Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ୱାଧିନତା ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା, ପ୍ରତିଟି ଭାରତୀୟ ପାଇଁ ଗୌରବର ମୁହୂର୍ତ୍ତ
  • ||
  • ‘ଦୁନିଆରେ ହଜାରେ ବାଘ, କିନ୍ତୁ ଦ୍ରାବିଡ…’ : ଟିମ୍ ଇଣ୍ଡିଆର କୋଚ୍‌ଙ୍କୁ ନେଇ ଟେଲରଙ୍କ ବଡ ବୟାନ
  • ||

ଆଜିଠୁ ଭାରତ-ଇଂଲଣ୍ଡ ପଞ୍ଚମ ଟେଷ୍ଟ, ବୁମ୍‌ରା ହେବେ କ୍ୟାପଟେନ୍‌

1/07/2022 at 9:46 AM

ବର୍ମିଂହାମ ୦୧।୦୭ :  ଆଜିଠୁ ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହେବ ପଞ୍ଚମ ଟେଷ୍ଟ । ଆହତ ଜର୍ଜରିତ ଭାରତୀୟ ଦଳ ସିରିଜ ବିଜୟ ସହ ଇତିହାସ ରଚିବାକୁ ଲକ୍ଷ୍ୟ ରଖିଛି । ଅନ୍ୟପଟେ ଘରୋଇ ଦଳ ବିଜୟକୁ ଫେରିବା ପାଇଁ ପ୍ରସ୍ତୁତ ।

ତେବେ ସବୁ ଚେଷ୍ଟା ପରେ ବି ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା କରୋନା ମୁକ୍ତ ହୋଇପାରିନାହାନ୍ତି । ଫଳରେ ଇଂଲଣ୍ଡ ବିପକ୍ଷ ଚୂଡ଼ାନ୍ତ ଟେଷ୍ଟରୁ ରୋହିତଙ୍କୁ ବାଦ ଦିଆଯାଇଛି । ତାଙ୍କ ସ୍ଥାନରେ ପେସ୍‌ ବୋଲର ଜଶପ୍ରୀତ ବୁମରା ଅଧିନାୟକ ନିଯୁକ୍ତ ହୋଇଛନ୍ତି । ୱିକେଟ୍‌ କିପର ରିଷଭ ପନ୍ତଙ୍କୁ ଉପ ଅଧିନାୟକ ନିଯୁକ୍ତ କରାଯାଇଛି ।

ଗତ ସପ୍ତାହରେ ରୋହିତ କରୋନା ସଂକ୍ରମିତ ହୋଇଥିଲେ । ଫଳରେ ତାଙ୍କୁ ୫ଦିନ ଆଇସୋଲେସନରେ ରହିବାକୁ ପଡ଼ିଥିଲା । ସଙ୍ଗରୋଧ ଅବଧି ଶେଷ ହେବା ପରେ ବୁଧବାର ଦିନ ରୋହିତଙ୍କୁ ୨ଥର ଆରଟି-ପିସିଆର ଟେଷ୍ଟ କରାଯାଇଥିଲା । ଉଭୟ ଟେଷ୍ଟ ରିପୋର୍ଟ ପଜିଟିଭ ବାହାରିଥିଲା । ଗୁରୁବାର ରୋହିତଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ବାହରିଥିଲା । ବୁମରା ଭାରତର ୩୬ତମ ଟେଷ୍ଟ ଅଧିନାୟକ ରୂପେ ଏଜବାଷ୍ଟନରେ ଟସ୍‌ ପକାଇବେ । କେବଳ ସେତିକି ନୁହେଁ କିମ୍ବଦନ୍ତୀ ବୋଲର କପିଳ ଦେବଙ୍କ ପରେ ଦ୍ୱିତୀୟ ପେସ୍‌ ବୋଲର ଭାବେ ବୁମରା ଟେଷ୍ଟ ଦଳର ନେତୃତ୍ୱ ନେବେ । କପିଳ ୧୯୮୭ ନଭେମ୍ବର ପର୍ଯ୍ୟନ୍ତ ଭାରତୀୟ ଦଳର ଅଧିନାୟକ ରହିଥିଲେ ।

ଗତବର୍ଷ ଏହି ସିରିଜ ଖେଳାଯାଇଥିଲା । ୪ଟି ଟେଷ୍ଟ ଶେଷ ସୁଦ୍ଧା ଭାରତ ୨-୧ରେ ଆଗୁଆ ରହିଥିଲା । ପଞ୍ଚମ ଟେଷ୍ଟ ପୂର୍ବରୁ ଭାରତୀୟ ଦଳର ଏକାଧିକ ଖେଳାଳି ଓ କୋଚିଂ ସଦସ୍ୟ କରୋନା ସଂକ୍ରମିତ ହୋଇଥିଲେ । ଫଳରେ ଶେଷ ଟେଷ୍ଟକୁ ସ୍ଥଗିତ ରଖାଯାଇଥିଲା । ୪ଟି ଟେଷ୍ଟରେ ରୋହିତ ଦଳ ପକ୍ଷରୁ ସର୍ବାଧିକ ୩୬୮ ରନ୍‌ ସଂଗ୍ରହ କରିଥିଲେ । ସେହିପରି ବୁମରା ୧୮ଟି ୱିକେଟ୍‌ ନେଇଥିଲେ ।

ବର୍ଷକ ମଧ୍ୟରେ ଅନେକ କିଛି ବଦଳି ଯାଇଛି । ବିରାଟ କୋହଲି ନେତୃତ୍ୱ ଛାଡ଼ିସାରିଛନ୍ତି । ତାଙ୍କ ସ୍ଥାନରେ ରୋହିତଙ୍କୁ ଅଧିନାୟକ ଓ ଲୋକେଶ ରାହୁଲଙ୍କୁ ଉପଅଧିନାୟକ ନିଯୁକ୍ତ କରାଯାଇଥିଲା । ଉଭୟ ବର୍ତ୍ତମାନ ଅନୁପସ୍ଥିତ ରହିଛନ୍ତି । ରାହୁଲ ଆହତ ସମସ୍ୟା ଦେଇ ଗତି କରୁଛନ୍ତି ।

ଏଜବାଷ୍ଟନରେ ଭାରତ ଗୋଟିଏ ହେଲେ ଟେଷ୍ଟ ଜିତି ନାହିଁ । ଏଠାରେ ଖେଳିଥିବା ମୋଟ୍‌ ୭ଟି ଟେଷ୍ଟରୁ ଭାରତ ୬ଟିରେ ପରାଜିତ ହୋଇଛି। ଅନ୍ୟ ଟେଷ୍ଟ ଟି ଡ୍ର’ ରହିଥିଲା । ଭାରତ ଶେଷ ଥର ପାଇଁ ୨୦୦୭ରେ ଇଂଲଣ୍ଡ ମାଟିରେ ଟେଷ୍ଟ ସିରିଜ ଜିତିଥିଲା । ଏଜବାଷ୍ଟନ ପିଚ୍‌ ପେସ୍‌ ବୋଲରଙ୍କୁ ସହାୟତା କରିବା ନିଶ୍ଚିତ । ବର୍ତ୍ତମାନ ପିଚ୍‌ରେ ସବୁଜ ଘାସର ଗାଲିଚା ରହିଛି । ଅବଶ୍ୟ ଟସ୍‌ ପୂର୍ବରୁ ଘାସ କଟାଯିବ । ଆସନ୍ତା କାଲି ଅପରାହ୍ଣ ଓ ଶନିବାର ପ୍ରଥମାର୍ଦ୍ଧରେ ବର୍ଷା ସମ୍ଭାବନା ରହିଛି । ଫଳରେ ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।

ସମ୍ଭାବ୍ୟ ଦଳ

ଇଂଲଣ୍ଡ- ଆଲେକ୍ସ ଲିସ, ଜ୍ୟାକ୍‌ କ୍ରାଓଲି, ଓଲି ପୋପ, ଜୋ ରୁଟ୍‌, ଜନି ବେୟାରଷ୍ଟୋ, ବେନ ଷ୍ଟୋକ୍ସ(ଅଧିନାୟକ), ସାମ ବିଲିଙ୍ଗ୍‌ସ, ମାଥ୍ୟୁ ପଟ୍ସ, ଷ୍ଟୁଆର୍ଟ ବ୍ରଡ୍‌, ଜ୍ୟାକ ଲିଚ୍‌, ଜେମ୍ସ ଆଣ୍ଡରସନ ।

ଭାରତ- ଶୁଭମନ ଗିଲ୍‌, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ବିରାଟ କୋହଲି, ଶ୍ରେୟାସ ଆୟର, ରିଷଭ ପନ୍ତ, ରବିନ୍ଦ୍ର ଜାଡେଜା, ସର୍ଦୁଲ ଠାକୁର/ଆର ଅଶ୍ୱିନ, ମହମ୍ମଦ ସାମି, ମହମ୍ମଦ ସିରାଜ, ଜଶପ୍ରୀତ ବୁମରା(ଅଧିନାୟକ) ।

   Related Posts