ଫିଫା ବିଶ୍ବକପ୍ : ଚତୁର୍ଥ ଥର ପାଇଁ ବିଶ୍ବକପ୍ ଫାଇନାଲରେ ଫ୍ରାନ୍ସ, ରବିବାର ଆର୍ଜେଣ୍ଟିନା ସହ ମୁକାବିଲା
15/12/2022 at 7:32 AM

ଦୋହା ୧୫।୧୨: ଫିଫା ବିଶ୍ବକପ୍ ୨୦୨୨ । ଫାଇନାଲରେ ଫ୍ରାନ୍ସ-ଆର୍ଜେଣ୍ଟିନା । ଦ୍ବିତୀୟ ଦଳ ଭାବେ ଫିଫା ବିଶ୍ବକପର ଫାଇନାଲରେ ପ୍ରବେଶ କରିଛି ଫ୍ରାନ୍ସ । ଦ୍ବିତୀୟ ସେମିଫାଇନାଲ୍ ରେ ଫ୍ରାନ୍ସ ୨-୦ ଗୋଲରେ ମରକ୍କୋକୁ ହରାଇଛି।
ତେବେ ବୁଧବାର ଖେଳାଯାଇଥିବା ୨ୟ ସେମିଫାଇନାଲ ମ୍ୟାଚ୍ର ୫ମ ମିନିଟରେ ଫ୍ରାନ୍ସର ଥିଓ ହର୍ଣ୍ଣାଣ୍ଡେଜ୍ ଗୋଲ୍ ଦେଇଥିଲେ। ୭୯ ମିନିଟରେ ଫ୍ରାନ୍ସ ପାଇଁ ରାଣ୍ଡାଲ କୋଲୋ ମୁଆନି ଗୋଲ୍ ଦେଇଥିଲେ। ଏଥିସହିତ ବିଶ୍ବକପରେ ଫ୍ରାନ୍ସ ଚତୁର୍ଥ ଥର ପାଇଁ ଫାଇନାଲରେ ପହଞ୍ଚିଛି। ଫଳରେ ପ୍ରଥମ ଆଫ୍ରିକୀୟ ଦେଶ ଭାବେ ଫିଫା ବିଶ୍ବକପର ସେମିଫାଇନାଲରେ ପହଞ୍ଚିଥିବା ମରକ୍କୋର ଟ୍ରଫି ହାତେଇବା ସ୍ବପ୍ନ ଧୂଳିସାତ୍ ହୋଇଛି।
ସେହିପରି ରବିବାର ଲୁସାଇଲ୍ ଆଇକନିକ୍ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଫାଇନାଲରେ ଫ୍ରାନ୍ସ ସହିତ ଆର୍ଜେଣ୍ଟିନାର ମୁକାବିଲା ହେବ। ଶନିବାର ୩ୟ ସ୍ଥାନ ପାଇଁ ସେମିରେ ପରାସ୍ତ ହୋଇଥିବା କ୍ରୋଏସିଆ ଓ ମରକ୍କୋ ମଧ୍ୟରେ ମୁକାବିଲା ହେବ। ଚଳିତ ଫିଫା ବିଶ୍ବକପ୍ ର ଟ୍ରଫି ପାଇଁ ଲଢିବେ୨ ଥର ଲେଖାଏଁ ଚମ୍ପିଆନ୍ ହୋଇଥିବା ଫ୍ରାନ୍ସ ଓ ଆର୍ଜେଣ୍ଟିନା। ପ୍ରଥମ ସେମିଫାଇନାଲ ଜିତି ଆର୍ଜେଣ୍ଟିନା ଫାଇନାଲରେ ପହଞ୍ଚିଥିଲା। ବୁଧବାର ୨ୟ ସେମିଫାଇନାଲରେ ମରକ୍କୋକୁ ୨-୦ ଗୋଲରେ ପରାସ୍ତ କରି ଗତଥରର ଚମ୍ପିଆନ୍ ଫ୍ରାନ୍ସ ୨ୟ ଦଳ ଭାବେ ଫାଇନାଲରେ ପହଞ୍ଚିଛି।