର ଆଶା ରହିଛି। ଏଥିରେ ତାଙ୍କ ସରକାର ‘ଇଣ୍ଡିଆ ଫାଷ୍ଟ’ ଓ ‘ସିଟିଜେନ ଫାଷ୍ଟ’ ନୀତିରେ କାମ କରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଏଣୁ ଏହି ଭାବନାକୁ ଆଗକୁ ବଢେବା ଲାଗି ବଜେଟ୍ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ବଜେଟ୍ ଅଧିବେଶନ ମଙ୍ଗଳବାର ଆରମ୍ଭ ହୋଇଛି। ଏହା ଆମ ସମସ୍ତଙ୍କ ଲାଗି ଗୁରୁତ୍ୱପୂର୍ଣ୍ଣ ଅବସର ନିଶ୍ଚିତ। ଏଣୁ ଆଶା କରୁଛି ଭାରତର ବଜେଟ୍ ସାଧାରଣ ଲୋକଙ୍କ ଆଶା ପୂରଣ କରିବା ଲାଗି ଉଦ୍ୟମ କରିବା ସହିତ ବିଶ୍ୱ ଯାହା ଭାରତକୁ ଆଶାର କିରଣ ଭଳି ଚାହିଁଛି ତାକୁ ଏହା ଆହୁରି ଅଧିକ ଉଜ୍ଜ୍ୱଳ ଦେଖାଯାଉ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଣୁ ପ୍ରଧାନମନ୍ତ୍ରୀଙ୍କ କଥାରୁ ଆଗାମୀ ନିର୍ବାଚନ ପୂର୍ବରୁ ଶେଷ ବଜେଟ୍ ସରକାର ଜନ କଲ୍ୟାଣ ଯୋଜନା ଲାଗି ତାଙ୍କ ଟ୍ରେଜରୀ ଖୋଲି ଦେଇପାରନ୍ତି।
ଏହା ସହ ମୂଲ୍ୟ ବୃଦ୍ଧି ନିୟନ୍ତ୍ରଣ ସାଙ୍ଗକୁ ଲୋକଙ୍କ ସଞ୍ଚୟ ଓ ଆୟ ବୃଦ୍ଧି ଲାଗି ବଜେଟ୍ରେ ପ୍ରାବଧାନ କରିପାରନ୍ତି। ବଜେଟରେ ସାଧାରଣ ଲୋକେ ଶୁଳ୍କ ରିହାତି ଦାବି କରୁଛନ୍ତି। ତେବେ ୨୦୧୪ ପରଠାରୁ ସରକାର ଦେଶର ଟ୍ୟାକ୍ସ ସ୍ଲାବରେ କୌଣସି ପରିବର୍ତ୍ତନ କରି ନାହାନ୍ତି। ହେଲେ ଗତ ୨ ବଜେଟ୍ରେ ସରକାର ଏଥିରେ କିଛି ପରିବର୍ତ୍ତନ କରିପାରନ୍ତି ବୋଲି ଲୋକେ ଆଶା କରିଥିବା ବେଳେ ତାହା ହୋଇ ନଥିଲା। ଏଥର ବଜେଟ୍ରେ କଣ ହେଉଛି ତା ଉପରେ ଏବେ ସମସ୍ତଙ୍କର ନଜର।