ଋଣୀ କରି ଦେଲା ପୋଷା କୁକୁର: ସାପ ସହ ଲଢ଼ି ୩ ଜଣଙ୍କ ଜୀବନ ରକ୍ଷା କଲା
4/03/2020 at 3:33 PM

ଅସ୍ତରଙ୍ଗ୪।୩ : ଅସ୍ତରଙ୍ଗ ବ୍ଲକ୍ କେନ୍ଦ୍ରାପାଟି ପଞ୍ଚାୟତ ନୂଆସାହି ଗ୍ରାମରେ ଏକ ବିରଳ ଦୃଶ୍ୟ ସାମ୍ନାକୁ ଆସିଛି। ନାଗ ସହ ଲଢ଼େଇ କରି ଏକ ପରିବାର ୩ଜଣଙ୍କ ଜୀବନ ରକ୍ଷା କରିଛି ଘରର ପୋଷା କୁକୁର।ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଏକ ଆଲୋଡ଼ନ ସୃଷ୍ଟି କରିଛି। ସୋମବାର ରାତି ପ୍ରାୟ ୯ଟା ସମୟରେ ପରିବାର ଲୋକେ ଟିଭି ଦେଖିବାରେ ବ୍ୟସ୍ତ। ଏପଟେ ଘର ଭିତରକୁ ସାପ ପଶିବା ପାଇଁ ଉଦ୍ୟମ ଚଳାଇଥିଲା। ହେଲେ ଘର ଦୁଆର ମୁହଁରେ ସାପର ବାଟ ଓଗାଳିଥିଲା ପୋଷା କୁକୁର। ଘର ପୋଷା କୁକୁର ନୂଆସାହିର ଅମିୟ ପ୍ରସାଦ ଛାଟୋଇଙ୍କ ପରିବାର ତିନିଜଣଙ୍କ ଜୀବନ ରକ୍ଷା କରିଛି।
ଏହି ସମୟରେ ପ୍ରାୟ ସାଢ଼େ ୪ ଫୁଟ ଲମ୍ବର ଏକ ନାଗ ସାପ ତାଙ୍କ ଘର ଭିତରକୁ ପଶି ଯାଇଥିଲା । ଘର ଦୁଆର ମୁହଁରେ ବନ୍ଧା ହୋଇଥିବା ଲାବ୍ରାଡର ଜାତୀୟ ପୋଷା କୁକୁରଟି ନାଗକୁ ଦେଖି ଭୁକିବା ସହ ତା’ର ଆଗ ଗୋଡ଼ରେ ରାମ୍ପୁଡ଼ିବା ଆରମ୍ଭ କରିଥିଲା । ଏହିପରି ନାଗ ଏବଂ କୁକୁରର କିଛି ସମୟ କସରତ ଚାଲିଥିଲା । କୁକୁରଟି ଜୋର୍ରେ ଭୁକିବାରୁ ଅମିୟ, ପୁଅ ସ୍ବସ୍ତିକ ଓ ପତ୍ନୀ ବୈଜୟନ୍ତୀ ବାହାରକୁ ବାହାରି ଆସିଥିଲେ ।
ସେହି ସମୟରେ କୁକୁରଟି ସାପକୁ ବାଟ ଓଗାଳୁଥିବା ଦେଖିଥିଲେ । ସଙ୍ଗେ ସଙ୍ଗେ ଅମିୟ ଗ୍ରାମ ଲୋକଙ୍କୁ ଫୋନ୍ କରି ଡାକିଥିଲେ । ଲୋକେ ପହଞ୍ଚିବା ବେଳକୁ ସାପଟି କୁକୁର ସହ ମୁକାବିଲା କରି ନ ପାରି ଏକ କୋଣରେ ଗୁଡ଼ାଇ ହୋଇ ଲୁଚି ଯାଇଥିବା ଦେଖିଥିଲେ । ସ୍ଥାନୀୟ ବାଜପୁର ଗ୍ରାମର ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ବ୍ରଜ କିଶୋର ସାହୁଙ୍କୁ ଫୋନ ଦ୍ବାରା ଜଣାଇବା ପରେ ଶ୍ରୀ ସାହୁ ପହଞ୍ଚି ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଥିଲେ । ଏହି କଥା ପ୍ରଘଟ ହେବା ପର କୁକୁର ପ୍ରତି ଲୋକମାନଙ୍କ ବିଶ୍ବାସ ଆହୁରି ବଢ଼ି ଯାଇଛି।