ଖୋଲିଲା ରାଫେଲ ଡିଲର ଆଉ ଏକ ଦିଗ: ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତିଙ୍କ ପାର୍ଟନର ଜୁଲି ଏବଂ ରିଲାଏନ୍ସ ମଧ୍ୟରେ ଫିଲ୍ମ ନିର୍ମାଣ ପାଇଁ ହୋଇଥିଲା ଚୁକ୍ତି
31/08/2018 at 6:23 AM

ରାଫେଲ ଡିଲରେ ଅନିଲ ଅମ୍ବାନୀଙ୍କ କମ୍ପାନୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କାଠଗଡାରେ ଠିଆକରିବାକୁ କଂଗ୍ରେସ୍ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଜୋର ସୋରରେ ଉଦ୍ୟମ ଚଳାଇଛନ୍ତି। ରାହୁଲ ଗାନ୍ଧୀ ସଂସଦଠାରୁ ଆରମ୍ଭ କରି ରାସ୍ତା ଘାଟ ପର୍ଯ୍ୟନ୍ତ ରାଫେଲ ଡିଲ ମାମଲାରେ ଦୁର୍ନୀତି ଅଭିଯୋଗରେ ମୋଦିଙ୍କୁ ଘେରିବାକୁ ଚେଷ୍ଟା କରିଛନ୍ତି। ଆଉ ଠିକ୍ ଏହି ସମୟରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଅନିଲ ଧିରୁବାଇ ଅମ୍ବାନୀ ଗ୍ରୃପର ମୁଖିଆ ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଏବଂ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାଂସ୍ବା ଔଲାନ୍ଦଙ୍କ ପାର୍ଟନର ଜୁଲି ଗେୟେଟଙ୍କ ମଧ୍ୟରେ ଏକ ଫିଲ୍ମ ନିର୍ମାଣ କରିବାର ଚୁକ୍ତି ହୋଇଥିଲା। ଏହି ଚୁକ୍ତି ଜାନୁୟାରୀ ୨୪, ୨୦୧୬ରେ ହୋଇଥିଲା, । ଆଉ ଏହାର ଠିକ୍ ଦୁଇ ଦିନ ପରେ ଔଲାନ୍ଦ ଗଣତନ୍ତ୍ର ଦିବସ ସମାରୋହରେ ସାମିଲ ହେବା ପାଇଁ ଭାରତକୁ ଆସିଥିଲେ ।
ଇଣ୍ଡିଆନ୍ ଏକ୍ସପ୍ରେସ୍ ମୁତାବକ ଏହି ଧାରାରେ ପୂର୍ବତନ ରାଷ୍ଟ୍ରପତି ଫ୍ରାଂସ୍ବା ଔଲାନ୍ଦ ପ୍ରଧାନମନ୍ତ୍ରୀ ମୋଦି ୩୬ରାଫେଲ୍ ଏୟାରକ୍ରାଫ୍ଟର ଏମ୍ଓୟୁରେ ହସ୍ତାକ୍ଷର କରିଥିଲେ। ଇଣ୍ଡିଆନ୍ ଏକ୍ସପ୍ରେସ୍ର ଏହି ରିପୋର୍ଟ ଅନୁସାରେ ପୂର୍ବତନ ରାଷ୍ଟ୍ରପତି ଫ୍ରାଂସ୍ବା ଔଲାନ୍ଦଙ୍କ ପାର୍ଟନର ଜୁଲି ଗେୟେଟଙ୍କ ଫର୍ମ Rougue International ଏବଂ ରିଲାଏନ୍ସ ଏଣ୍ଟରଟେନମେଣ୍ଟ ମିଶି Tout La Haut ଫିଲ୍ମର ନିର୍ମାଣ କରିଥିଲେ।
୨୦୧୬ରେ ଏହି ଡିଲ ସହିତ ରିଲାଏନ୍ସ ଡିଫେନ୍ସ୍ ଜୋଡ଼ି ହୋଇଥିଲା। ଏମଓୟୁ ହେବାର ୮ସପ୍ତାହ ମଧ୍ୟରେ ରାଫେଲ୍ ଏୟାରକ୍ରାଫ୍ଟ ନିର୍ମାଣ କରୁଥିବା କମ୍ପାନୀ ଡସାଲଟ୍ ଏଭିଏସନର ଚେୟାରମ୍ୟାନ୍ ଏରିକ୍ ଟ୍ରେପିୟର୍ ଏବଂ ଅମ୍ବାନୀ ମିଶି Dassault Reliance Aerospace Ltdର ମାନ୍ୟୁଫାକ୍ଚରିଙ୍ଗି ଫ୍ୟାସିଲିଟିର ନାଗପୁରରେ ଶିଳାନ୍ୟାସ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଫାନ୍ସର ସେ ସମୟର ରକ୍ଷାମନ୍ତ୍ରୀ ଫ୍ଲୋରେନ୍ସ୍ ପାର୍ଲେ, ଭାରତର ସଡ଼କ ଏବଂ ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବଂ ଭାରତରେ ଫ୍ରାନ୍ସର ଆମ୍ବାସାଡର ଆଲେକଜାଣ୍ଡର ଜିଗ୍ଲର ଉପସ୍ଥିତ ଥିଲେ।