ଚିତି ମାରିଲା ଚିତ୍‌ପଟାଙ୍ଗ, ଶେଷରେ ଅପରେସନ୍‌ କଲେ ଡାକ୍ତର, ଦେଖନ୍ତୁ ଏହି ପୂରା ଦୃଶ୍ୟ

Published By : Prameya-News7 Bureau | March 03, 2020 IST

କଟକ୩/୩: ମାଛ ଖାଉ ଖାଉ ତଣ୍ଟିରେ କଣ୍ଟା ଲାଗିଯିବା, ଆଉ ସେଥିପାଇ ମଣିଷ କଲବଲ ହୋଇଥିବା କଥା ଆପଣ ଶୁଣିଥିବେ କିମ୍ବା ଅଙ୍ଗେ ନିମ୍ଭେଇଥିବେ । କୁମ୍ଭୀର ବା ହରିଣ ଖାଇବାକୁ ଯାଇ ଅଜଗର ସାପର ପେଟ ଫାଟିବା ମଧ୍ୟ ଆଗରୁ ଘଟିଛି । ଆଜି ସେହିଭଳି ଏକ ଖବର ଘଟିଛି କଟକ ଜିଲ୍ଲା ବାଙ୍କୀରେ । ଗୋଟେ ଝିଟିପିଟିକୁ ଗିଳୁଥିବା ବେଳେ କେମିତି ଫସିଚି ସାପ।

ଏ ହେଉଛି ଏକ କାଉଡିଆ ଚିତି ସାପ । ବାଙ୍କୀର ଦୁର୍ଗା ପ୍ରସାଦ ମହାପାତ୍ର ଗତକାଲି ରାତିରେ ନିଜ ଦୋକାନ ବନ୍ଦ କରି ଘରକୁ ଯିବା ପରେ ଏହି ସାପଟି ଭାବିଥିଲା ଯେ ଦୋକାନ ଭିତରେ ଥିବା ଝିଟିପିଟିକୁ ସେ ଖାଇବ । କିନ୍ତୁ ସେ କେବେ ବି ଭାବିନଥିଲା ଯେ, ଏଥିପାଇଁ ତାକୁ ଓୟୁଏଟି ଅପରେସନ ଟେବୁଲକୁ ଆସିବାକୁ ପଡିବ ।ଝିଟିପିଟି କୁ ଗିଳୁଥିବା ବେଳେ ସାପର ତଳପଟ ପାଟିକୁ ନିଜ ମୁଣ୍ଡରେ କଣା କରି ଫୁଟାଇ ଦେଇଥିଲା ଝିଟିପିଟି, ଆଉ ସେଇଠି ଅଟକି ଯାଇଥିଲା । ନା ସାପ ଝିଟିପିଟିକୁ ଗିଳିପାରିଥିଲା ନା ଝିଟିପିଟି ସାପ ପାଟିରୁ ମୁକୁଳିପାରିଥିଲା । ଦେଖନ୍ତୁ...

wp:html /wp:html

ଆଜି ସକାଳେ ଦୁର୍ଗା ପ୍ରସାଦ ଦୋକାନ ଖୋଲିବା ପରେ ଏହି ଦୃଶ୍ୟ ଦେଖିବାକୁ ପାଇଥିଲେ ।ସେ ନିଜେ ଜଣେ ସ୍ନେକ ହେଲ୍ପ ଲାଇନର ସଦସ୍ୟ ହୋଇଥିବାରୁ  ସାପକୁ ଚିହ୍ନି ପାରିଥିଲେ , ଆଉ ତୁରନ୍ତ ସ୍ନେକ ହେଲ୍ପ ଲାଇନର ସଂଯୋଜକ ଲଳିତ ମୋହନ ପଣ୍ଡାଙ୍କ ସହ ସାପକୁ ଧରି ଭୁବନେଶ୍ବର ଓୟୁଏଟି ସ୍ଥିତ ଭେଟେରିନାରୀ କଲେଜ ଆସିଥିଲେ ।ଓୟୁଏଟି ସେଣ୍ଟ୍ରାଲ କ୍ଲିନିକ ରେ ସାପ ଟିର ପ୍ରଥମେ ଏକ୍ସରେ ହେବା ପରେ ପ୍ରଫେସର ଡାକ୍ତର ବିଶ୍ବଦୀପ ଜେନା ଅସ୍ତ୍ରୋପଚାର ଆରମ୍ଭ କରିଥିଲେ । ପ୍ରଥମେ ଝିଟିପିଟିର ମୁଣ୍ଡକୁ କାଟି ବାହାର କରିବା ପରେ, କ୍ଷତ ସ୍ଥାନକୁ ଭଲ ଭାବେ ସଫା କରି ଔଷଧ ଲଗାଇ ସିଲେଇ କରାଯାଇଥିଲା । ସାପଟି ବର୍ତ୍ତମାନ ସୁସ୍ଥ ହୋଇ  ଚଳ ପ୍ରଚଳ କରୁଥିଲେ ହେଁ ଦେଢ ଇଞ୍ଚର କ୍ଷତ ସୃଷ୍ଟି ହୋଇଥିବାରୁ ଆଗାମୀ ୩-୪ ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ସ୍ନେକ ହେଲ୍ପ ଲାଇନ ର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.