ଅର୍ଥ ସବ୍କମିଟି ବୈଠକ ଶେଷ, ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ନେଇ ଆଲୋଚନା
31/08/2023 at 2:59 PM

ପୁରୀ ୩୧।୦୮: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥ ସବ କମିଟି ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଆଗତ ହୋଇଥିବା ବଜେଟ ପ୍ରାୟ ୮୦ ପ୍ରତିଶତ ଠିକ୍ ରହିଛି। ତେବେ କର୍ମଚାରୀ ଅଭାବ ଓ ଅନ୍ୟାନ୍ୟ କାରଣରୁ ୟୁନିଫର୍ମ ପଲିସି ଠିକ୍ ଭାବେ କାର୍ଯ୍ୟକାରୀ ହୋଇପାରିନାହିଁ।
ଶ୍ରୀମନ୍ଦିର ଭିତରେ ଗୋଟିଏ ଓ ବାହାରେ ତିନୋଟି ଦାନ ବାକ୍ସ ବସିବା ନେଇ ନିଷ୍ପତ୍ତି ହୋଇଛି । ଶ୍ରୀମନ୍ଦିର ଭିତରେ ମା ମହାଲକ୍ଷ୍ମୀଙ୍କ ମନ୍ଦିରରେ ଦାନବାକ୍ସ ବସିବା ନେଇ ନିଷ୍ପତ୍ତି ହୋଇଥିବା ମୁଖ୍ୟ ପ୍ରଶାସକ କହିଛନ୍ତି। ସେହିପରି ସହରରେ ଥିବା ଶ୍ରୀମନ୍ଦିର ଭକ୍ତ ନିବାସରେ ଟିଭି ଲାଗିବ। ରୋହିଣୀ କୁଣ୍ଡ ଓ ଗୁଣ୍ଡିଚା ମନ୍ଦିର ନିଲାମ ପାଇଁ ଖୁବଶୀଘ୍ର ଟେଣ୍ଡର ହେବାକୁ ଥିବାବେଳେ ଏଥିପାଇଁ ଏସଓପି ପ୍ରସ୍ତୁତ କରାଯିବ।
ସେହିପରି ପରିମାଣିକ ଟିକେଟ ଦର୍ଶନ ପୁଣି ଥରେ ଆରମ୍ଭ ହେବ। ଏଥିପାଇଁ ମଧ୍ୟ ପ୍ରସ୍ତୁତ ହେବ ଏସଓପି। ଅର୍ଥ ସବକମିଟି ବୈଠକ ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଏନେଇ ସୂଚନା ଦେଇଛନ୍ତି। ବୈଠକରେ ଅର୍ଥ ସବକମିଟି ସଦସ୍ୟ ମାନେ ଉପସ୍ଥିତ ଥିଲେ।